logo

ଚଙ୍ଗୁ ପାଇଁ ଜିଲ୍ଲା ଗୀତ - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।

ଚଙ୍ଗୁ ପାଇଁ ଜିଲ୍ଲା ଗୀତ

ତରୀମୂଳ ଦୀଘି କଳମ ଶାଗ
ମାଛ ଧରିବାକୁ ବନସୀ ମାଗ
ପାଣିରେ ପହଁରେ କିଏ
ସିଏ ହଂସ ନୁହେଁ ବତକଟିଏ
ଆମ ଚଙ୍ଗୁ ଚିହ୍ନି ଦିଏ ।

ଚଙ୍ଗୁ ବଡ଼ ଭାଇ ମଙ୍ଗୁଟି ସାନ
ଧରନାହିଁ ରାଗି ତାଙ୍କରି କାନ
ଧୋରେ ବାଇଆ ଧୋ
ଘୋଟି ଆସେ କଣ୍ଟିପାଳିଆ ମେଘ
ପବନ କରୁଛି ଘୋ ।

ଚଙ୍ଗୁ ମାମୁଘର ଫକୀରପୁର
ବୈତରଣୀ ନଈ ଅଳପଦୂର
କିଣି ସେଠୁ ବୁଲି ମଠା
ମରୈଗାଁରୁ ପଟି କିଣିକି
ଦୁଇ ଭାଇ ପାଇଁ ପଠା ।

ଶାଳପଡ଼ା ଆଡ଼େ ଯିବରେ ବୁଲି
ବହି ଖୋଜିବାକୁ ଯିବନି ଭୁଲି
ରାୟସାହେବଙ୍କ ଲେଖା
ପୂରା ନାଆଁ କ୍ଷେତ୍ରମୋହନ ମିଶ୍ର
ମନେ ରଖ ରୁପୁ,ରେଖା ।

ସବୁଜ ସୁନ୍ଦର ମୋ କେନ୍ଦୁଝର
ଆସି ବୁଲି ଯାଅ ଗୋଟିଏ ଥର
ଭରିଛି ଖାଦାନ ଖଣି
ଗୋନାସିକାରୁ ବାହାରି ବହୁଛି
ବଡ଼ ନଦୀ ବୈତରଣୀ ।

ନୀଳମଣି ଚାନ୍ଦ
ପୁରୁଣିଆଁ, ଶାଳପଡ଼ା ,ଆନନ୍ଦପୁର
କେନ୍ଦୁଝର,ମୋ:୯୫୮୩୨୦୨୩୫୭

18
808 views