
କୋରାପୁଟ ଜିଲ୍ଲାର କୋରାପୁଟ ବ୍ଲକ ଅନ୍ତର୍ଗତ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରଶାସନର ଅଣଦେଖା, ରୋଗୀ ହନ୍ତସନ୍ତ , ତୁରନ୍ତ ପ୍ରତିକାର ଦାବୀ
କୋରାପୁଟ/ଦାମନଯୋଡି,୨୩।୮।୨୦୨୫(ନଳିନୀ କାନ୍ତ ସେନାପତି): କୋରାପୁଟ ଜିଲ୍ଲାର କୋରାପୁଟ ବ୍ଲକ ଅନ୍ତର୍ଗତ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନେକ ଅବ୍ୟବସ୍ଥା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ୩ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୨୦ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କୋରାପୁଟ ବ୍ଲକ ସମେତ ଆଖପାଖ ବ୍ଲକର ପ୍ରାୟ ୧୫ଟି ଗ୍ରାମ ପଞ୍ଚାୟତର ୭୦ହଜାର ଲୋକ ନିର୍ଭର କରନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଅତି କମରେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଜଣେ ଶିଶୁ ରୋଗ ବିଶେଷଜ୍ଞ, ଜଣେ ଭେଷଜ ବିଶେଷଜ୍ଞ, ଜଣେ ଅସ୍ତ୍ରୋପଚାର ବିଶେଷଜ୍ଞ, ଜଣେ ଦନ୍ତ ଚିକିତ୍ସକ ରହିବା କଥା। କିନ୍ତୁ ଦୁଃଖର ବିଷୟ ଦୀର୍ଘ ବର୍ଷ ଧରି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇନାହିଁ। ବିଶେଷଜ୍ଞ ଡାକ୍ତରଙ୍କ ପାଇଁ ନା ଅଛି ସ୍ଵତନ୍ତ୍ର କକ୍ଷ ନା ଅଛି କୌଣସି ଚିକିତ୍ସା ଉପକରଣ। ଏଠାରେ ୧୦ ଜଣ ଡ଼ାକ୍ତରଙ୍କ ମଧ୍ୟରୁ ବର୍ତ୍ତମାନ ୭ଜଣ ଏମବିବିଏସ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଏହି ୭ଜଣ ମଧ୍ୟରୁ ବି ଦୁଇ ଜଣ କନଟ୍ରାଚୁଆଲ ଡାକ୍ତର। ଗର୍ଭବତୀ ମହିଳାଙ୍କ ପରୀକ୍ଷା ପାଇଁ ଗତ ଜୁଲାଇ ୧୫ ତାରିଖରେ ଏଠାରେ ଏକ ଅଲଟ୍ରା ସାଉଣ୍ଡ ମେସିନ ଲଗାଯାଇଛି। କିନ୍ତୁ କୌଣସି ପୂର୍ଣ୍ଣ କାଳୀନ ସ୍ତ୍ରୀ ଓ ପ୍ରସୂତି ଗୋଗ ବିଶେଷଜ୍ଞ ଡାକ୍ତରଙ୍କୁ ଏ ପଯ୍ୟନ୍ତ ନିଯୁକ୍ତି ଦିଆଯାଇନାହିଁ। କେବଳ ପ୍ରତି ମଙ୍ଗଳବାର ଦିନ ସକାଳ ୯ଟାରୁ ଅପରାହ୍ନ ୧ଟା ପଯ୍ୟନ୍ତ ଏଠାରୁ ୬୫ କି ମି ଦୂର ଜୟପୁର ଡିଡିଏଚ ରୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ କୁମାର ରଥଙ୍କୁ ଆସି ଏଠାରେ କାର୍ଯ୍ୟ କରିବାକୁ ଆଦେଶ ଦିଆଯାଇଛି। ଯଦି ସେହି ସମୟ ମଧ୍ୟରେ ବିଦୁତ୍ ସଂଯୋଗ ଠିକ୍ ରହେ ତେବେ ସେ ସେହି ସମୟ ମଧ୍ୟରେ ସର୍ବାଧିକ ୩୦ ଜଣ ଗର୍ଭବତୀ ମହିଳାଙ୍କ ଅଲଟ୍ରା ସାଉଣ୍ଡ ପରୀକ୍ଷା କରିପାରିବେ। ଏଠାରେ ପ୍ରତି ମଙ୍ଗଳବାର ଦିନ ବହୁ ଦୂର ଦୁରାନ୍ତରୁ ଅନେକ ଗର୍ଭବତୀ ମହିଳାଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି। ସୀମିତ ମହିଳାଙ୍କ ଗର୍ଭ ପରୀକ୍ଷା ହେଉଥିବାରୁ ଅନେକ ଗର୍ଭବତୀ ମହିଳା ଗର୍ଭ ପରୀକ୍ଷା କରିବାର ସୁଯୋଗ ନ ପାଇ ଦୁଃଖରେ ଫେରୁଥିବାର ଦେଖାଯାଇଛି। ଗର୍ଭବତୀ ମହିଳାମାନେ ଧାଡ଼ିରେ ଛିଡ଼ାହେବା ପାଇଁ ସେମିତି କିଛି ବିଶେଷ ସୁବିଧା ନାହିଁ। ଔଷଧ ବିତରଣ କାଉଣ୍ଟର ଆଗରେ ଧାଡ଼ିରେ ଛିଡ଼ା ହେବା ପାଇଁ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ରହିଛି ଖୋଲା ସ୍ଥାନ। ଖରା କିମ୍ବା ବର୍ଷା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହି କାଉଣ୍ଟର ଆଗରେ ଖୁବ୍ ଶୀଘ୍ର ଛପର ବ୍ୟବସ୍ଥା କରାଯିବ ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼ାଃ ସୁମନ କୁମାର ଟପ୍ନୋ କହିଛନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ତଃ ବିଭାଗ ରୋଗୀଙ୍କ ପାଇଁ ଅତି କମରେ ୩୦ଟି ବେଡ୍ ରହିବା କଥା କିନ୍ତୁ ଏଠାରେ ରହିଛି ମାତ୍ର ୧୬ଟି ବେଡ୍। ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉ ନାହିଁ। ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ୨୦୦୭ ମସିହା ପଯ୍ୟନ୍ତ ନାଲକୋ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଇ ଆସୁଥିଲା। ତା' ପର ଠାରୁ ଟିପିଏସଓଡିଏଲ୍ ବିଦ୍ୟୁତ୍ ଯୋଗାଇ ଆସୁଛି। ଦୀର୍ଘ ସମୟ ଧରି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେଲେ ଜେନେରେଟର କାର୍ଯ୍ୟ କରୁନାହିଁ। ଫଳରେ କୋଲ୍ ଚେନ୍ ପଏଣ୍ଟ, ଲବର୍ ରୁମ୍, ଇନଡୋର ଇତ୍ୟାଦି ଅନ୍ଧାର ରହୁଛି। ବିଶେଷତଃ ଏହା କୋଲ୍ଡ ଷ୍ଟୋରେଜରେ ରହୁଥିବା ଔଷଧର ତାପମାତ୍ରା ପରିଚାଳନାରେ ବହୁତ ପ୍ରଭାବ ପଡୁଛି। ପୂର୍ବପରି ନାଲକୋ ପକ୍ଷରୁ ବିଦ୍ୟୁତ୍ ଯୋଗାଣ କରାଗଲେ ଏହି ସମସ୍ୟା ଆଉ ରହିବ ନାହିଁ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି। ଗତ ୨୦୨୩ ମସିହା ଗଣତନ୍ତ୍ର ଦିବସରେ ନାଲକୋ ସିଏମଡି ଶ୍ରୀଧର ପାତ୍ର ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତି କରଣ ନିମିତ୍ତ ୫କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ ଏବଂ ତନ୍ମଧ୍ୟରୁ ଅଗ୍ରୀମ ଆକାରରେ ୧କୋଟି ଟଙ୍କା ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ ଡ଼ାଃ ଅରୁଣ କୁମାର ପାଢ଼ୀଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଅନୁଦାନ ଅର୍ଥ ଏ ପଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଖର୍ଚ୍ଚ ହୋଇଛି କି ନାହିଁ ଏ ବିଷୟରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ନିକଟରେ କୌଣସି ସୂଚନା ନାହିଁ। ତେଣୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ପୂର୍ଣ୍ଣ କାଳୀନ ସମସ୍ତ ବିଶେଷଜ୍ଞ ଡାକ୍ତରଙ୍କ ନିଯୁକ୍ତି, ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ, ବିଶେଷଜ୍ଞ ଡାକ୍ତରଙ୍କ ପାଇଁ ସ୍ବତନ୍ତ୍ର କକ୍ଷ ସହ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଣ, ଇନଡୋର ବେଡ୍ ସଂଖ୍ୟା ବୃଦ୍ଧି ସହ ନାଲକୋ ଅନୁଦାନ ଅର୍ଥ ବିନିଯୋଗର ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।