logo

ବେସୁରା ରାଗିଣୀ - ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ଦ୍ଵାରା ରଚିତ କବିତା।

ବେସୁରା ରାଗିଣୀ
*************
ଦେବାଶିଷ ଚକ୍ରବର୍ତ୍ତୀ

କେନ୍ଦୁଝର ର ପାହାଡ କୋଳ ରେ
ଗାଆଁଟିଏ ଘୁଙ୍ଗା ଗାଁ
କାନ କୁ ହୁଏତ ଭାରି ବେଖାପ ଲାଗୁଥାଇପାରେ ଏପରି ନାଆଁ
ଏବେ କିନ୍ତୁ ସତରେ ଦୁଃଖର କୋରଡ଼ା ରେ
ଘୁଂଗା ପାଲଟି ଯାଇଛନ୍ତି
ବାପ ମାଆ ଛେଉଣ୍ଡ
ଚାରୋଟି ବାଳୁତ
ଯୁଆଡ଼େ ଚାହିଁ ଲେବି ସତେ ଯେମିତି
ରୁନ୍ଧି ହୋଇଯାଉଛି
ମୁକୁଳିବାର ସମସ୍ତ ପଥ।

ଯେଉଁ ବୟସ ରେ ହାତ
ଧରୁଥାନ୍ତା ଗୁଡ଼ି କି ସିଲଟ ଖଡ଼ି
ସେହି ବୟସରେ ଚାଲିଛି
ଭାଗ୍ୟ ସହିତ ଭିଡାଭିଡ଼ି
କପାଳ କୁ ମିଳୁଥିବା
ସର୍କାରି କରୁଣା ଅତି ବେଶୀରେ
ବାର କି ଚଉଦ ଦିନର ଆହାର
ତେଣିକି ଭରସା ଆମ୍ବ ଟାକୁଆ କି
ବଣ ଫଳ କି ଚେର ମୂଳ।

ଆଉ କଣ ଆଗ କଥା ହୋଇଚି ଯେ
ହାତ ହଲେଇ ଦେଲେ
କୁଢ଼େଇ ହୋଇ ପଡ଼ିବ
ଚାର,କେନ୍ଦୁ,ଆମ୍ବ,ପଣସ କି ପୁଢେଇ
ଆଉ କାହିଁ ସେ ଗହଳ ବଣ
ଏବେ ତ କାଠ ମାଫିଆ ଙ୍କ
ସ୍ବାର୍ଥ ର ଜିଭ ବୁଲା ରେ
ଉକୁଟି ଉଠିଲାଣି ଚନ୍ଦାପଣ।

ପାଖ ପଡିଶାଙ୍କ କେତେ ବହପ ଯେ
ସେମାନେ ପିଲାଙ୍କୁ ସବୁଦିନ
ଆଗୁଳି ପାରିବେ ଯୁଦ୍ଧ କରି
ଭୋକ ଅସୁର ସାଥିରେ
ସେମାନେବି ତ ନୟାନ୍ତ ଓ ନତଜାନୁ
ଆପଣା ର ଭାଗ୍ୟ କତିରେ?

ସତରେ ସୁଶାସନ ର ଅର୍ଥ କଣ
କେବଳ ଆତ୍ମ ବିଜ୍ଞାପନ
ଘୁଙ୍ଗା ଗାଁ ର ଅନାଥ ବାଳୁତ ଙ୍କ ପରି
ନିରୁପାୟ ମଣିଷଙ୍କ ପାଇଁ
ସତେ କଣ ଆହାଟିଏ ନାହିଁ ?
ଯେତେଦିନ ଏହିପରି ବଞ୍ଚିତ ଙ୍କ ପେଟ ରେ
ବାଜୁଥିବ ଭୋକ ର ଖଞ୍ଜଣି
ତୁଚ୍ଛା ପ୍ରଗତି ର ରାମଧୂନ୍
ମନେ ହେବନିକି ବେସୁରା ରାଗିଣୀ?
*******************************
ମଣ୍ଡୁଆ, କେନ୍ଦୁଝର ଗଡ
ମୋ: ୯୪୩୭୭୫୨୪୯୫

20
937 views