logo

*ରାଷ୍ଟ୍ରଦୀପ ପ୍ରସାର ସମିତିର ମହାବିଷୁବ ମିଳନ -୨୦୨୫ ଉଦଯାପିତ*

ଦାମନଯୋଡି: ଶିଳ୍ପାଞ୍ଚଳ ଦାମନଯୋଡିରେ ଥିବା ଅଗ୍ରଣୀ ସାମାଜିକ ସଂଗଠନ 'ରାଷ୍ଟ୍ରଦୀପ ପ୍ରସାର ସମିତି' ପକ୍ଷରୁ ଗତ ବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ୩୨ତମ ମହାବିଷୁବ ମିଳନ -୨୦୨୫ କାର୍ଯ୍ୟକ୍ରମ ଗତ ମଙ୍ଗଳବାର ଦିନ ମହାସମାରୋହରେ ଉଦଯାପିତ ହୋଇଯାଇଛି । ସେକ୍ଟର -୧ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ସଭାପତି ତଥା ନାଲକୋ ଖଣି ବିଭାଗ ସମୁହ ମହାପ୍ରବନ୍ଧକ ପୁରୁଷୋତ୍ତମ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ବାଣିଜ୍ୟ,ପରିବହନ,ଇସ୍ପାତ ତଥା ଖଣି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡି ଏ ଭି ସ୍ଵୟଂଶାସିତ ମହାବିଦ୍ୟାଳୟ, ଟିଟିଲାଗଡ଼ ର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଛୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଥିଲେ । ଅନ୍ୟ ପକ୍ଷରେ କୋରାପୁଟ ବିଧାୟକ ରଘୁରାମ ମାଛ, ନାଲକୋ ପ୍ରକଳ୍ପ ଆଲୁମିନା ଓ ପରିଶୋଧନ ବିଭାଗ ସମୁହ ମହାପ୍ରବନ୍ଧକ ୱାଇ କେ ଭାସ୍କର, ସୁନାବେଡ଼ା ଗଉଡିଆ ମଠର ମଠାଧୀଶ ପର୍ବତ ମହାରାଜ, କୁନ୍ଦୁଲି ଆଦିମ ଗୁରୁକୁଳ ଆଶ୍ରମ ଆଚାର୍ଯ୍ୟ ମନୁଦେବ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାଷୀନ ଥିଲେ । ସଭାପତି ଶ୍ରୀ ମହାନ୍ତ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଜଳେନ୍ଦ୍ର ତ୍ରିପାଠୀ ସଂପାଦକୀୟ ବିବରଣୀ ପାଠ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ଇତି ଅବସରରେ ମୁଖପାତ୍ର ବିଚାର ସରିତା ଉନ୍ମୋଚନ କରାଯାଇଥିଲା । ଓଡ଼ିଶାର ଅଗ୍ରଣୀ ସାପ୍ତାହିକ 'ରାଷ୍ଟ୍ରଦୀପ' ପତ୍ରିକାର ପୁର୍ବତନ ପରିଚାଳକ ଧ୍ରୁବ ଚରଣ ବେହେରା, ସମ୍ପାଦକ ଶିବ ନାରାୟନ ସିଂ, ଆକାଉଣ୍ଟାଣ୍ଟ ଶ୍ରୀମନ୍ତ ଚକ୍ରବର୍ତ୍ତୀ ଙ୍କୁ ସମ୍ମାନୀତ କରାଯାଇଥିଲା । ଦାମନଯୋଡି ତଥା ନିକଟସ୍ଥ ଗ୍ରାମର ବହୁ କୀର୍ତ୍ତନ ମଣ୍ଡଳୀ ନଗର ସଂକୀର୍ତ୍ତନ କରିଥିଲେ । କୋରାପୁଟ ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଏଠାକାର ଅଧିବାସୀ ମାନଙ୍କ ମନରେ ଧର୍ମ, ସଂସ୍କୃତି ଆଦି ଜାଗରଣ କରିବା ଏହି ଏକ ମାସ ବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଶ୍ରୀ ତ୍ରୀପାଠୀ କହିଥିଲେ ।

52
1647 views
  
1 shares