logo

ବାଲେଶ୍ଵରରେ ନିର୍ମଳ ରାଉତଙ୍କୁ ନାଟ୍ୟରୁଚି ସମ୍ମାନ ଓ ନାଟକ କଳାମଲ୍ଲୀ ମଞ୍ଚସ୍ଥ

ଦାମନଯୋଡ଼ି,୨୫/୧୧:ଓଡ଼ିଶାର ଅଗ୍ରଣୀ ନାଟ୍ୟସଂସ୍ଥା 'ନାୟିକା' ଦ୍ୱାରା ବାଲେଶ୍ଵରରେ ନଭେମ୍ବର ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ବିଂଶତମ ପ୍ରତିଷ୍ଠା ଦିବସ ଏବଂ ଅଷ୍ଟମ ନାୟିକା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅବସରରେ ଦାମନଯୋଡ଼ିର ପ୍ରଖ୍ୟାତ ଅଭିନେତା,ନିର୍ଦ୍ଦେଶକ ତଥା ମଞ୍ଚ ଉପସ୍ଥାପକ ନିର୍ମଳ କୁମାର ରାଉତଙ୍କୁ 'ନାଟ୍ୟରୁଚି ସମ୍ମାନ ୨୦୨୫'ରେ ସମ୍ମାନିତ କରାଯାଇଛି।ନାଲକୋରେ ସହାୟକ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ନିର୍ମଳ କୁମାର ରାଉତ ଏକାଧାରରେ ଜଣେ ମଞ୍ଚ ଅଭିନେତା,ନିର୍ଦ୍ଦେଶକ,ମଞ୍ଚ ଉପସ୍ଥାପକ, ବେତାର ନାଟକ କଳାକାର,ସାହିତ୍ୟିକ ଏବଂ କଣ୍ଠଶିଳ୍ପୀ ଭାବେ ବହୁମୁଖୀ କଳାର ଅଧିକାରୀ।ସର୍ବ ଭାରତୀୟ ସ୍ତରରେ ଦାମନଯୋଡ଼ିର ଏକମାତ୍ର କଳାକାର ଭାବେ ସେ ଶ୍ରେଷ୍ଠ ଅଭିନେତାର ପୁରସ୍କାର ଲାଭ କରିଥିବା ବେଳେ ବହୁବାର ସେ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଅଭିନେତାର ପୁରସ୍କାର ଲାଭ କରିଛନ୍ତି।ଦାମନଯୋଡ଼ିରେ ଦୀର୍ଘ ୨୦ ବର୍ଷ ଧରି ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ଆୟୋଜନ କରି ଆସୁଥିବା ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବର ସେ ସମ୍ପାଦକ ଭାବେ ଅବସ୍ଥାପିତ।ନାଟକ ପ୍ରତି ତାଙ୍କର ନିଷ୍ଠା ଏବଂ ସମର୍ପିତ ଭାବ ଯୋଗୁଁ ସେ ପୂର୍ବରୁ ବହୁ ସମ୍ବର୍ଦ୍ଧନା ପାଇଛନ୍ତି।ବାଲେଶ୍ଵର ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ୨୧ ତାରିଖ ଦିନ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ବାଲେଶ୍ୱରର ସୁପରିଚିତ ନାଟ୍ୟକାର ଉତ୍ତମ ଚାନ୍ଦ,ସମ୍ମାନିତ ଅତିଥି ଆଇନଜୀବି ସୁଧାଂଶୁ ଦାସ,ସାମ୍ବାଦିକା ସୁମନା ପରିଡା ଏବଂ ନାୟିକା,ବାଲେଶ୍ୱରର ନିର୍ଦ୍ଦେଶିକା ସୁସ୍ମିତା ରଣା ପ୍ରମୁଖ ପୁଷ୍ପଗୁଚ୍ଛ,ଉତ୍ତରୀୟ,ମାନପତ୍ର ଏବଂ ଫଳକ ପ୍ରଦାନ ପୂର୍ବକ ନିର୍ମଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ସମ୍ବର୍ଦ୍ଧନା ସହିତ ନିର୍ମଳ କୁମାର ରାଉତ ଓଡିଶା ନାଟ୍ୟ ସଙ୍ଘର କାର୍ଯ୍ୟ ନିର୍ବାହୀ କମିଟିର ସଦସ୍ୟ ଭାବେ ମନୋନୀତ ହୋଇ ଥିବାରୁ ସମଗ୍ର ଓଡ଼ିଶାର ନାଟ୍ୟକର୍ମୀ ମାନେ ତାଙ୍କୁ ଅଜସ୍ର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି।ନାୟିକା ଦ୍ୱାରା ଆୟୋଜିତ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ,ଦାମନଯୋଡ଼ିର କଳାକାରମାନେ ବହୁ ଚର୍ଚ୍ଚିତ ନାଟକ କଳାମଲ୍ଲୀ ପରିବେଷଣ କରିଥିଲେ,ଯାହାକି ଓଡ଼ିଶାର ବହୁ ମଞ୍ଚରେ ଅଭିନୀତ ହୋଇ ଭରପୁର ଦର୍ଶକାଦୃତି ଲାଭ କରିଛି।ନାଟକଟିକୁ ସୁଶାନ୍ତ କୁମାର ଦାସ ରଚନା କରିଥିବାବେଳେ ଶେଷଦେବ ଶତପଥି ନିର୍ଦ୍ଦେଶନା ଦେଇଛନ୍ତି।ସମସ୍ତ କଳାକାରଙ୍କ ନିଖୁଣ ଅଭିନୟ ନାଟକଟିକୁ ସର୍ବାଙ୍ଗ ସୁନ୍ଦର କରିବା ସହ ବାଲେଶ୍ୱରର ଗାନ୍ଧୀ ସ୍ମୃତି ଭବନରେ ଦର୍ଶକଙ୍କୁ ଅଭିଭୂତ କରିଥିଲା।

12
1301 views