
ସ୍ବଧର୍ମ ଏବଂ ପରଧର୍ମ ସମ୍ବନ୍ଧରେ ଜାଣିବା ଉଚିତ୍!
ସ୍ବଧର୍ମ ଏବଂ ପରଧର୍ମ ସମ୍ବନ୍ଧରେ ଜାଣିବା ଉଚିତ୍!
ଶ୍ରେୟାନ୍ ସ୍ବଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ବନୁଷ୍ଠିତାତ୍।
ସ୍ବଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ।।
(ଶ୍ରୀ.ମ.ଭ.ଗୀତା:୩/୩୫)
ଭାବାର୍ଥ: ଉତ୍ତମ ଆଚରଣ ସହିତ ପାଳିତ ହେଉଥିବା ଅନ୍ୟର ଧର୍ମ ଠାରୁ ଗୁଣ ରହିତ ହେଲେ ମଧ୍ୟ ସ୍ବଧର୍ମ ଅଧିକ ମଙ୍ଗଳକର। ନିଜ ଧର୍ମରେ ମରିବା ମଧ୍ଯ କଲ୍ୟାଣକର କିନ୍ତୁ ଅନ୍ୟର ଧର୍ମ ଭୟାବହ।(ଗୀତା:୩/୩୫)
ଆଜିର ଆଧ୍ଯାତ୍ମିକ ଚିନ୍ତନ ରେ ଶ୍ରୀମଦ୍ଭଗବଦ୍ଗୀତା ରୁ ଗୋଟିଏ ଶ୍ଳୋକ ମାଧ୍ୟମରେ ସଂକ୍ଷେପରେ କିଛି ବର୍ଣ୍ଣନା କରାଯାଇଛି। ପବିତ୍ର ଶ୍ରୀମଦ୍ଭଗବଦ୍ଗୀତା ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟବାଣୀ, ତେଣୁ ଏଥିରେ କୌଣସି ପ୍ରକାରର ସନ୍ଦେହ ଅନାବଶ୍ଯକ। ପବିତ୍ର ଗୀତାରେ ସମୁଦାୟ ସାତଶହ ଶ୍ଳୋକ ଉଲ୍ଲେଖ ରହିଛି। ଅଠରଗୋଟି ଅଧ୍ୟାୟରେ ବିସ୍ତାର କରି ସରଳତାର ସହିତ ବ୍ୟାଖ୍ୟା କରାଯାଇଛି। ଯେକୌଣସି ବ୍ଯକ୍ତି ଶ୍ରଦ୍ଧା, ବିଶ୍ବାସ ଓ ଭକ୍ତିଭାବ ସହିତ ଏହି ପବିତ୍ର ଗୀତା ଗ୍ରନ୍ଥ ଅଧ୍ୟୟନ କଲେ, ସେ ନିଜକୁ ନିଜେ ଉଦ୍ଧାର କରିବାକୁ ସମର୍ଥ ହେବ, ଏଥିରେ ଦ୍ବିମତ ହେବାର ନାହିଁ।
ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟବାଣୀ ସ୍ପଷ୍ଟ ପ୍ରକାଶ କରିଅଛି ଯେ, ସ୍ବଧର୍ମ ଏବଂ ପରଧର୍ମ ସମ୍ବନ୍ଧରେ ପରିଣାମ ଭୋଗିବାକୁ କୁହାଯାଇଛି। ବର୍ତ୍ତମାନ ସଂକ୍ଷିପ୍ତ ଭାବରେ ସ୍ବଧର୍ମ ବାବଦରେ ଉଲ୍ଲେଖ କରିବା। ସ୍ବ ଅର୍ଥ ନିଜର ବାସ୍ତବ ସ୍ବରୂପ ଅର୍ଥାତ୍ ଆତ୍ମାକୁ ଜାଣିବା ଏବଂ ତଦନୁସାରେ ଆତ୍ମ ଧର୍ମ ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି। ପରଧର୍ମ ଅର୍ଥାତ୍ ଅନ୍ୟର ଧର୍ମ ପାଳନ, ତଦ୍ବାରା ନିଜର ଅଧପତନ ସୁନିଶ୍ଚିତ ହେବ ବୋଲି ଭଗବାନ ଶ୍ରୀକୃଷ୍ଣଙ୍କ ସ୍ପଷ୍ଟ କରିଦେଇଛି। ଏପରିକି ନିଜର ପଞ୍ଚ ଭୌତିକ ଶରୀର ତଥା ସମସ୍ତ ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ, ଅନ୍ତକରଣ ଚତୁଷ୍ଟୟ ଅର୍ଥାତ୍ ମନ, ବୁଦ୍ଧି, ଚିତ୍ତ, ଅହଂକାର ଏସବୁ ମଧ୍ଯ ନିଜର ନୁହେଁ। ମ୍ରୁତ୍ୟୁ ବରଣ କରିବା ପରେ ସମସ୍ତେ ପ୍ରକ୍ରୁତିରେ ବିଲୀନ ହୋଇଯିବେ କିନ୍ତୁ ସେହି ଶରୀରରେ ନିବାସ କରୁଥିବା ଜୀବାତ୍ମା ଉଦ୍ଧାର ହେବନାହିଁ। କାରଣ ନିଜର ଅର୍ଜିତ କର୍ମର ଫଳ ଭୋଗିବାକୁ ପୁନର୍ବାର ନୂତନ ଏକ ରୂପଧାରଣ କରିବା ପାଇଁ ଚେଷ୍ଟା ଜାରି ରଖିବ। ଏସମ୍ପର୍କରେ ମଧ୍ଯ ସନାତନ ଧର୍ମଶାସ୍ତ୍ର ଗୁଡିକରେ ବିସ୍ତାର କରି ବର୍ଣ୍ଣନା କରାଯାଇଛି। ତେଣୁ ଅନ୍ୟର ଧର୍ମ ଏବଂ ନିଜର ମନଇଚ୍ଛା ପରିଚାଳିତ ଶରୀରର ଧର୍ମକୁ ମଧ୍ଯ ପରଧର୍ମ ବୋଲି ବୁଝିବା ଉଚିତ୍।
ଯଦି ନିଜେ ନିଜକୁ ଜନ୍ମ ଓ ମ୍ରୁତ୍ୟୁର ଚକ୍ରବ୍ୟୁହରୁ ସବୁଦିନ ପାଇଁ ଉଦ୍ଧାର କରିବାକୁ ଇଚ୍ଛା ରହିଛି। ତେବେ ଶାସ୍ତ୍ର ପ୍ରଦର୍ଶିତ ମାର୍ଗ ଅନୁସରଣ କରିବାକୁ ହେବ। ନଚେତ୍ ମନୁଷ୍ଯ ଜନ୍ମର ମହତ୍ତ୍ବ ଓ ଆତ୍ମାର ସତ୍ଯତା ଜାଣିବା ପାଇଁ ପୁନର୍ବାର ସୁଯୋଗ ମିଳିବା ସହଜ ନୁହେଁ! ସବୁବେଳେ ଗୋଟିଏ କଥା ସ୍ମରଣ ରହିବା ଉଚିତ୍ ଯେ, ଭଗବାନ ହିଁ କେବଳ ସତ୍ଯ ଅଟନ୍ତି। ବାକିସବୁ ସଚରାଚର ଜଗତରେ ଯାହାକିଛି ଦେଖିବାକୁ ମିଳୁଅଛି, ସେସବୁ ପରିବର୍ତ୍ତନଶୀଳ ଏବଂ ବିନାଶ ସୁନିଶ୍ଚିତ ହେବ। କେବଳ ଭଗବାନ ହିଁ ଅବିନାଶୀ, ତାଙ୍କୁ ଆତ୍ମା ସ୍ବରୂପ ବୋଲି ମଧ୍ଯ ସମ୍ବୋଧନ କରାଯାଇଛି। ବେଳଥାଉ ଥାଉ ସ୍ବଧର୍ମ ଏବଂ ପରଧର୍ମ ସମ୍ବନ୍ଧରେ ସଚେତନ ହେବା ନିତାନ୍ତ ଆବଶ୍ଯକତା ରହିଛି। ନଚେତ୍ ନିଜ ଅର୍ଜିତ କର୍ମର ଫଳ ଭୋଗିବାକୁ ପ୍ରସ୍ତୁତ ରହିଥିବ। ଯାହାର ଜନ୍ମ ହୋଇଛି, ତାଙ୍କର ମ୍ରୁତ୍ୟୁ ନିଶ୍ଚିତ ହେବ। ତାପରେ ପୁନର୍ବାର ନୂତନ ରୂପଧରଣ କରିବା ପାଇଁ ଜନ୍ମ ଗ୍ରହଣ କରିବା ପାଇଁ ବାଧ୍ଯ ହେଉଥିବ। ଆତ୍ମାର ଜନ୍ମ ହୁଏ ନାହିଁ କି ମ୍ରୁତ୍ୟୁ ମଧ୍ଯ ହୁଏ ନାହିଁ। କିନ୍ତୁ ଭ୍ରମରେ ପଡି ବ୍ରହ୍ମଙ୍କୁ ନ ଜାଣିବା ହିଁ ସ୍ବଧର୍ମ ଏବଂ ପରଧର୍ମ ମଧ୍ୟରେ ପାର୍ଥକ୍ଯ ରହିଛି। ଯାହା ଫଳରେ ଜୀବାତ୍ମା ନିଜକୁ ନିଜେ ଉଦ୍ଧାର କରିବାକୁ ସକ୍ଷମ ହୋଇପାରେ ନାହିଁ।