logo

*ଚଇତ ପରବ ଭେଟଘାଟ-୨୦୨୫ ପାଳିତ*


ଦାମନଯୋଡି: ଅବିଭକ୍ତ କୋରାପୁଟ ଜିଲ୍ଲାର ଗଣପର୍ବ 'ଚଇତ ପରବ' । କନ୍ଧ, କୋୟା, ପରଜା, ବଣ୍ଡା, ଗଡବା ଆଦି ମୂଳ ଅଧିବାସୀ ର ଆବାଳ ବୃଦ୍ଧ ବନିତା ଏହି ଗଣପର୍ବ କୁ ବହୁ ଉତ୍ସାହର ସହ ପାଳନ କରିଥାଆନ୍ତି । ଏହାର ମୁଖ୍ୟ ଆକର୍ଷଣ ହେଉଛି ବେଣ୍ଟ ଶିକାର ଓ ତା'କୁ ଗ୍ରାମବାସୀ ସମ୍ମିଳିତ ଭୋଜି କରି ଖାଇବା ସହ ନାଚ ଗୀତରେ ହଜିଯିବା । ତେବେ ବିଗତ କିଛି ବର୍ଷ ହେଲା କୋରାପୁଟିଆ ଆଦିବାସୀ ନାଲକୋ କର୍ମଚାରୀ ଜନମଙ୍ଗଳ ସଂଘ ପକ୍ଷରୁ ଚଇତ ପରବ ସରିବା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ନେଇ ଭେଟଘାଟ ଉତ୍ସବ ପାଳନ କରାଯାଇଥାଏ । ଗତ ରବିବାର ଦିନ ନାଲକୋ ଟାଉନସିପ ସ୍ଥିତ ଆମ୍ବେଦକର ପଡ଼ିଆରେ ଏହି ଉତ୍ସବ ପାଳନ କରାଯାଇଥିଲା । କାଠି ନାଚ, ଦୂରୁଆ ନାଚ, ଢେମସା ଆଦି ପାରମ୍ପାରିକ ନାଚରେ ପ୍ରାୟ ୧୫ ଟି ବିଭିନ୍ନ ଗ୍ରାମର ନାଚ ଦଳ ଏହି ଉତ୍ସବରେ ଭାଗ ନେଇଥିଲେ । ଏଥି ସହିତ ବଡ଼ ବେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଘ ସଭାପତି ଲୋକନାଥ କୁଲଦୀପ ଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ସ୍ବତନ୍ତ୍ର ଅତିଥି ଭାବେ ମଞ୍ଚାସୀନ ଥିଲେ । ସମ୍ମାନିତ ଅତିଥି ଭାବେ ନାଲକୋର ବିଭିନ୍ନ ବିଭାଗର ସମୁହ ମହାପ୍ରବନ୍ଧକ, ବରିଷ୍ଠ ଅଧିକାରୀ ଙ୍କ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ସ୍ଥାନୀୟ ସରପଞ୍ଚ ଓ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପାଦକ ଘେନୁ ଖିଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନିରୁଦ୍ଧ ଖୋସଲା ମଞ୍ଚ ପରିଚାଳନା କରିଥିଲେ । ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ଗଉଡ଼, ସୁନ୍ଦର ଗଲୋରୀ, ଶ୍ୟାମସୁନ୍ଦର ଖରା, ରାଜେନ୍ଦ୍ର ଜାନି ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କହିଥିଲେ ।

45
1371 views