logo

ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ଯୁବ ପର୍ବତାରୋହୀ ଆଶୀର୍ବାଦ (ଅନୁପ) ମହାପାତ୍ର ଆଜି ଆଫ୍ରିକାର ସର୍ବୋଚ୍ଚ ଶିଖର କିଲିମାଞ୍ଜାରୋ ଅଭିମୁଖେ ଯାତ୍ରା କରିଛନ୍ତି

ଦେଶ ପାଇଁ ନୂଆ ଇତିହାସ ରଚିବେ ଜଣେ ବରଗଡ଼ିଆ 🔥

ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ଯୁବ ପର୍ବତାରୋହୀ ଆଶୀର୍ବାଦ (ଅନୁପ) ମହାପାତ୍ର ଆଜି ଆଫ୍ରିକାର ସର୍ବୋଚ୍ଚ ଶିଖର କିଲିମାଞ୍ଜାରୋ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ପହଞ୍ଚି ସେ ତାଞ୍ଜାନିଆର କିଲିମାଞ୍ଜାରୋ ପର୍ବତ (୫,୮୯୫ ମିଟର) ଆରୋହଣ କରିବେ।
ଆଶୀର୍ବାଦଙ୍କ ଟିମ୍‌ରେ ଲଣ୍ଡନ, ଆମେରିକା, ଇରାନ, ବ୍ରାଜିଲ, ଜର୍ମାନୀ, ରୁଷ, ସାଉଦି ଆରବ ଓ ଦୁବାଇର ପର୍ବତାରୋହୀମାନେ ଅଛନ୍ତି। ଏହି ଅଭିଯାନରେ ଭାରତର ଏକମାତ୍ର ପ୍ରତିନିଧି ଭାବେ ବରଗଡ଼ରୁ ଆଶୀର୍ବାଦ ମନୋନୀତ ହୋଇଛନ୍ତି। କାଶ୍ମୀରର ପହଲଗାମସ୍ଥିତ ଜବାହର ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନିୟରିଂରୁ ସେ ତାଲିମ ଗ୍ରହଣ କରିଛନ୍ତି ଏବଂ ଏହି ଅଭିଯାନ ପାଇଁ ମନୋନୀତ ହୋଇଛନ୍ତି।
ଏହା ପୂର୍ବରୁ ସେ ଟାଟାକୋଠି, ହରମୁଖ, ତ୍ରିଶୂଳ, ନୀଳକଣ୍ଠ, ସନସେଟ, ଗୋଲ୍ଡ ଟପ, ଟେବୁଲ ଟପ ଓ ସ୍କିଫିଲେଡି ମାଉଣ୍ଟେନ ଆଦି ଦୁର୍ଗମ ଶିଖର ଆରୋହଣ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ବର୍ତ୍ତମାନ ସେ ତାଞ୍ଜାନିଆର କିଲିମାଞ୍ଜାରୋ ପର୍ବତ (୫,୮୯୫ ମିଟର) ଆରୋହଣ ପାଇଁ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ହେଉଛନ୍ତି। ଜବାହର ଇନଷ୍ଟିଚ୍ୟୁଟର କ୍ୟାପଟେନ ସୌକତ ଅଲିଙ୍କ ତତ୍ତ୍ୱାବଧାନରେ ଆଶୀର୍ବାଦ ଏହି ଦୁଃସାହସିକ ଅଭିଯାନରେ ଅଂଶଗ୍ରହଣ କରିବେ।
ଆଶୀର୍ବାଦ କହିଛନ୍ତି, “ପର୍ବତାରୋହଣ ମୋର ବାଲ୍ୟକାଳର ସ୍ବପ୍ନ ଥିଲା, ଆଉ ଏବେ ମୁଁ ତାହା ଜିଉଁଛି।” ସେ ଭାରତର ଆଗାମୀ ପିଢ଼ିଙ୍କୁ ପର୍ବତାରୋହଣ ବିଷୟରେ ଅବଗତ କରାଇବା ଏବଂ ଆବଶ୍ୟକ ସ୍ଥଳେ ଉପଯୁକ୍ତ ତାଲିମ ପ୍ରଦାନ କରି ଭାରତର ନାମ ବିଶ୍ୱ ଦରବାରରେ ଉଜ୍ଜ୍ୱଳ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଶୀର୍ବାଦଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି।

1
2638 views