logo

ବିଶ୍ୱ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁରରେ ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ ବୈଷୟିକ ଅଧିକାରୀ

ଦାମନଯୋଡ଼ି,୨୭/୦୭: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ଅଗଷ୍ଟ ମାସ ୧୦ତାରିଖରେ ବିଶ୍ୱ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି।ଏହି ମର୍ଯ୍ୟାଦା ସମ୍ପନ୍ନ ପ୍ରତିଯୋଗିତାରେ ଭାରତୀୟ ଦୌଡ଼କୁଦ ସଂଘ(ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ)ପକ୍ଷରୁ ଦାମନଯୋଡ଼ି ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିରର ଶାରୀରିକ ଶିକ୍ଷା ଶିକ୍ଷକ ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁଙ୍କୁ ବୈଷୟିକ ଅଧିକାରୀ ଭାବରେ ନିଯୁକ୍ତି ଦିଆଯାଇଛି।ସେ ଏହି ପ୍ରତିଯୋଗିତାରେ ଭାରତୀୟ ବୈଷୟିକ ଅଧିକାରୀ ଭାବରେ କାର୍ଯ୍ୟ ସମ୍ପାଦନ କରିବେ।୧୦ରୁ ଉର୍ଦ୍ଧ୍ବ ଦେଶରୁ ପ୍ରାୟ ୧୫୦ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେବେ।ଭାରତରେ ତଥା ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ବିଶ୍ବସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହେଉଛି।ଡ଼ଃ ସ୍ୱାଇଁ ଏହା ପୂର୍ବରୁ ବହୁତ ଜାତୀୟ ସ୍ତର ପ୍ରତିଯୋଗିତା,ଖେଲୋ ଇଣ୍ଡିଆ,ନ୍ୟାସନାଲ ଗେମ୍ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାକୁ ଦକ୍ଷତାର ସହ ପରିଚାଳନା କରିଛନ୍ତି।ଡ଼ଃ ସ୍ୱାଇଁଙ୍କ ସଫଳତା କାମନା କରି ବିଦ୍ୟା ମନ୍ଦିର ପରିଚାଳନା କମିଟି ସମ୍ପାଦକ ଡ଼ଃ ଚିତ୍ତରଞ୍ଜନ ମିଶ୍ର,ଅଧ୍ୟକ୍ଷ ଡ଼ଃ ଶୁଭ୍ରାଂଶୁ ଶେଖର ବାହିନୀପତି,ଭାରପ୍ରାପ୍ତ ଉପାଧ୍ୟକ୍ଷ ପ୍ରଦୀପ କୁମାର ଜଗତୀଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀ,କ୍ରୀଡା ପ୍ରେମୀ ସାଧୁବାଦ ଓ ଶୁଭକାମନା ଜ୍ଞାପନ କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ ଡ଼ଃ ସ୍ୱାଇଁ ଦାମନଯୋଡିରୁ ୭ତାରିଖରେ ଭୁବନେଶ୍ୱର ଯାଇ ଅନ୍ୟ ବୈଷୟିକ ଅଧିକାରୀଙ୍କ ସହ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।
ଉଲ୍ଲେଖନୀୟ ଏହି ବିଶ୍ୱ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ଲେବୁଲ୍ ପ୍ରତିଯୋଗିତାରେ ମୋଟ ୨୦ ଇଭେଣ୍ଟ୍ ଖେଳାଯିବ।୧୦୦,୨୦୦,୪୦୦,୮୦୦ ମିଟର୍ ଓ ୪ ଗୁଣା ୪୦୦ ମିଟର୍ ରିଲେ,ଲଙ୍ଗ୍‌ଜମ୍ପ୍‌,ଜାଭଲିନ୍‌ ଥ୍ରୋ ଆଦି ରେ ଉଭୟ ପୁରୁଷ ମହିଳା ଇଭେଣ୍ଟ୍‌ ଖେଳାଯିବ।ପୁରୁଷ ବିଭାଗରେ ମଧ୍ୟ ୫୦୦୦ ମିଟର ଦୌଡ଼,ଟ୍ରିପଲ୍ ଜମ୍ପ୍‌, ଓ ମହିଳା ବିଭାଗରେ ୧୫୦୦ମିଟର ଦୌଡ଼ ଖେଳାଯିବ। ୮ ବ‌ର୍ଷ ପରେ ଓଡ଼ିଶାରେ ଆନ୍ତର୍ଜାତୀୟ ସ୍ତର ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାରୁ ବିଭିନ୍ନ ସ୍ତରରେ ଉତ୍ସାହ ବୃଦ୍ଧି ପାଇଛି।

88
1558 views