
ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ସମ୍ବିଧାନ ଦିବସ; ଡ଼. ବି. ଆର୍. ଆମ୍ବେଡକରଙ୍କୁ ସ୍ମରଣ
ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ୨୬ ନଭେମ୍ବର ୨୦୨୫ ରେ ସୁନାବେଡା କ୍ୟାମ୍ପସ୍ରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ୧୯୪୯ ମସିହାର ୨୬ ନଭେମ୍ବର ଦିନ ଭାରତୀୟ ସମ୍ବିଧାନ ଗ୍ରହଣ ଦିବସ ଭାବେ ସ୍ମରଣ ସହିତ ଭାରତର ସମ୍ବିଧାନ ସ୍ୱର୍ଣ୍ଣକାର, ଭାରତ ରତ୍ନ ଡ଼. ବି. ଆର୍. ଆମ୍ବେଡକରଙ୍କୁ ସ୍ମରଣ କରାଯାଇଥିଲା।
ଏହି ଅବସରରେ ବିଶ୍ବବିଦ୍ୟାଳୟର ଭରପ୍ରାପ୍ତ କୁଳ ସଚିବ ଡ଼. ରାକେଶ କୁମାର ଲେଂକା କାର୍ଯ୍ଯକ୍ରମର ଉଦ୍ଘାଟନ ଏବଂ ଅଧ୍ୟକ୍ଷତା କରିଥିଲେ। ମଞ୍ଚରେ ଅର୍ଥନୀତି ବିଭାଗର ପ୍ରଫେସର ଏବଂ ବିଭାଗ ମୁଖ୍ୟ ପ୍ରଫେସର ରଥିକାନ୍ତ କୁମ୍ଭାର, ଏନଏସଏସ୍ ସମନ୍ୱୟକର୍ତ୍ତା ଡ଼. ଅଞ୍ଜନେୟୁଲୁ ଥୋଟାପଲ୍ଲି ଏବଂ ଆସ୍ପିରେସନାଲ୍ ଭାରତ କଲାବରେଟିଭ୍, କୋରାପୁଟର ପ୍ରୋଗ୍ରାମ୍ ମ୍ୟାନେଜର ଶ୍ରୀ ଅଲିକାନା ୱେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ନିଜ ବାର୍ତ୍ତା ପ୍ରେରଣ କରି କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ। ଡ଼. ଆମ୍ବେଡକରଙ୍କ ପ୍ରତିମାକୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ତାଙ୍କର ଦେଶପ୍ରତି ଅମ୍ଳାନ ଓ ମହାନ ଅବଦାନକୁ ସ୍ମରଣ କରି ସମ୍ମାନିତ କରଯାଇଥିଲା ।
ଡ଼. ଲେଂକା ସମ୍ବିଧାନର ମୁଖବନ୍ଧ ପାଠ କରାଇ ପ୍ରତ୍ୟେକଙ୍କୁ ସମ୍ବିଧାନୀୟ ମୂଲ୍ୟବୋଧ ପ୍ରତି ପୁନଃସମର୍ପିତ କରିଲେ। ବକ୍ତବ୍ୟ ଦେଇ ସେ ଡ଼. ଆମ୍ବେଡକରଙ୍କ ଦୂରଦୃଷ୍ଟି ନେତୃତ୍ୱରେ ବୃହତ୍ତମ ଲୋକତାନ୍ତ୍ରିକ ସମ୍ବିଧାନ ରଚନା ପ୍ରକ୍ରିୟାକୁ ସ୍ମରଣ କରିଥିଲେ। ସେ ସମ୍ବିଧାନକୁ ସମାନତା, ନ୍ୟାୟ ଏବଂ ସତ୍ୟର ଶକ୍ତିଶାଳୀ ଦିଗଦର୍ଶିକା ବୋଲି ବର୍ଣ୍ଣନା କରି, ନାଗରିକମାନଙ୍କୁ ସମ୍ବିଧାନ ପଢିବା ଏବଂ ଡ଼. ଆମ୍ବେଡକର ଭଳି ମହାନ ନେତାମାନଙ୍କ ପଥ ଅନୁସରଣ କରି ରାଷ୍ଟ୍ର ଗଠନ କରିବାରେ ସାମିଲ ହେବାକୁ ଆହ୍ୱାନ କରିଥିଲେ।
ପ୍ରଫେସର କୁମ୍ଭାର ସମ୍ବିଧାନକୁ ଜୀବନ୍ତ ଦଲିଲ୍ ବୋଲି ବର୍ଣ୍ଣନା କରି, ଏହାର ଗତିଶୀଳ ସ୍ୱଭାବ ଏବଂ ମୂଳ ଅଂଶ — ମୌଳିକ ଅଧିକାର, ନୀତିନିର୍ଦ୍ଦେଶକ ତତ୍ତ୍ୱ, ସ୍ୱାଧୀନତା ଓ ସାମାଜିକ ନ୍ୟାୟର ମୂଲ୍ୟ — ବିଷୟରେ ବିସ୍ତାରିତ ଆଲୋଚନା କରିଥିଲେ। ସେ ସମ୍ବିଧାନ ରାଷ୍ଟ୍ର ଓ ନାଗରିକଙ୍କ ମଧ୍ୟରେ ମଜବୁତ ସମ୍ପର୍କ ସୃଷ୍ଟିରେ ଯେଉଁ ଭୂମିକା ନେଉଛି, ତାହାକୁ ଉଲ୍ଲେଖ କରିଥିଲେ।
ଶ୍ରୀ ରାଓ ମଧ୍ୟ ସମ୍ବିଧାନର କିଛି ବିଶେଷତା ସମ୍ପର୍କରେ ଆଲୋଚନା କଲେ। ଏନଏସଏସ୍ ପ୍ରୋଗ୍ରାମ୍ କୋଓର୍ଡିନେଟର ଡ଼. ଅଞ୍ଜନେୟୁଲୁ ଥୋଟାପଲ୍ଲି କାର୍ଯ୍ୟକ୍ରମର ସମନ୍ୱୟ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ବହୁ ସଂଖ୍ଯାରେ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ଼. ଫଗୁନାଥ ଭୋଇ ଜଣାଇଛନ୍ତି ।