
ଶିକ୍ଷକ ପଦୋନ୍ନତିକୁ ଓଟିଇଟି ଖଣ୍ଡା
ଖୋର୍ଦ୍ଧା, ୨୩/୫ : ଟାଙ୍ଗି ବ୍ଳକ ପ୍ରାଥମିକ ବିଦ୍ୟାଳୟ ସଙ୍ଘ (ପିଷ୍ଟା) ପକ୍ଷରୁ ପଦୋନ୍ନତି କ୍ଷେତ୍ରରେ ଓଟିଇଟି ପ୍ରମାଣ ପତ୍ରର ବାଧ୍ୟତାମୂଳକ କରିବା ବିରୋଧରେ ଏକ ଶାନ୍ତିପୂର୍ଣ୍ଣ ଗଣ ଧାରଣା ସ୍ଥାନୀୟ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା l ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ଜାରି ଚିଠି ମୁତାବକ,ଯେଉଁମାନେ ଓଟିଇଟି ପାସ୍ କରି ନାହାନ୍ତି ସେମାନଙ୍କୁ ଲେଭେଲ ଭି ଏ ରୁ ଲେଭେଲ ଭି ବି କୁ ପଦୋନ୍ନତି ମିଳିବ ନାହିଁ ଯାହାକି ସାରା ରାଜ୍ୟରେ ପ୍ରାୟ ୬୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପେଟ ଉପରେ ନାତ ମାରିବା ସଦୃଶ I ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ୨୦୧୯ କ୍ୟାଡର୍ ରୁଲ ଚିଠି କ୍ରମାଙ୍କ ୫୭୫୪ ତାରିଖ ୮/୩/୨୦୧୯ ଅନୁଯାୟୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ନିମନ୍ତେ ଓଟିଇଟି ଦେବା ନିୟମ ବାହାର କରାଯାଇ ନ ଥିଲା l ଏହା କଣ ସରକାର ଜାଣି ପାରି ନଥିଲେ ବୋଲି ସଙ୍ଘ ପ୍ରଶ୍ନ କରିଛି l ଏହାପରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଚିଠି କ୍ରମାଙ୍କ ୧୦୬୮୬ ତାରିଖ ୬/୫/୨୦୨୩ ରେ ପଦୋନ୍ନତି ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଚିଠି ଦିଆ ଯାଇଥିଲା l ଉକ୍ତ ଚିଠିରେ ଲେଖା ରହିଥିଲା କି ୧୧/୨/୨୦୧୧ ବିଜ୍ଞପ୍ତି ଅନୁସାରେ ଯେଉଁମାନେ ନିଯୁକ୍ତି ପାଇଥିବେ, ସେମାନଙ୍କ ପାଇଁ ଓଟିଇଟି ବାଧ୍ୟତାମୂଳକ କରାଗଲା I ସେହି ଅନୁସାରେ ୧୧/୨/୨୦୧୧ ପରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନେ ଓଟିଇଟି ପାସ୍ କଲା ପରେ ଯାଇ ନିଯୁକ୍ତି ପାଇବେ l କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ସଦ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଚିଠି କ୍ରମାଙ୍କ ୧୨୬୩୭ ତାରିଖ ୩/୫/୨୦୨୫ ଅନୁସାରେ ଯେଉଁମାନେ ୧୧/୨/୨୦୧୧ ପୂର୍ବରୁ ନିଯୁକ୍ତି ପାଇଛନ୍ତି ଓଟିଇଟି ପାସ୍ କରି ନଥିଲେ ଲେଭେଲ ଭି ଏ ରୁ ଲେଭେଲ ଭି ବି କୁ ପଦୋନ୍ନତି ପାଇ ପାରିବେ ନାହିଁ l ଯଦି ଏହି ଚିଠିକୁ କାଯ୍ୟକାରୀ କରାଯାଇ ପଦୋନ୍ନତି ଦିଆଯାଏ ତେବେ ସଂଖ୍ୟାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ବରିଷ୍ଠତା ହରାଇ ବସିବେ ଏବଂ ପଦୋନ୍ନତି ତାଙ୍କ ଚାକିରୀ କାଳରେ ଏକ ଦିବାସ୍ୱପ୍ନ ହୋଇ ରହିଯିବ l ତେଣୁ ସରକାର ତୁରନ୍ତ ଏହାକୁ ଧ୍ୟାନ ଦେଇ ଉକ୍ତ ଚିଠିକୁ ପ୍ରତ୍ୟାହାର କରି ନେବାକୁ ସଙ୍ଘ ଦାବୀ କରିଛି l ଆଜିର ଏହି ଗଣ ଧାରଣାର ନେତୃତ୍ୱ ନେଇଥିଲେ ସଙ୍ଘର ସଭାପତି ଅମ୍ଳାନ ପ୍ରହରାଜ,ଉପ ସଭାପତି ଅମର କୁମାର ଜୟସିଂ, ସମ୍ପାଦକ ଦେବାନନ୍ଦ ବେହରା,ରାଜ୍ୟ ସଙ୍ଘ କୋଷାଧ୍ଯକ୍ଷ ଗୋପାଳ କିଶୋର ସେନ୍,ଏବଂ ଭାଗ ନେଇଥିଲେ ପ୍ରାକ୍ତନ ଶିକ୍ଷକ ସଂଘ ଓଷ୍ଟା ସଭାପତି ପଦ୍ମନାଭ ବିଶ୍ଵାଳ, ପ୍ରଦୀପ କୁମାର ପରିଡା,ବିଭୂତି ଭୂଷଣ ଜୁଝାର ସିଂ,ପୂର୍ଣ୍ଣଚନ୍ଦ୍ର ମିଶ୍ର,ପ୍ରସନ୍ନ କୁମାର ପଣ୍ଡିତ,ସୁଶାନ୍ତ କୁମାର ସ୍ୱାଇଁ, ଆରତୀ ମାଝୀ, ରଞ୍ଜିତା ସରକାର ,ଯୁଧିଷ୍ଠିର ଜଗଦ୍ଦେବ, ବିଜୟ କୁମାର ମାନସିଂ, ଭାଗ୍ୟଲକ୍ଷ୍ମୀ ଦାଶ, କବିଲତା ଦାଶ,ରେଣୁବାଳା ବେହେରା, ମମତା ବେହେରା,ସଂଯୁକ୍ତା ପଟ୍ଟନାୟକ ମୀନତି ହରିଚନ୍ଦନ,ବିଜୟ ସେଠୀ, ନିଳାଦ୍ରି ସିଂ, ପ୍ରଜ୍ଞା ପ୍ରଣୀତା ମଙ୍ଗରାଜ,ପ୍ରଣତି ବେହେରା, ବଳରାମ ବେହେରା,ଧରଣୀ ଧର ମହତ ରାୟ,ସିଦ୍ଧାର୍ଥ ମିଶ୍ର ପ୍ରମୁଖ, ଷାଠିଏ ଜଣ ଶିକ୍ଷକ ଶିକ୍ଷୟିତ୍ରୀ l ଶିକ୍ଷକ ସଂଘ ପକ୍ଷରୁ ସହ ଗୋଷ୍ଠୀ ଶିକ୍ଷାଅଧିକାରୀ ସୁଧାଂଶୁ ମଞ୍ଜରୀ ଦେବୀଙ୍କୁ ସ୍ମାରକ ପତ୍ର ଦିଆଯାଇ ଧାରଣାକୁ ପ୍ରତ୍ୟାହୃତ କରା ଯାଇଥିଲା l