logo

ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଅଶୋକ କର ସମ୍ମାନିତ

ଦାମନଯୋଡ଼ି,୨୯/୧୧:ନାଲକୋର ଅବସରପ୍ରାପ୍ତ କର୍ମଚାରୀ ଓ ମଞ୍ଚନାଟକ ଜଗତର ପ୍ରଶିଷ୍ଟ ଆଲୋକ ପରିକଳ୍ପକ ଶ୍ରୀ ଅଶୋକ କରଙ୍କୁ ତାଙ୍କ ଜୀବନବ୍ୟାପୀ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବିଶିଷ୍ଟ ସମ୍ମାନ ପ୍ରଦାନ କରାଯାଇଛି।
ରାୟଗଡା ଜିଲ୍ଲାରେ ଜନ୍ମିତ ଅଶୋକ କର ଛାତ୍ରଜୀବନରୁ ମଞ୍ଚ ନାଟକ ସହ ଜଡ଼ିତ ରହିଆସିଛନ୍ତି। ୧୯୮୧ ମସିହାରୁ ଆଜି ପର୍ଯ୍ୟନ୍ତ ନିରନ୍ତର ଅଭିନୟ,ମଞ୍ଚ ସଜାଣ,ଆଲୋକ ଓ ଶବ୍ଦ ପରିକଳ୍ପନାରେ ତାଙ୍କ ସମର୍ପଣ ତାଙ୍କୁ ଓଡ଼ିଶାର ନାଟକ ଜଗତରେ ସ୍ୱତନ୍ତ୍ର ପରିଚୟ ଦେଇଛି। ଚଳିତ ମାସ ୨୬ତାରିଖରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଳ୍ୟରେ ଲୋକସେବା ଭବନ ସମ୍ମିଳନୀ ଗୃହରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭାଗୀୟ ନିର୍ଦ୍ଦେଶକ ଓ ଭାରପ୍ରାପ୍ତ ସଚିବ ଡ଼.ବିଜୟକେତନ ଉପାଧ୍ୟାୟ, ସ୍ଵତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାସ,ପ୍ରସିଦ୍ଧ ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର,ଆକାଶ ଦାସନାଏକ ଓ ଏକାଡେମୀ ସଚିବ ଡ଼.ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।ମଞ୍ଚନାଟକରେ ଆଲୋକ ଓ ଶବ୍ଦ ପରିକଳ୍ପନାକୁ ନୂତନ ଦିଗକୁ ନେବାରେ ଶ୍ରୀ କରଙ୍କ ଦୀର୍ଘ ଅନୁଭବ, ପରିଶ୍ରମ ଓ ସୃଜନଶୀଳତାକୁ ସ୍ୱୀକାର କରି ଏହି ପ୍ରତିଷ୍ଠିତ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି।ରାଜ୍ୟର ନାଟକମଞ୍ଚ ମଣ୍ଡଳୀରେ ଏହା ଗୌରବ ଓ ପ୍ରେରଣାର ନୂତନ ଅଧ୍ୟାୟ ସୃଷ୍ଟି କରିଛି।ଶ୍ରୀ କରଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନ ଜଣାଯାଇଛି।

116
2427 views