
ନାଲକୋ ପକ୍ଷରୁ ସ୍କୁଲ ଛାତ୍ର ଛାତ୍ରୀଙ୍କ ଗ୍ରୀଷ୍ମକାଳୀନ କ୍ରୀଡା ପ୍ରଶିକ୍ଷଣ ଶିବିର ଉଦଯାପିତ
କୋରାପୁଟ/ଦାମନଯୋଡି , ୨୨/୦୫/୨୦୨୫(ନଳିନୀ କାନ୍ତ ସେନାପତି): ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅନୁଷ୍ଠିତ ଗ୍ରୀଷ୍ମକାଳୀନ କ୍ରୀଡ଼ା ପ୍ରଶିକ୍ଷଣ ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି। ଗତ ୧୬ତାରିଖରୁ ସପ୍ତାହେ ବ୍ୟାପି ହୋଇଥିବା ଶିବିରରେ ନାଲକୋ ଟାଉନସିପ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ) ଓ ସରସ୍ଵତୀ ବିଦ୍ୟା ମନ୍ଦିରର ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଇଥିଲେ। ଡିପିଏସ ଖେଳ ପଡ଼ିଆରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ସମାରୋହରେ ନାଲକୋ ସମୂହ ମହାପ୍ରବନ୍ଧକ ସୁଗାତୋ ଆନନ୍ଦ ବାସୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ମୁଖ୍ୟ ଅତିଥି, ଶିବିରାର୍ଥି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହିତ କୋଚ ତଥା ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ ଓ ତାଙ୍କ ସୁକନ୍ୟା ତଥା ଜାତୀୟ ସ୍ତର ସଟପୁଟ ଖେଳାଳି ଅଂଶିକା ରାଉତରାୟଙ୍କୁ ସମ୍ମାନିତ କରିଥିଲେ। ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଓ ସରସ୍ଵତୀ ବିଦ୍ୟାମନ୍ଦିର ଅଧ୍ୟକ୍ଷ ଡଃ ଶୁଭ୍ରାଂଶୁ ଶେଖର ବାହିନୀପତି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ନାଲକୋ ସ୍ପୋର୍ଟସ ସେଲ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରର ଉଦଯାପନୀ ସମାରୋହରେ ଡିପିଏସ ଭାରପ୍ରାପ୍ତ ଅଧ୍ୟକ୍ଷା ସୁଶ୍ରୀ ସୁଜାତା ପାଣି ଅଧ୍ୟକ୍ଷତା କରିଥିଲେ ଓ ପ୍ରଧାନ ଶିକ୍ଷକ ଏସ.ଏସ.ଗିରିଧର ଧନ୍ୟବାଦ ଅର୍ପଣ କରିଥିଲେ।ଡିପିଏସର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ଅଞ୍ଜନା କୁମାରୀ ମଞ୍ଚ ସଂଯୋଜନା କରିଥିବା ବେଳେ ଶାରୀରିକ ଶିକ୍ଷା ଶିକ୍ଷକ ନବ କିଶୋର ପଣ୍ଡା ବିବରଣୀ ପାଠ କରିଥିଲେ।ଉଲ୍ଲେଖଯୋଗ୍ୟ ଏହି ଆଥଲେଟିକସ ପ୍ରଶିକ୍ଷଣ ଶିବିରରେ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ ଛାତ୍ରଛାତ୍ରୀଙ୍କୁ ରିଲେ ଦୌଡ଼, ହର୍ଡଲସ ଆଦି ବିଭିନ୍ନ ପ୍ରକାରର ଦୌଡ଼, ଲମ୍ବଡିଆଁ, ସଟପୁଟ, ଡିସକସ ଥ୍ରୋ ଆଦି ବିଷୟରେ ତାଲିମ ପ୍ରଦାନ କରିଥିଲେ।