logo

_ଦେଶପ୍ରେମ, ନିଶାମୁକ୍ତ ଜୀବନ ଓ ଆଧ୍ୟାତ୍ମିକ ଶିକ୍ଷାର ମିଳନ ସଭା_

*ମସଜିଦ ତୌହିଦ ଠାରେ ସାତ ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ*
_ଦେଶପ୍ରେମ, ନିଶାମୁକ୍ତ ଜୀବନ ଓ ଆଧ୍ୟାତ୍ମିକ ଶିକ୍ଷାର ମିଳନ ସଭା_

ଢେଙ୍କାନାଳ (ପ୍ରତିନିଧି) ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅଞ୍ଚଳର ପବିତ୍ର ମସଜିଦ ତୌହିଦ ପ୍ରାଙ୍ଗଣରେ ଅହମଦିୟା ମୁସଲିମ ସମୁଦାୟ ଦ୍ୱାରା ଆୟୋଜିତ ସାତ ଦିବସୀୟ ପ୍ରଶିକ୍ଷଣ ଶିବିର କାଲି ସନ୍ଧ୍ୟାରେ ଧାର୍ମିକ ଓ ସାମାଜିକ ଉତ୍ସାହର ମଧ୍ୟରେ ସଫଳତାର ସହ ସମାପ୍ତ ହୋଇଯାଇଛି। ସମୁଦାୟର ସଭାପତି ସୁଲେମାନ ଅଲୀ ଖାଁ ଏହାର ସୂଚନା ଦେଇ କହିଛନ୍ତି ଯେ, ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ନବପିଢ଼ିକୁ ଧର୍ମ, ଦେଶ ଓ ମାନବତା ପ୍ରତି ଅଟୁଟ ଭକ୍ତି ଓ ଦାୟିତ୍ୱବୋଧର ପାଠ ପଢାଯାଇଛି।
ଉଦଯାପନୀ ସନ୍ଧ୍ୟାରେ ଆୟୋଜିତ ଧର୍ମ ସଭାରେ ସଭାପତି ସୁଲେମାନ ଅଲୀ ଖାଁ ପବିତ୍ର କୋରାନ ଆବୃତ୍ତି ପରେ ନିଜ ଅନୁଭବ ସହିତ ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧିତ କରି କହିଥିଲେ —
ଏହି ପିଢ଼ି ଆମର ଭବିଷ୍ୟତ୍। ସେମାନେ ଯଦି ଧର୍ମ, ଦେଶ ଓ ମାନବତାର ସତ୍ପଥେ ଚାଲନ୍ତି, ତେବେ ଆମ ସମାଜ ଶାନ୍ତି ଓ ସୁନୀତିର ଆଦର୍ଶ ହେବ।”
ସେ ପ୍ରଶିକ୍ଷଣରେ ଯୋଗଦେଇଥିବା ସମସ୍ତ ଶିଶୁ, କିଶୋର ଓ ଯୁବକମାନଙ୍କୁ ଧନ୍ୟବାଦ ଜଣାଇ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଓ ଇସଲାମୀୟ ମୂଲ୍ୟବୋଧର ପ୍ରତି ଅଟୁଟ ଅନୁସରଣର ଆଶୀର୍ବାଦ ଦେଇଥିଲେ।
ପ୍ରଶିକ୍ଷଣ ଶିବିରକୁ ମୌଲବୀ ଜଲାଲ ଉଦ୍ଦିନ ଖାଁ ଓ ମୌଲବୀ ମୁଜାଫର ଖାଁ ସଂଚାଳନ କରିଥିଲେ। ସେମାନେ ପବିତ୍ର କୋରାନର ସଠିକ୍ ଉଚ୍ଚାରଣ ଓ ଅର୍ଥାନୁବାଦ ସହିତ ଇସଲାମର ମୂଳ ଶିକ୍ଷା ନୀତି, ଦୟା ଓ ଦେଶପ୍ରେମ — ଉପରେ ଗଭୀର ଆଲୋଚନା କରିଥିଲେ।
ପ୍ରଶିକ୍ଷଣର ଏକ ବିଶେଷ ଅଂଶ ଥିଲା “ନିଶା ଦ୍ରବ୍ୟରୁ ଦୂର ରହିବା ଓ ସ୍ୱସ୍ଥ ସମାଜ ଗଠନ” ଉପରେ ଅଧିବେଶନ। ଯୁବ ଅଂଶଗ୍ରାହୀମାନଙ୍କୁ ବିସ୍ତାରରେ ମାର୍ଗ ଦର୍ଶନ କରାଯାଇଥିଲା।
ସେହି ସହିତ ପ୍ରଶିକ୍ଷଣ ଶିବିରରେ “ଇସଲାମ ଓ ବିଜ୍ଞାନର ଅବିଚ୍ଛିନ୍ନ ସମ୍ପର୍କ”, “ଖିଲାଫତ ଅହମଦିୟାର ମହତ୍ତ୍ୱ” ଓ “ପୈଗମ୍ବର ହଜରତ ମୁହମ୍ମଦ (ସ.) ଙ୍କ ପବିତ୍ର ଜୀବନୀ” ଉପରେ ଆଧାରିତ ବିଭିନ୍ନ ପାଠ ଓ ଆଲୋଚନା ସଭା ହୋଇଥିଲା।
ଶାରୀରିକ ଦୃଢତା ଓ ଶିଷ୍ଟାଚାର ବୃଦ୍ଧି ପାଇଁ ବିଭିନ୍ନ କ୍ରିଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଉଦଯାପନୀ ଅବସରରେ ସମସ୍ତ ଅଂଶଗ୍ରାହୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ମୌଲବୀ ଜଲାଲ ଉଦ୍ଦିନ ଓ ମୌଲବୀ ମୁଜାଫର ଖାଁଙ୍କ ସହ ଅହମଦିୟା ଯୁବ ସଂଗଠନର ଅଧ୍ୟକ୍ଷ ଶେଖ୍ ଜହୀର, ପୂର୍ବତନ ଯୁବ ସଭାପତି ମହମୁଦ ଖାଁ, ଭାରତୀୟ ସେନାର ଜବାନ ତୋରାବ ଖାଁ,ସୋଲେମାନ ଖାଁ,ଜକାତୁଲ୍ଲାହ୍ ଖାଁ, ଅସକର ଉଦ୍ଦିନ, ମହିଳା ସଭାନେତ୍ରୀ ଅମତୁଲ କୁବରା, ନୁସରାତୁନ ବେଗମ, ସୁକାତୁନ ବେଗମ ଓ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ସକ୍ରିୟ ଭାବେ ଯୋଗଦେଇ ପ୍ରଶିକ୍ଷଣ ଶିବିରକୁ ସାଫଲ୍ୟମଣ୍ଡିତ କରିଥିଲେ।
ସମାପନ ଅବସରରେ ସଭାପତି ସୁଲେମାନ ଅଲୀ ଖାଁ କହିଥିଲେ - ଏହି ପ୍ରଶିକ୍ଷଣ ଶିବିର କେବଳ ଧର୍ମ ଶିକ୍ଷା ନୁହେଁ, ଏହା ହେଉଛି ଏକ ନୈତିକ ଆନ୍ଦୋଳନ। ଯେଉଁଠି ଯୁବ ପିଢ଼ି ଦେଶପ୍ରେମ, ନୀତି, ସେବା ଓ ନିଶାମୁକ୍ତ ଜୀବନ ପଥରେ ଚାଲି ଆଗାମୀ ଭାରତକୁ ଶାନ୍ତି ଓ ପ୍ରଗତିର ଆଦର୍ଶ ରୂପେ ଗଢ଼ି ତୋଳିବ।

2
100 views