ଚମ୍ପାର ମହକ! ଦେବଦତ୍ତ ଦେହୁରୀ ଙ୍କ ଦ୍ଵାରା ରଚିତ କବିତା।
ଚମ୍ପାର ମହକ!
କେନ୍ଦୁଝର ମାଟି ମୋ ମଥା ଚନ୍ଦନ,
ସଦା ଦିଶୁଥାଇ ଜକଜକ ,
ମୋ କେନ୍ଦୁଝରକୁ ଏ ଦେଶ ଚିହ୍ନିଛି,
ସତେ ଶହେ ଚମ୍ପାର ମହକ ।୧।
କେଞ୍ଜିରିଗଡକୁ କରିବନି ନିନ୍ଦା,
ଇଏତ ରାଇଜ ଭଣ୍ତାର ଘର,
ବକ୍ଷ ଚିରି ନିଜେ ଅମୃତ ଯୋଗାଏ,
ପୋଡି ଯାଉ ପଛେ ନିଜ ଉଦର |୨|
ସମ୍ପଦକୁ ତାର ଲୁଟି ନେଇଥାଅ,
ତୁମେ କରି କଉଶଳ ଫନ୍ଦି,
କ୍ଷୀର ଆଶେ ଯେହ୍ନେ ବୁଦ୍ଧିଆ ମଣିଷ,
ଧେନୁ ବତ୍ସାକୁ ଅଲଗା ବାନ୍ଧି ।୩।
ତାରକା ହୋଟେଲ ମଟନ ଚିକେନ,
ମଦିରା ରେ ପୂରେ ତୁମ ଚିତ୍ତ,
ତାହାରି ସନ୍ତାନ ନ ପାଆନ୍ତୁ ପଛେ
କେବେ, ଦୁଇ ଓଳା ରୁଟି ଭାତ |୪|
ସାମ୍ପୁଦିଆ ବାଳ କ୍ରିମ ବୋଳା ମୁହଁ
ବେଶ ତୁମ ଦାମୀ ପୋଷାକର ,
ଅଣାବଣା ହୋଇ ନୁଖୁରା ବାଳ ତା
ପବନରେ ଉଡେ ଫର ଫର |୫|
ପଢିଛ କି ଥରେ ଭୋକର ଭୂଗୋଳ
କିଛି ଅନୁଭବ ତୁମ ନାହିଁ,
ନିରୀହ ଆଖିରେ ଚାହିଁଛି ଏ ଯାଏଁ
ଦେଖ, ଉନ୍ନତି ବା ତାର କାହିଁ ?? |୬|
ଦେବଦତ୍ତ ଦେହୁରୀ
ମନୋହରପୁର, କେନ୍ଦୁଝର
ମୋବାଇଲ: 99387 17370