
ଓଡିଆରେ ନାମଫଳକ ଲେଖିବା ନିର୍ଦ୍ଦେଶକୁ ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନଙ୍କର ବେଖାତିର।
ଓଡିଆରେ ନାମଫଳକ ଲେଖିବା ନିର୍ଦ୍ଦେଶକୁ ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନଙ୍କର ବେଖାତିର।
ଭାଷା ଖିଲାପକାରୀଙ୍କ ବିରୋଧରେ ଶ୍ରମ ବିଭାଗର କୋହଳ ମନୋଭାବ।
କେନ୍ଦୁଝର, ୯ା୧୨ : ଓଡିଆ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ,୧୯୫୬ର ଧାରା ୪(୨) ଅନୁଯାୟୀ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖରେ ସ୍ପଷ୍ଟ ଭାବେ ଓଡିଆ ଭାଷାରେ ନାମଫଳକ ପ୍ରଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି । ତେବେ କେନ୍ଦୁଝର ସହର ସମେତ ଜିଲ୍ଲାରେ ବାଣିଜ୍ୟିକ ସଂସ୍ଥା,ପ୍ରଶାସନିକ ବିଭାଗ ଗୁଡିକ ଏହି ଆଇନକୁ ବେଖାତିର କରୁଥିବା ଅଭିଯୋଗ ହେଉଛି । ୨୦୨୫ ମସିହାରେ ଭାଷା ଖିଲାପକାରୀଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮୯୬ ଜଣଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ ଏବଂ ୧୩୦ଜଣଙ୍କ ନାମରେ ପ୍ରୋସିକ୍ୟୁସନ କରାଯାଇ ଜରିମାନା ହୋଇଛି । କିନ୍ତୁ କେନ୍ଦୁଝର ଜିଲ୍ଲାରେ ଓଡିଆରେ ନାମଫଳକ ଲେଖିନଥିବା ମାତ୍ର ୪ଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ କରି ଶ୍ରମ ବିଭାଗ ନିଜ ଦାୟିତ୍ୱ ଶେଷ କରିଦେଇଛି । ଓଡିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଉଦ୍ଦେଶ୍ୟରେ ନିୟମ ପ୍ରଣୟନ କରାଯାଇଛି ଏବଂ ଉକ୍ତ ଆଇନ ଅନୁଯାୟୀ ସମସ୍ତ ପ୍ରତିଷ୍ଠାନ ଓଡିଆ ଭାଷାରେ ନାମଫଳକ ପ୍ରଦର୍ଶନକୁ ବାଧ୍ୟତାମୂଳକ କରାଯାଇଛି । ଏଥିରେ ଖିଲାପ କଲେ କଠିନ ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଛି । ଏହି ଆଇନର କୌଣସି ପ୍ରକାର ଉଲ୍ଲଙ୍ଘନ କଲେ ପ୍ରଥମ ଥର ପାଇଁ ଅନ୍ୟୁନ ଏକ ହଜାର ଓ ସର୍ବାଧିକ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ଦ୍ୱିତୀୟ ଥର ପାଇଁ ଅନ୍ୟୁନ ୨ ହଜାର ଟଙ୍କା ଓ ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା କରାଯାଇଛି । କେନ୍ଦୁଝର ସହରର ଶହ ଶହ ବାଣିଜ୍ୟିକ ଅନୁଷ୍ଠାନ,ବେସରକାରୀ ଅଫିସ ଓ ଅନେକ ସରକାରୀ କାର୍ଯ୍ୟାଳୟରେ ନାମଫଳକଗୁଡିକ ଏବେ ପର୍ଯ୍ୟନ୍ତ ଓଡିଆରେ ଲେଖାଯାଇନାହିଁ । ସରକାରଙ୍କ ନିର୍ଦ୍ଦେଶକୁ ସଂପୃକ୍ତ ସଂସ୍ଥାଗୁଡିକ ବେଖାତିର କରୁଥିବାବେଳେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଓଡିଶାରେ ଥିବା କେନ୍ଦ୍ରୀୟ ସଂସ୍ଥା ହେଉ କିମ୍ବା ରାଜ୍ୟ ସରକାରଙ୍କ ସଂସ୍ଥା,ଉଦ୍ୟୋଗୀକ ସଂସ୍ଥା ପ୍ରଭୃତି କାର୍ଯ୍ୟାଳୟମାନଙ୍କରେ ଅନ୍ୟାନ୍ୟ ଭାଷା ସହ ନିଜ ସାଇନବୋର୍ଡରେ ଓଡିଆ ଭାଷା ସଂପର୍କରେ ଲେଖିବା ବାଧ୍ୟତାମୂଳକ ଅଟେ । କିନ୍ତୁ କେନ୍ଦୁଝର ଜିଲାରେ ଏହାର ବ୍ୟତିକ୍ରମ ଦେଖାଯାଉଛି । ତେଣୁ ଓଡିଆ ଭାଷା ଆଇନର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଲାଣି । କେନ୍ଦୁଝର ଜିଲାରେ ଓଡିଶା ସରକାରୀ ଭାଷା ଅଧିନିୟମ ପ୍ରଚଳିତ ହେବା ପରେ ଖିଲାପ କରୁଥିବା ସମସ୍ତ ଅନୁଷ୍ଠାନ ଉପରେ କଡା ପଦକ୍ଷେପ ନେବାକୁ ଉତ୍କଳ ସମ୍ମିଳନୀ କେନ୍ଦୁଝର ଜିଲା ସଭାପତି ଡକ୍ଟର ବିମ୍ବାଧର ବେହେରା ଦାବୀ କରିଛନ୍ତି ।
ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ, ମୋବାଇଲ: 9437627342