
କିଶୋରନଗର ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ
( ରାଷ୍ଟ୍ର ନିର୍ମାଣରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ )
ଅନୁଗୋଳ (କରୁଣାକର ନାୟକ )୨୧/୭
ଆତ୍ମବିଶ୍ବାସ ହିଁ ସଫଳତା ଆଣିଦିଏ । ରାଷ୍ଟ୍ର ନିର୍ମାଣରେ ଛାତ୍ରମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏକ ବିକଶିତ ଓ ସୁସ୍ଥ ରାଷ୍ଟ୍ର ଗଠନ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି । ସୁତରାଂ ରାଷ୍ଟ୍ରର ସଫଳତାର ଶ୍ରେୟ ପାଇବାକୁ ଛାତ୍ରଛାତ୍ରୀ ହକଦାର ଅଟନ୍ତି ବୋଲି ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,କିଶୋରନଗରର ୬୮ତମ ପ୍ରତିଷ୍ଠା ଦିବସ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସଭାପତି ଡ଼ା ଅଲେଖ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ କିଶୋରନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ବେହେରା , ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ହିମାଂଶୁ ଶେଖର ପାଢ଼ୀ ଏବଂ ସମ୍ମାନୀତ ଅତିଥି ଭାବେ କିଶୋରନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୁଣ କୁମାର ସେଠୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ପ୍ରଧାନ , ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିରଞ୍ଚି ନାୟକ , ଅରୁଣ କୁମାର ବିଶ୍ବାଳ ତଥା ସରପଞ୍ଚ ସଞ୍ଜିତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ସାହୁ ବାର୍ଷିକ ବିବରଣୀ ପଠନ କରିବା ସହିତ ବିଦ୍ୟାଳୟର କାର୍ଯ୍ୟଧାରା ସଂପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାଳୟର ଛାତ୍ରୀ ବିଜୟାଲକ୍ଷ୍ମୀ ସାହୁଙ୍କୁ " ବିଜୟ ଦେହୁରୀ ସ୍ମୃତି ସମ୍ମାନ"ରେ ମାନପତ୍ର ଓ ନଗଦ ଅର୍ଥରାଶି ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ସେହିପରି ଓଡିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିବା ବିଦ୍ୟାଳୟର ପୁରାତନ ଛାତ୍ର ରଶ୍ମି ରଞ୍ଜନ ରାଉତଙ୍କୁ " ବିଦ୍ୟାଳୟ ଗୈାରବ" ସମ୍ମାନ ପ୍ରଦାନ କରାଯାଇଥିଲା । ଏଥି ସହିତ ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସଂଗ୍ରାମ କେଶରୀ ପୃଷ୍ଟି ସଂଯୋଜନା କରିଥିଲେ । ଶିକ୍ଷକ ଭୈରବ କୁମାର ଦେହୁରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ବିନାୟକ ଦେହୁରୀ ପୁରସ୍କାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଛାତ୍ର ସଂସଦ ସଂପାଦକ ଦେବରାଜ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ତଥା ପୁରାତନ ଛାତ୍ରମାନେ ସହଯୋଗ କରିଥିଲେ। ପୁରାତନ ଛାତ୍ର ସଞ୍ଜୟ କୁମାର ଦାଶ , ସୁଧୀରଞ୍ଜନ ପ୍ରଧାନ ,ବିସ୍ମୟ କୁମାର ଦେହୁରୀ ,ଖଗେଶ୍ବର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉତ୍ସବରେ ବହୁସଂଖ୍ୟାରେ ପୁରାତନ ଛାତ୍ର ଛାତ୍ରୀ , ଅଭିଭାବକ ଓ ଜନସାଧାରଣ ଯୋଗ ଦେଇଥିଲେ ।