
ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଯାଇଛି
: ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ସମାରୋହ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି। ଏହି ସ୍ବନକ୍ଷତ୍ର ଅବସରରେ ମୁଖ୍ୟ ଅତିଥି ରୂପେ ଆସିକା ବିଧାୟକ ଶ୍ରୀ ସରୋଜ କୁମାର ପାଢ଼ୀ ପ୍ରଥମେ ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗର ଆର୍ଥିକ ସହାୟତାରେ ନବନିର୍ମିତ ଅତିରିକ୍ତ ଶ୍ରେଣୀଗୃହର ଶୁଭ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ରୂପେ ସ୍ବ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ତାରାପ୍ରସାଦ ଦାଶ, ସମ୍ମାନିତ ଅତିଥି ରୂପେ ପୁରାତନ ଛାତ୍ର ସଂସଦର ସଭାପତି ଡ. ନିରାକର ଭଟ୍ଟ, ପ୍ରଶାସନିକ ଅଧିକାରୀ ଶ୍ରୀ ବିଭୁତି ଭୂଷଣ ବେବର୍ତ୍ତା ମଞ୍ଚାସୀନ ଥିଲେ। ଅଧ୍ୟାପକ ସରୋଜ କୁମାର ପଣ୍ଡା ସମସ୍ତ ଅତିଥିଙ୍କ ସ୍ବାଗତ ସମ୍ବର୍ଦ୍ଧନା ପୂର୍ବକ ମଞ୍ଚାସୀନ କରାଇଥିଲେ। ସହ ପ୍ରଶାସନିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ଅତିଥି ପରିଚ଼ୟ ପ୍ରଦାନ କରିଥିଲେ। ସମସ୍ତ ମଞ୍ଚାସୀନ ଅତିଥିଙ୍କୁ ପୁଷ୍ପଗୁଚ୍ଛ ତଥା ଉପଢୌକନ ଦ୍ବାରା ସମ୍ମାନୀତ କରାଯାଇଥିଲା।ଅଧ୍ୟାପକ ଡ. ଅଜିତ କୁମାର ମୁନୀ ସଭା ସଞ୍ଚାଳନ କରିଥିଲେ। ସମସ୍ତ ଅତିଥିଙ୍କ ଦ୍ବାରା ଏବଂ ବେଦ ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ବେଦ ମନ୍ତ୍ର ଧ୍ବନୀରେ ଚତୁର୍ଦ୍ଧାମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଛାତ୍ରୀମାନେ 'ବନ୍ଦେ ଉତ୍କଳ ଜନନୀ' ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।ଅଧ୍ୟକ୍ଷ ଡ. ଚୌଧୁରୀ ସ୍ବାଗତ ଭାଷଣ ରଖିଥିଲେ ଏବଂ ସମାରୋହର ମୁଖ୍ୟ ଉଦ୍ଦେଶ୍ୟରେ ପ୍ରାକ୍ତନ ଆସିକା ବିଧାୟକ ହରିହର ଦାଶ ଏବଂ ଆଖୁ ଚାଷୀଙ୍କ ମହାବିଦ୍ୟାଳୟ ପ୍ରତିଷ୍ଠାରେ ମହାନ୍ ଅବଦାନର ସ୍ମୃତିଚାରଣ କରିଥିଲେ। ବିଧାୟକ ତଥା ମୁଖ୍ୟ ଅତିଥି ଶ୍ରୀ ପାଢ଼ୀଙ୍କ ସ୍ପଷ୍ଟବାଦୀ ଭାଷଣ ସମସ୍ତଙ୍କୁ ଆକୃଷ୍ଠ କରିଥିଲା। ମହାବିଦ୍ୟାଳୟର ସମସ୍ତ ବିକାଶମୂଳକ କାର୍ଯ୍ୟରେ ମୁଁ ବଦ୍ଧପରିକର ବୋଲି କହିଥିଲେ। ବାଳିକାବାଳକ ଛାତ୍ରାବାସ ତଥା କ୍ରୀଡା ପ୍ରାଙ୍ଗଣର ପାଚେରୀ ନିର୍ମାଣ ପାଇଁ ସେ ଦୃଢ଼ ପ୍ରତିଶୃତି ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ନିଜ ଶୈକ୍ଷିକ ଦକ୍ଷତା ବଳରେ ମହାବିଦ୍ୟାଳୟର ଗୌରବକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ଆହ୍ବାନ କରିଥିଲେ। ସମ୍ମାନିତ ଅତିଥି ତଥା ପୁରାତନ ଛାତ୍ର ସଂସଦର ସଭାପତି ଡ. ଭଟ୍ଟ ନିଜର ସ୍ବଳ୍ପ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମୀ, ମନଯୋଗୀ ଏବଂ ସମୟାନୁବର୍ତ୍ତିତା ପରାୟଣ ହେବା ପାଇଁ ସଫଳତାର ମନ୍ତ୍ର ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଡ. ତାରାପ୍ରସାଦ ଦାଶ ନିଜର ଓଜସ୍ବୀନୀ ବ୍ୟକ୍ତବ୍ୟରେ ସ୍ବତନ୍ତ୍ର ରୂପେ ଛାତ୍ରଛାତ୍ରୀଙ୍କ ଉତ୍ତରୋତ୍ତର ଉନ୍ନତି କଳ୍ପେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀମାନଙ୍କୁ ନିଜ ବୃତ୍ତି ପ୍ରତି ସଦିଚ୍ଛା ଏବଂ ମମତ୍ବ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମାରୋହର ଅନ୍ତିମ ପର୍ଯ୍ୟାୟରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ତରୀୟ ସ୍ନାତକ କୃତି ଛାତ୍ରଛାତ୍ରୀ ତଥା ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନ, କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ବିଭାଗର ଶ୍ରେଷ୍ଠତମ ଛାତ୍ରଛାତ୍ରୀଙ୍କୁ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ଟ୍ରଫି ସହ ପ୍ରମାଣ ପତ୍ର ପ୍ରଦାମ କରାଯାଇଥିଲା। ପରିଶେଷରେ ସଭା ସଂଚାଳକ ଡ. ମୁନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।