
ହେରା ପଞ୍ଚମୀ ବା ମା ଲକ୍ଷ୍ମୀ ଙ୍କ ବିଜୟ
ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିର ଉତ୍ସବକୁ ହେରା ପଞ୍ଚମୀ ବା ଲକ୍ଷ୍ମୀ ବିଜୟ ଉତ୍ସବ କୁହାଯାଏ । ଏବେ ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ହେବ ହେରା ପଞ୍ଚମୀ ନୀତି । ଏଦି ଦିବସରେ ଶ୍ରୀଜଗନ୍ନାଥଙ୍କୁ ଏକାନ୍ତ ଦର୍ଶନ କରନ୍ତି ମା’ ଲକ୍ଷ୍ମୀ । ସେବକମାନେ ବିଧିପୂର୍ବକ ଏହି ନୀତି ସମ୍ପାଦନ କରନ୍ତି । ସନ୍ଧ୍ୟା ପୂର୍ବରୁ ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଗୁଣ୍ଡିଚା ଘରକୁ ବିଜେହୋଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏପଟେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ପ୍ରଚଣ୍ଡ ଅଭିମାନରେ କରିଛନ୍ତି । ନନ୍ଦିଘୋଷ ଠାକୁରଙ୍କୁ ନେଇ ଗୁଣ୍ଡିଚାଘରକୁ ଯାଇଛନ୍ତି । ଏଣୁ ମହାଲକ୍ଷ୍ମୀଙ୍କ ରୋଷର ଶିକାର ହେବ ନନ୍ଦିଘୋଷ ।
ମା ମହାଲକ୍ଷ୍ମୀଙ୍କ ବିମାନଟି ଜଗମୋହନରୁ ନାକଚଣା ଦୁଆର ଦେଇ ଗଲାବେଳେ ତେନ୍ତୁଳୀଗଛ ମୂଳେ ପୂଜା ବନ୍ଦାପନା ହୁଏ I ଏହା ପରେ ମା ଲକ୍ଷ୍ମୀଙ୍କ ବିମାନ ଶ୍ରୀ ଜଗନ୍ନାଥ ଙ୍କ ରଥପାଖକୁ ନିଆଯାଏ I ସେଠାରେ ମା ରଥ ଭାଙ୍ଗନ୍ତି I ମା ଲକ୍ଷ୍ମୀ ଓ ଶ୍ରୀ ଜଗନ୍ନାଥଙ୍କ ସେବକଙ୍କ ମଧ୍ୟରେ କିଛି ସମୟ ଯୁକ୍ତି ତର୍କ ଚାଲେ I
ମା ଲକ୍ଷ୍ମୀ ରଥ ଭାଙ୍ଗିବାର କାରଣ ହେଲା ତାଙ୍କୁ ସାଙ୍ଗରେ ନ ନେଇ ମହାପ୍ରଭୁ ଭଉଣୀ ଶୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ଯାତ୍ରା କରନ୍ତି I ତେଣୁ ମା ରାଗରେ ରଥର କିଛି ଅଂଶ ଭାଙ୍ଗି ଦିଅନ୍ତି I ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ବୁଲି ଯାଇଥିବାରୁ ଏହା ହେରା ପଞ୍ଚମୀ ଭାବରେ ଖ୍ୟାତ I ହେରା ର ଅର୍ଥ ହେଲା ଦର୍ଶନ କରିବା ବା ଦେଖିବା I ଏହି ଦିନ ମା ଲକ୍ଷ୍ମୀ ଜଗନ୍ନାଥ ଙ୍କୁ ଦର୍ଶନ କରିଥିବାରୁ ଏହିଦିନଟିକୁ ହେରାପଞ୍ଚମୀ କୁହାଯାଏ ବୋଲି ଅନେକଙ୍କ ମତ I
ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥଯାତ୍ରା ଦିନ ଗୁଣ୍ଡିଚା ଘର କୁ ଯାତ୍ରାକରିବା ପରେ ଲକ୍ଷ୍ମୀଙ୍କ ମନରେ ଦୁଃଖ ହେଲା I ନିଜ ମନର ଦୁଃଖ ବା ବ୍ୟଥା କୁ ସେ ମା ବିମଳା ଙ୍କ ପାଖରେ ପ୍ରକାଶ କଲେ I ମା ବିମଳା ମହାଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେଲେ I ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯିବାକୁ ମା ବିମଳା କହିବାରୁ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଠାକୁରଙ୍କ ଦର୍ଶନ ପାଇଁ ଗୁପ୍ତରେ ଗୁଣ୍ଡିଚା ମନ୍ଦିରକୁ ଗଲେ I ମୋହ ଅଂଜନରେ ପ୍ରଭୁଙ୍କୁ ମୁଗ୍ଧ କଲେ I ଯାହାଫଳରେ ପ୍ରତ୍ୟାଗମନ ପାଇଁ ରଥକୁ ଦକ୍ଷିଣାଭିମୁଖ କରାଯିବାକୁ ଆଦେଶ ଦିଆଗଲା I
ଏହି ଉତ୍ସବ ପଛରେ ଯାହାକିଛି ଧାର୍ମିକ ଭାବନା ଥାଉନା କାହିଁକି ସାମାଜିକ ଭାବ କିନ୍ତୁ ଏଥିରେ ନିବିଡ ଭାବରେ ରହିଛି I ସ୍ୱାମୀସ୍ତ୍ରୀ ଭାବରେ ଏମିତି ମନ ଫଟାଫଟି, ରାଗ-ଅଭିମାନ ହୁଏ I ଏହା ସ୍ୱାଭାବିକ I ସ୍ତ୍ରୀଙ୍କୁ ସାଙ୍ଗରେ ନ ନେଇ ଭଉଣୀକୁ ଯାତ୍ରାକୁ ନେଲେ ସ୍ତ୍ରୀ ବିରକ୍ତ ହେବା ସ୍ୱାଭାବିକ I ପୁଣି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମିଳନ ହେବା ମଧ୍ୟ ସ୍ୱାଭାବିକ I