logo

ଚାଷଜମିକୁ ପାର୍ଟ ପ୍ଲଟ କରି ରିଅଲ ଇଷ୍ଟେଟ ଉଦ୍ଦେଶ୍ଯ ରେ ବ୍ୟବହାର!

ଚାଷ ଜମି କୁ ପାର୍ଟ ପ୍ଲଟ କରି ରିଅଲ ଇଷ୍ଟେଟ ଉଦ୍ଦେଶ୍ୟରେ ବ୍ୟବହାର
କେନ୍ଦୁଝର ମାଷ୍ଟରପ୍ଲାନ ଅଂଚଳରେ ନିୟମ ଉଲ୍ଲଙ୍ଘନ ହୋଇ ଜମି ବିକ୍ରୀ।
------------------------------------------------
କେନ୍ଦୁଝର, ୨୪ା୧୧: କେନ୍ଦୁଝର ମାଷ୍ଟରପ୍ଲାନ ଅଂଚଳରେ ନିୟମ ଉଲ୍ଲଙ୍ଗନ ହୋଇ ବେଆଇନ ଭାବେ ପାର୍ଟ ପ୍ଲଟ କରାଯାଇ ଜମି ବିକ୍ରୀ ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ମାଷ୍ଟରପ୍ଲାନ ଅଂଚଳରେ ବାଇ-ପ୍ଲଟ ବା ପାର୍ଟ ପ୍ଲଟ ବିକ୍ରୀ ବନ୍ଦ ଥିଲେ ଚାଷ ଜମି କୁ ପାର୍ଟ ପ୍ଲଟ କରି ରିଅଲ ଇଷ୍ଟେଟ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି। ଟାଉନ ପ୍ଲାନିଂ ଏବଂ ପୌରପାଳିକା ନିକଟରୁ ଲେ ଆଉଟ ଆପ୍ରୁଭାଲ ନ ଆଣି ଚାଷ ଜମିକୁ ପ୍ଲଟିଂ କରି ଜମି କିଣା ବିକା ପଞ୍ଜିକରଣ କରାଯାଉଛି। ନିୟମ ଅନୁସାରେ ଯେଉଁ ପାର୍ଟ ପ୍ଲଟ ପଞ୍ଜିକରଣ ହେବ ତା’ର ଚାରି ପାଶ୍ୱର୍ର ସୀମା ବା ଚାରି ପାଶ୍ୱର୍ରେ କେଉଁ ଜମି ଅଛି ଦର୍ଶାଯିବ। ଚାଷ ଜମି ପାର୍ଟ ପ୍ଲଟ କରାଯାଇ ବିକ୍ରୀ ପରେ କ୍ରେତା ଓ ବିକ୍ରେତା ଉଭୟ ରିଅଲ ଇଷ୍ଟେଟ ପ୍ରକଳ୍ପ ଉଦ୍ଦେଶ୍ୟରେ ବ୍ୟବହାର କରାଯିବନି ବୋଲି ଘୋଷଣାନାମା ଦେବେ ଏବଂ ଏହି ଘୋଷଣାନାମା ସେଲ ଡିଡ୍‌ରେ ଯୋଡାଯିବ। ଏହାର ଏକ ନକଲ ମଧ୍ୟ ଅଫିସ କପି ହିସାବରେ ରଖାଯିବ। ମାତ୍ର ପଞ୍ଜିକରଣ ସମୟରେ ତାହା ଦର୍ଶାଯାଉନାହିଁ। ଚାଷ ଜମି ବିକ୍ରୀ ସମୟରେ ରିଅଲ ଇଷ୍ଟେଟ ପାଇଁ ବ୍ୟବହାର ହେଉନଥିବ ବୋଲି ଦର୍ଶାଇବାକୁ ପଡିବ। ମାତ୍ର ଅନେକ କ୍ଷେତ୍ରରେ ତାହା ସେଲଡିଡ୍ ସମୟରେ ସଠିକ୍ ଭାବେ ଯାଂଚ କରାଯାଉନଥିବା ଅଭିଯୋଗ ହୋଇଛି। ଚାଷ ଜମି ପାର୍ଟର୍ର୍ ପ୍ଲଟ କରି ବିକ୍ରୀ ହେଲେ ଏହାର କିସମ ପରିବର୍ତ୍ତନ ହେବ ନାହିଁ ବୋଲି ନିୟମ ରହିଛି। ରେଜେଷ୍ଟ୍ରି ବେଳେ ଘୋଷଣାନାମା ଦେବା ବାଧ୍ୟତାମୂଳକ। ସେହିପରି ଜମି ପଞ୍ଜିକରଣ କରୁଥିବା ଅଧିକାରୀ ପଞ୍ଜିକରଣ ବେଳେ ଜମିର ମ୍ୟାପ, ବାଉଣ୍ଡାରୀ, ପୋଷଣାନାମାକୁ ଯାଂଚ କରିବେ। କେନ୍ଦୁଝର ମାଷ୍ଟରପ୍ଲାନ ଅଂଚଳରେ ଗତ ୫ ବର୍ଷରେ ୬୮ଟି ମୌଜାରେ ୩୦୦ଏକରରୁ ଉର୍ଦ୍ଧ୍ୱ ଜମି ପ୍ଲଟିଂ ହୋଇ ବିକ୍ରୀ ହୋଇଛି। କୌଣସି ପ୍ଲଟେଡ ସ୍କିମ ୫୦୦ବର୍ଗ ମିଟର ରୁ ଅଧିକ ହୋଇଥିଲେ ଓରେରା ଅଧିନରେ ପଞ୍ଜୀକୃତ ହେବା ବିଧେୟ। ମାତ୍ର ଓରେରା ଠାରୁ ପଞ୍ଜିକରଣ ନ କରାଯାଇ ପ୍ଲଟିଂ କରି ଜମି ବିକ୍ରି ହେଉଛି। ଫଳରେ କ୍ରେତାମାନେ ନାନା ସମସ୍ୟାରେ ପଡୁଛନ୍ତି। ଜମି ବିକ୍ରୀ ସମୟରେ କବଲାରେ ରାସ୍ତା ନ ଦର୍ଶାଇ କେବଳ ପାର୍ଟ ପ୍ଲଟ ହେଉଛି। କ୍ରେତା ଜମି କିଣିବା ପରେ ଠକାମିରେ ପଡୁଛନ୍ତି। କେଉଁ ଠାରେ ୨୫ରୁ ୩୦ ଫୁଟ ରାସ୍ତା ଥିବା କହି ଜମି ବିକ୍ରୀ ହେଉଛି। କିନ୍ତୁ ପରେ ୧୦ ରୁ ୧୫ଫୁଟ ରାସ୍ତା ଦିଆଯାଉଛି। କବଲାରେ ରାସ୍ତା ଦର୍ଶାଯାଉ ନଥିବାରୁ କ୍ରେତା ମଧ୍ୟ ଏ ନେଇ ଆଇନଗତ ପଦକ୍ଷେପ ନେବାରେ ସମସ୍ୟା ହେଉଛି। ଗ୍ରୀନ ଜୋନ ଏବଂ ରେଡ ଜୋନ ରେ ଥିବା ଜମିକୁ ପ୍ଲଟିଂ କରି କାରଖାନା ବର୍ଜ୍ୟବସ୍ତୁ ପକାଇ ରାସ୍ତା କରାଯାଉଛି। ଯାହାକି ପରିବେଶ ପ୍ରଦୂଷଣ କରୁଛି। ଜାଗା କିଣିଥିବା ଲୋକମାନଙ୍କର ଘରବାଡି କିସମ ପରିବର୍ତ୍ତନ ହୋଇ ପାରୁନାହିଁ। ଘରବାଡି କିସମ ନଥିଲେ ଗୃହ ନିର୍ମାଣ ଋଣ ମିଳୁନାହିଁ। ଅନେକ ଲୋକ କିସମ ନ ବଦଳାଇ ଘର କରୁଥିବାରୁ ପରବର୍ତ୍ତୀ ସମୟରେ ସମସ୍ୟାରେ ପଡୁଛନ୍ତି। ଚାଷ ଜମିକୁ ପ୍ଲଟିଂ କରି ବିକ୍ରୀ କରାଯାଉଥିବାରୁ ବର୍ଷା ଦିନରେ ଜଳ ନିଷ୍କାସନରେ ସମସ୍ୟା କାରଣରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ମାଷ୍ଟର ପ୍ଲାନ ଅନୁସାରେ ଜମି କିଣାବିକା ପାଇଁ ୟେଲୋ ଜୋନ,ଗ୍ରୀନ ଜୋନ ଓ ରେଡ ଜୋନ ନିର୍ଦ୍ଧାରଣ କରାଯାଇଛି। ମାତ୍ର ଗ୍ରୀନ ଜୋନ ଓ ରେଡ ଜୋନରେ ପାର୍ଟ ପ୍ଲଟ କରାଯାଇ ଏକର ଏକର ଜମି ବିକ୍ରୀ ହେଉଛି। କେନ୍ଦୁଝର ସଦର ତହସିଲର ନିଜଗଡ, କିମିରିଡୋଲି, ରାଙ୍କି, ଗୁମୁରା, ମୁକୁନ୍ଦପୁର, ବ୍ରହ୍ମଣୀଗାଁ, ବାଁପାର, ବଣିଆପାଟ-ଖୁଣ୍ଟାପଡା, ନୂଆଗାଁ, ମାଳିଗାଁ, ଧୃର୍ପଦା, କାଶିପୁର-ବଳରାମପୁର,ବୋଦାପଳସା, ଗୋବିନ୍ଦପୁର, ଯମୁନାପଶି, ଘୁଟୁକେଶ୍ୱରୀ, ମଣ୍ଡୁଆ, ନରଣପୁର ଆଦି ମୌଜାରେ ପାର୍ଟ ପ୍ଲଟ ବେଧଡକ ଭାବେ ଚାଲିଛି। କେନ୍ଦୁଝର ମାଷ୍ଟରପ୍ଲାନ ଅଂଚଳରେ ବହୁ ବିଲଡର, ରିଏଲ ଇଷ୍ଟେଟ ଡେଭେଲେପର ମାନେ ଏକର ଏକର ଚାଷ ଜମି କିଣି ତାକୁ ପରେ ପ୍ଲଟିଂ କରି ବିକ୍ରୀ କରୁଛନ୍ତି। ନୂଆ ଏସଓପି ଅନୁସାରେ ଚାଷ ଜମିକୁ ପାର୍ଟ ପ୍ଲଟ କରି ବା ଭାଗ ଭାଗ କରି ବିକ୍ରୀ କଲେ ଏହାର କିସମ ପରିବର୍ତ୍ତନ ହେବ ନାହିଁ। ମାତ୍ର ଏ କ୍ଷେତ୍ରରେ ନିୟମ ଉଲ୍ଲଙ୍ଘନ ହୋଇ ଚାଷ ଜମିକୁ ଘରବାଡିରେ କିସମ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହାର ତଦନ୍ତ କଲେ କରି ପଦକ୍ଷେପ ନେବାକୁ ଦାବୀ ହୋଇଛି।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ, ମୋବାଇଲ: 9437627342

15
802 views