logo

ମଧ୍ୟାହ୍ନ ଭୋଜନ ଅଣ୍ଡା ନେବା ଘଟଣାରେ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ।

ମଧ୍ୟାହ୍ନ ଭୋଜନ ଅଣ୍ଡା ନେବା ଘଟଣାରେ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ।

କେନ୍ଦୁଝର,୧୩ା୧୨: କେନ୍ଦୁଝର ସଦର ବ୍ଲକ କେମ୍ପସଡା ସ୍ଥିତ କେଏମ୍‌ବି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଗ୍ରାମ କେଶରୀ ନାୟକ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଅଣ୍ଡା ନେଇଯିବା ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ କାରଣ ଦର୍ଶାଅ ନୋଟିସ କରିବା ସହ ତାଙ୍କର ଡିସେମ୍ବର ମାସର ଦରମା ବନ୍ଦ କରିଛନ୍ତି । ପ୍ରଧାନ ଶିକ୍ଷକ ଗତ ୫ତାରିଖ ଦିନ ଅପରାହ୍ନରେ ଲକ୍ଷୀ୍ମବସରେ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଅଣ୍ଡା ନେଇ କେନ୍ଦୁଝର ଅଭିମୁଖେ ଯାଉଥିବା ଗ୍ରାମବାସୀ ଜାଣିବାକୁ ପାଇ ବସ ଅଟକାଇ ପ୍ରଧାନ ଶିକ୍ଷକଙ୍କ ବ୍ୟାଗରୁ ୧୬ଟି ଅଣ୍ଡା ପାଇଥିଲେ । ଏହି ଘଟଣା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ପ୍ରଧାନ ଶିକ୍ଷକ ସଂଗ୍ରାମ କେଶରୀ ନାୟକଙ୍କ ଡିସେମ୍ବର ମାସର ଦରମା ବନ୍ଦ କରାଯିବା ସହ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ପ୍ରଧାନ ଶିକ୍ଷକ ନିୟମିତ ବିଦ୍ୟାଳୟ ଆସୁନଥିବାବେଳେ ପିଲାଙ୍କ ମଧ୍ୟାହ୍ନଭୋଜନ ଖାଦ୍ୟ ହଡପ ହୋଇ ଆସୁଥିବା ଅଭିଯୋଗ ହୋଇ ଆସୁଥିଲା । ଏହି ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ନିୟମିତ ଆସୁନଥିବାବେଳେ ଛାତ୍ରଛାତ୍ରୀଙ୍କ ନାମରେ ମିଥ୍ୟା ଉପସ୍ଥାନ ଦେଖାଇ ମଧ୍ୟାହ୍ନଭୋଜନ ବାବଦ ଅର୍ଥ ହଡପ ହୋଇ ଆସୁଥିଲା । ଏ ନେଇ ଜିଲ୍ଳା ଶିକ୍ଷା ଅଧିକାରୀ ପୂର୍ଣର୍ଚନ୍ଦ୍ର ବରିହାଙ୍କ ସହ ଯୋଗାଯୋଗ କରିବାରୁ ପ୍ରଧାନ ଶିକ୍ଷକ ନିୟମିତ ବିଦ୍ୟାଳୟ ଆସୁନଥିବା ଏବଂ ମଧ୍ୟାହ୍ନଭୋଜନ ହଡପ କରୁଥିବା ନେଇ ଅଭିଯୋଗ ହୋଇଛି । ଏହାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ଅନେକ ବିଦ୍ୟାଳୟରେ କମ ଉପସ୍ଥାନ ଥିଲେ ମଧ୍ୟ ଅଧିକ ଉପସ୍ଥାନ ଦେଖାଇ ମଧ୍ୟାହ୍ନ ବାବଦ ଅର୍ଥ ହରିଲୁଟ ହେଉଛି । ନୋଡାଲ ଅଫିସର ଏମଡିଏମ,ସିଆରସିସି,ବିଇଓ ସ୍ତରରେ ନିୟମିତ ବିଦ୍ୟାଳୟ ପରିଦର୍ଶନ ହେଉନଥିବାରୁ ବର୍ଷ ବର୍ଷ ଧରି ମଧ୍ୟାହ୍ନଭୋଜନ ଅର୍ଥ ହେରଫେର ହେଉଛି । ଘଟଗାଁ ବ୍ଲକ ଅନ୍ତର୍ଗତ ମୁଦ୍ରାବେଡାସ୍ଥିତ ସତ୍ୟ ନାରାୟଣ ଉଚ୍ଚ ବିଦ୍ୟାଳୟ,ଗ୍ରାମ ପଂଚାୟତ ହାଇସ୍କୁଲ ଧାଙ୍ଗଡଡିହା ଏବଂ ବନ ଦୂର୍ଗା ଉଚ୍ଚବିଦ୍ୟାଳୟ ରାଜପାଟରେ ଶହ ଶହ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ବାବଦ ଅର୍ଥ ହଡପ ହେଉଛି । ଏହି ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଅନ୍ୟ ବେସରକାରୀ ବିଦ୍ୟାଳୟରେ ପାଠ ପଢୁଛନ୍ତି । ପାଠ ନ ପଢାଇ ସରକାରୀ ବିଦ୍ୟାଳୟର ଶିକ୍ଷକମାନେ ଲକ୍ଷ ଲକ୍ଷ ଟଙ୍କା ଦରମା ବାବଦକୁ ଉଠାଉଥିବାବେଳେ ମିଡ ଡେ ମିଲ ବାବଦ ଅର୍ଥ ହରିଲୁଟ କରୁଛନ୍ତି । ବର୍ଷ ବର୍ଷ ଧରି ଏହି ସ୍କାମ ଚାଲିଥିଲେ ମଧ୍ୟ କେହି ଏହାର ଟେର ପାଉନାହାଁନ୍ତି କିପରି । ଏହି ସବୁ ବିଦ୍ୟାଳୟର ରେକର୍ଡ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଯାଂଚ କଲେ ପ୍ରକୃତ ତଥ୍ୟ ପଦାକୁ ଆସିବା ସହିତ ଏହାର ପର୍ଦ୍ଦାଫାସ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । ପିଲାଙ୍କ ପୃଷ୍ଟି ସାଧନ ପାଇଁ ଅଧିକ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟକୁ ଆକୃଷ୍ଟ କରିବା ଏବଂ ଡ୍ରପ ଆଉଟ ହାର କମାଇବା ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତଦାରଖ ଅଭାବରୁ ଏହି ଯୋଜନା ଦିଗହରା ହୋଇପଡିଛି । ମଧ୍ୟାହ୍ନ ଭୋଜନକୁ ନେଇ ଅଭିଯୋଗ ହେଲେ ତଦନ୍ତ କରାଯାଉନି । ଫାଇଲ ତଳେ ଚାପି ହୋଇଯାଉଛି ଅଭିଯୋଗ । ମଧ୍ୟାହ୍ନଭୋଜନରେ ନିମ୍ନ ମାନର ଖାଦ୍ୟ ଦିଆଯାଉଛି । ଉନ୍ନତମାନର ଖାଦ୍ୟ ବଦଳରେ ପାଣିଆ ଡାଲି ଦିଆଯାଉଛି । ମଧ୍ୟାହ୍ନ ଭୋଜନର ମାନ ଅତି ନିମ୍ନମାନର ଏବଂ ଅରୁଚିକର ହେଉଥିବାରୁ ବହୁ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉନାହାଁନ୍ତି । ପିଲାଙ୍କ ପୋଷଣ ପାଇଁ ବିଦ୍ୟାଳୟରେ ଚାଲିଥିବା ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ତଦାରଖ କରିବାକୁ ଦାବୀ ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ତଦନ୍ତ କରି ମଧ୍ୟାହ୍ନ ଭୋଜନ ଘୋଟଲାର ପର୍ଦ୍ଦାଫାଶ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ, ମୋବାଇଲ: 9437627342

25
987 views