logo

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ,ବିଶେଷଜ୍ଞ ଡାକ୍ତର ନିଯୁକ୍ତି ନହେଲେ ଆନ୍ଦୋଳନ ଚେତାବନୀ

ପାଟଣା: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କୁ ସୁଦୃଢ କରିବା ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ପାଟଣା ବ୍ଲକ ମୁଖ୍ୟାଳୟରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିବା ଦେଖାଯାଇଛି। ଜନସଂଖ୍ୟା ଓ ଭୌଗଳିକ ଦୃଷ୍ଟିକୋଣରୁ ଏହି ସ୍ୱାସ୍ଥ୍ୟ ଅନେକ ଗୁରୁତ୍ୱ ରହିଥିବା ବେଳେ ଏଥିପ୍ରତି କାହାରି ନଜର ପଡୁନାହିଁ।ଫଳରେ ଅନେକ ଉନ୍ନତି ମୂଳକ ଭିତ୍ତିଭୂମି ଥିଲେ ମଧ୍ୟ ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ଅଭାବରୁ ରୋଗୀସେବା ରେ ଘୋର ବାଧାପ୍ରାପ୍ତ ହେଉଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପାଟଣା, ସାହାରପଡା ବ୍ଲକର 40ଟି ପଞ୍ଚାୟତ ସହିତ ଘଟଗାଁ ବ୍ଲକର କିଛି ପଞ୍ଚାୟତ ର ହଜାର ଲୋକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଭାବ କୁ ନେଇ ପୂର୍ବରୁ ବହୁବାର ପାଟଣା ଅଞ୍ଚଳ ର ଲୋକେ ଧର୍ମଘଟ ଓ ବଜାର ବନ୍ଦ କରି ରାଜରାସ୍ତାକୁ ଓହ୍ଲାଇ ଛନ୍ତି।ହେଲେ କିଛି ସ୍ଥାୟୀ ସମାଧାନ ଆଜିଯାଏ ହୋଇ ପାରିନାହିଁ।ଏଠାରେ ସୂଚନା ଥାଉକି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରତିଦିନ ଶତାଧିକ ରୋଗୀ ଓପିଡ଼ି କୁ ଆସୁଥିବା ବେଳେ ବିଶେଷଜ୍ଞ ଡାକ୍ତର ଜଣେ ମଧ୍ୟ ନାହାନ୍ତି।ତଥ୍ୟ ଅନୁସାରେ ପାଟଣା ଡାକ୍ତରଖାନାରେ ୧ ଜଣ ସୁପରିଟେଣ୍ଡେଣ୍ଟ,୧ ଜଣ ଭେଷଜ ବିଶେଷଜ୍ଞ,୧ ଜଣ ଶିଶୁ ବିଶେଷଜ୍ଞ,୧ ଜଣ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ,୧ ଜଣ ସର୍ଜରୀ ବିଶେଷଜ୍ଞ, ଙ୍କ ସହିତ ଏମବିବିଏସ ୨ ଜଣ ଡାକ୍ତର,ଓ ଆୟୁଷ ଡାକ୍ତର ୧ ଜଣ ରହିବା କଥା।ମାତ୍ର ଶିଶୁ ବିଶେଷଜ୍ଞ ୧ ଜଣ ଡାକ୍ତର ନିଯୁକ୍ତ ହୋଇଥିଲେ ମଧ୍ୟ ସେ ସପ୍ତାହ କୁ ଦିନେ କିମ୍ବା ଦୁଇଦିନ ନାମକୁ ମାତ୍ର ଆସୁଥିବା ସୂଚନା ମିଳିଛି।ବାକି ସମସ୍ତ ବିଶେଷଜ୍ଞ ପଦ ଖାଲି ପଡ଼ିଛି।କିଛିମାସ ପୂର୍ବରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ରୁ ବିଶେଷଜ୍ଞ ଡାକ୍ତର ଆସି ରୋଗୀ ଦେଖୁଥିଲେ ଓ ଅନେକ ରୋଗୀ ଉପକୃତ ମଧ୍ୟ ହେଉଥିଲେ।ହେଲେ ତାହା କେବେ ଠାରୁ ବନ୍ଦ ହୋଇଯାଇଛି।କେବଳ ସାଧାରଣ ଡାକ୍ତର ଥିବାରୁ ରୋଗୀସେବା ସମ୍ଭବ ପର ହୋଇ ପାରୁ ନଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ପରିସ୍ଥିତିରେ ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଡାକ୍ତର ଖାନା ଆସୁଛନ୍ତି ମାତ୍ର ସ୍ୱାସ୍ଥ୍ୟ ସେବା ନ ପାଇ ହନ୍ତ ସନ୍ତ ହେଉଥିବା ଦେଖିବାକୁ ମିଳୁଛି।ଏହା ବ୍ୟତୀତ ସରକାର ନିରାମୟ ଯୋଜନା ମାଧ୍ୟମରେ ମାଗଣା ଔଷଧ ଯୋଗାଇ ଦେଉଛନ୍ତି। କିନ୍ତୁ ଏଠାରେ ସମସ୍ତ ଔଷଧ ମିଳୁ ନଥିବାରୁ ଡାକ୍ତର ରୋଗୀମାନଙ୍କୁ ଠିକ ଭାବେ ରେ ଔଷଧ ନଦେଇ ବାହାର ଔଷଧ ଦୋକାନକୁ ଔଷଧ କିଣିବା ପାଇଁ ଚିଠା ଲେଖୁଛନ୍ତି। ଏ ବିଷୟରେ ବାରମ୍ବାର ଗଣମାଧ୍ୟମ ରେ ଖବର ପ୍ରକାଶିତ ହେଉଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ । ଅନ୍ୟ ପକ୍ଷରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୭ ଜଣ ଷ୍ଟାଫନର୍ସ ରହିବା ପାଇଁ ସ୍ୱୀକୃତି ଥିବା ବେଳେ ବର୍ତ୍ତମାନ ୪ ଜଣ ଷ୍ଟାଫନର୍ସ ଥିବାରୁ ରୋଗୀ ସେବା କିପରି ହେଉଥିବ ବେଶ ଅନୁମେୟ। ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମୟରେ ରୋଗୀ ସେବା ବିପର୍ଯ୍ୟସ୍ତ ଅଭିଯୋଗ ହେଉଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ସମସ୍ତ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ନହେଲେ ପାଟଣା ସୁରକ୍ଷା କମିଟି ତରଫରୁ ଆନ୍ଦୋଳନ କରାଯିବ ବୋଲି ଧମକ ଦିଆଯାଇଛି। ପାଟଣା ସୁରକ୍ଷା କମିଟି ଆବାହକ ବିଜୟ ରତ୍ନ ପତି, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ, ସାମାଜିକ କର୍ମୀ ଦୀନବନ୍ଧୁ ମିଶ୍ର ପ୍ରମୁଖ ଙ୍କ ସହିତ ଗମମାଧ୍ୟମ ପ୍ରତିନିଧି ମାନେ ପାଟଣା ଡାକ୍ତରଖାନା ଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସହିତ ଡାକ୍ତର ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏହି ସମସ୍ୟା ବିଷୟରେ ଖୁବଶୀଘ୍ର ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

0
114 views