ବିପ୍ଳବ ର ଅଗ୍ନିଶିଖା
ବିପ୍ଳବର ଅଗ୍ନିଶିଖା
----------------
ବୟସରେ ସିନା ସାନ ଥିଲ ତୁମେ କାମ କଲ ବଡ଼ ପରି
ବାର ବରଷର କଅଁଳ ଛାତିକୁ ଦେଶ ପାଇଁ ଦେଲ ଚିରି |
ପ୍ରଜା ମଣ୍ଡଳର ଆହ୍ୱାନ ବଳେ ଜାଗ୍ରତ ଦେଶ ପ୍ରେମ
ବାଳୁତ ବୟସ ବାଜି ଲଗେଇଲ ଧନ୍ୟ ତୁମ 'ବାଜି' ନାମ ||
ମାନିଲନି ଗୋରା ଫଉଜଙ୍କୁ ପଛେ ଖାଇଲ ବନ୍ଧୁକ ଗୁଳି
ନିତି ଯେଉଁ ସ୍ଥାନେ ବାଲି ଖେଳୁଥିଲ ସେଇଠି ପଡିଲ ଟଳି |
ବ୍ରାହ୍ମଣୀର ସ୍ରୋତ ସ୍ତବ୍ଧ ହୋଇଲା ପଡିଲା ଉଠିଲା ଦେଶ
ଖାନନଗରର ମଶାଣି ଭୂଇଁରେ ଉଡିଲା ଚିତା ପାଉଁଶ ||
କ୍ଷୟ ହୋଇଗଲା ଦେହ ଟିଏ ସିନା ଅକ୍ଷୟ ହେଲା କର୍ମ
ବିଶ୍ୱ ଦେଖିଲା ବାଳୁତ ବୀରଙ୍କୁ ପଢିଲା ବୀରର ଧର୍ମ |
ମୃତ୍ୟୁକୁ ତୁମେ ଆଲିଙ୍ଗନ କଲ ନୁଆଇଁଲ ନାହିଁ ମଥା
ସ୍ୱାଧୀନ ଭାରତ ସେଥିପାଇଁ ଆଜି ଗାଉଛି ତୁମର ଗାଥା ||
ତୁମେ ଏ ମାଟିର ଗର୍ବ ଗୌରବ ବିପ୍ଳବର ଅଗ୍ନିଶିଖା
ତୁମରି ରକ୍ତରେ ଭାରତ ଛାତିରେ ସ୍ୱାଧୀନ ଶବ୍ଦଟି ଲେଖା ||