logo

ଶ୍ୱେତ ସୁବର୍ଣ୍ଣ କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

ଦାମନଯୋଡ଼ି,୦୭/୦୭: ସୋମବାର ପବିତ୍ର ନୀଳାଦ୍ରି ବିଜେ ଓ ଅଧର ପଣା ନୀତି ଦାମନଯୋଡ଼ିର ନାଲକୋ ଟାଉନସିପ ଶ୍ୱେତ ସୁବର୍ଣ୍ଣ କ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି।ଅପରାହ୍ନରେ ସେକ୍ଟର ୨ସୁନାବେଶ ମଣ୍ଡପ ନିକଟରେ ଥିବା ରଥକୁ ଶ୍ରଦ୍ଧାଳୁମାନେ ଘଣ୍ଟ,ଘଣ୍ଟା,ସଙ୍କୀର୍ତ୍ତନ,ଛତ୍ରି,ଆଲଟ, ଚାମର,ହରିବୋଲ,ହୁଳହୁଳି ମଧ୍ୟରେ ସେକ୍ଟର ୧ଶ୍ରୀ ଜଗନ୍ନାଥ ମନ୍ଦିର ଥିବା ପାହାଡ଼ ପାଦଦେଶକୁ ଟାଣି ଆଣିଥିଲେ।ସେଠାରେ ଶ୍ରୀଜୀଉଁ ଙ୍କ ପାଖରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା।ପରେ ଗୋଟି ପହଣ୍ଡିରେ ଶ୍ରୀ ମଦନମୋହନ,ଶ୍ରୀସୁଦର୍ଶନ,ବଡ଼ଭାଇ ଶ୍ରୀବଳଭଦ୍ର,ଭଉଣୀ ଦେବୀ ସୁଭଦ୍ରା ଓ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ଶ୍ରୀ ମନ୍ଦିର ନିଆଯାଇଥିଲା। ସେଠାରେ ଲକ୍ଷ୍ମୀଙ୍କ ମାନ ଭଞ୍ଜନ ନୀତି ପାଳିତ ହୋଇଥିଲା।ପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିଥିଲେ।ପୂଜକ ଅଜୟ କୁମାର ପଣ୍ଡା,ବିଜୟ କୁମାର ପଣ୍ଡା,ଅମୀୟ କୁମାର ସାମନ୍ତରାୟ ଓ ବିପିନ ବିହାରୀ ପଣ୍ଡା ପ୍ରମୁଖ ବିଭିନ୍ନ ନୀତି ସମ୍ପାଦନ କରିଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ନାଲକୋ ସମୂହ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ,ଉପସଭାପତି ବିଛନ୍ଦ କୁମାର ଦାଶ,କୋଷାଧକ୍ଷ ପି.କେ.ମହାରଣା,ସମ୍ପାଦକ କୈଳାସ ସେନାପତି,ଯୁଗ୍ମ ସମ୍ପାଦକ ଅବିନାଶ ଜେନା ଓ ତ୍ରିଲୋଚନ ଚୌଧୁରୀ ପ୍ରମୁଖଙ୍କ ସହିତ ସଦସ୍ୟ ଓ ସହଯୋଗୀ ପରିଚାଳନା କରିଥିଲେ।ନୀଳାଦ୍ରି ବିଜେ ଅବସରରେ ସରୋଜିନୀ ତ୍ରିପାଠୀଙ୍କ କଣ୍ଠରେ ୟୁଟ୍ୟୁବରେ ମୁକ୍ତିଲାଭ କରିଥିବା ଶ୍ରୀଜଗନ୍ନାଥଙ୍କ ଭଜନ ପୋଷ୍ଟରକୁ ସଭାପତି ଓ ଅନ୍ୟ କର୍ମକର୍ତ୍ତା ଉଦଘାଟନ କରିଥିଲେ।ଚଳିତ ବର୍ଷର ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହୋଇଥିଲା।ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି,ସମ୍ପାଦକ ଓ କର୍ମକର୍ତ୍ତା ସମସ୍ତ ସଦସ୍ୟ,ସହଯୋଗୀ, ସ୍ବେଛାସେବୀ ଓ ଶ୍ରଦ୍ଧାଳୁଙ୍କୁ ସାଧୁବାଦ ଜଣାଇଛନ୍ତି।

178
5861 views