logo

ଉନବିଂଶତମ ପଞ୍ଚପଟ୍ଟମାଳି ନାଟ୍ୟ ମହୋତ୍ସବର ୨ୟ ସଂନ୍ଧ୍ୟାରେ "ପଞ୍ଚମ ବେଦ" ଓ "ଆମେ ସବୁ ମେଣ୍ଢା" ନାଟକ ମଞ୍ଚସ୍ଥ


ପଞ୍ଚପଟ୍ଟମାଳି ନାଟ୍ୟ ମହୋତ୍ସବର ୨ୟ ସଂନ୍ଧ୍ୟାରେ "ପଞ୍ଚମ ବେଦ" ଓ "ଆମେ ସବୁ ମେଣ୍ଢା" ନାଟକ ମଞ୍ଚସ୍ଥ

ଦାମନଯୋଡି,୧୮/୦୪ (ମାନସ ରଞ୍ଜନ କର)
ଦାମନଯୋଡି ନାଲକୋ ଟାଉନସିପ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଉନବିଂଶ ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତାର ୨ୟ ସନ୍ଧ୍ୟାରେ ଦୁଇଟି ନାଟକ ମଞ୍ଚସ୍ଥ ହୋଇଛି।

କସ୍ତୁରୀ,ରାଉରକେଲା ପ୍ରସ୍ତୁତିରେ ଡଃ.ପ୍ରଦୀପ ଭୌମିକଙ୍କ ରଚିତ ଏବଂ ଅଶୋକ ବଳ ଓ ପ୍ରଭାକର ପାତ୍ରଙ୍କ ନିର୍ଦ୍ଦେଶିତ ନାଟକ "ଆମେ ସବୁ ମେଣ୍ଢା" ମଞ୍ଚସ୍ଥ ହୋଇଥିଲା।ଏକ ସ୍ବଚ୍ଛ ସମାଜର ସତ୍ୟକୁ ଏହି ନାଟକରେ ପ୍ରକାଶ କରାଯାଇଛି। ଯେମିତି ମେଣ୍ଢାମାନେ ଜଣେ ମେଣ୍ଢା ଚରାଳିର ଦୃଷ୍ଟାନ୍ତରେ ଦୂର୍ବଳ ହୋଇ ଚଳିଥାନ୍ତି,ସେମିତି ସମାଜରେ ଅନେକ ଲୋକ ଯୌତୁକ ପ୍ରଥା ନେବା ଓ ଦେବା ସହିତ ତାଳ ମେଳାଇ ଚାଲିଥାନ୍ତି।ସେମାନଙ୍କର ନୀରବ ସମର୍ଥନ ଯାହା ଅନ୍ୟାୟକୁ ବଢ଼ିବାକୁ ଶିକ୍ଷା ଦେବା ସହ ଅନ୍ୟାୟର ସାଥ ଦିଆଯାଉଛି ଆଜିର ଦୁନିଆରେ।ଆମେ ସବୁ ମେଣ୍ଢା ଭଳି ଆଚରଣ କରୁଛୁ।ଯୌତୁକର ସାମାଜିକ ଜଟିଳତାକୁ ସହଜ ଭାବରେ ଏହି ନାଟକରେ ଉପସ୍ଥାପନା କରାଯାଇଛି।ଏଥିରେ ଶ୍ୟାମସୁନ୍ଦର ପଟ୍ଟନାୟକ ସଙ୍ଗୀତ ନିର୍ଦ୍ଦେଶନା ଓ ଲକ୍ଷ୍ମୀ ନାରାୟଣ ଦୋରା ସଙ୍ଗୀତ ସହଯୋଗୀ,ପି.ସାଜିମାଥ୍ୟୁ ଓ ପାଣ୍ଡବ ମଲ୍ଲିକ ମଞ୍ଚସଜ୍ଜା କରିଥିଲା ବେଳେ ପ୍ରଫୁଲ୍ଲ ମହାରଣା,ଗୌରାଙ୍ଗ ଦଳେଇ,ପ୍ରଫୁଲ୍ଲ ପତି,ରଜତ ସାହୁ, ବିମଳ ସାହୁ,ଅଶ୍ବିନୀ ସିଂ,ନିରଞ୍ଜନ ଭଟ୍ଟ,ଶ୍ୱେତାଙ୍କିତ ମିଶ୍ର,ସରୋଜିନୀ ସ୍ୱାଇଁ,ପ୍ରିୟଦର୍ଶନୀ ଜେନା ଓ ନିକିତା ଷଡଙ୍ଗି ପ୍ରମୁଖ କଳାକାରମାନେ ଅଭିନୟ କରିଥିଲେ।

ସେହିପରି ଭାରତୀ କଳା ନିକେତନ,ଉମରକୋଟ ପ୍ରସ୍ତୁତି ନାଟକ "ପଞ୍ଚମ ବେଦ" ମଞ୍ଚସ୍ଥ ହୋଇଥିଲା।ପ୍ରଫେସର ଗୋପାଳ ମହାରଣାଙ୍କ ରଚନା ଓ ପ୍ରଫେସର ମଧୁସ୍ମିତା ମହାରଣାଙ୍କ ନିର୍ଦ୍ଦେଶିତ ଏହି ନାଟକରେ ପୂର୍ବ ପୁରୁଷଙ୍କ ମତରେ ସମାଜକୁ ସଂସ୍କୃତି ସଂପନ୍ନ କରିବା ପାଇଁ ମୁନି ଋଷିମାନେ ବହୁ ନିୟମ ପ୍ରଣୟନ କରିଛନ୍ତି।ସେ ସବୁ ନିୟମ ମାନିଲେ ଏକ ସୁସୁ ଓ ସୁନ୍ଦର ପରିବାର ଗଠନ ହୋଇପାରିବ।ପ୍ରତ୍ୟେକ ମାତାପିତା ନିଜ ସନ୍ତାନର ଲାଳନ ପାଳନ କରନ୍ତି।କିନ୍ତୁ ସନ୍ତାନ ବଡ ହେବାପରେ ମାଆବାପାଙ୍କୁ ଅବହେଳା କରେ।ଜଣେ ଅବସରପ୍ରାପ୍ତ ଶିକ୍ଷକ ନିଜ ପୁଅକୁ ସତ ପଥକୁ ଆଣିବା ପାଇଁ କଠୋର ନିୟମ ପ୍ରଣୟନ କରିଛନ୍ତି ଏହି ନାଟକରେ।ସେସବୁ ନିୟମ ପ୍ରତ୍ୟେକ ମାଆ ବାପାଙ୍କ ଅନ୍ତର ବାଣୀ ଅଥବା ହୋଇପାରେ ପଞ୍ଚମ ବେଦର ବାଣୀ।ନାଟକରେ ନୂତନ ପିଢିଙ୍କ ଭବିଷ୍ୟତର ମାର୍ଗଦର୍ଶକ ଉପରେ ଆଲୋକପାତ କରାଯାଇଛି।ଏଥିରେ ଏମ.ମାଧବ ପାତ୍ର ସଙ୍ଗୀତ ନିର୍ଦ୍ଦେଶନା,ବସନ୍ତ ସାହୁ ମଞ୍ଚସଜ୍ଜା ଏବଂ ଅଧ୍ୟାପିକା ଏମ. ମଧୁଛନ୍ଦା ପରିଚାଳନା କରିଥିଲା ବେଳେ ବିଦ୍ୟୁତ କୁମାର ପାତ୍ର,ବିବେକାନନ୍ଦ ପଟ୍ଟନାୟକ,ଗଣେଶ ପ୍ରସାଦ ରଣା,ସନ୍ତୋଷ ପରିଡା,ଦୀପଶିଖା ନାୟକ ଓ ଶିଶୁ ଭୂମିକାରେ ସାଇ ଅନୁଷ୍କା ମହାରଣା ପ୍ରମୁଖ କଳାକାରମାନେ ଅଭିନୟ କରିଥିଲେ।

ଦ୍ଵିତୀୟ ସନ୍ଧ୍ୟାରେ ନାଲକୋର ସମୂହ ମହାପ୍ରବନ୍ଧକ ପୁରୁଷୋତ୍ତମ ମହନ୍ତ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲା ବେଳେ ନିର୍ମଳ ରାଉତ ମଞ୍ଚ ସଂଯୋଜନା କରିଥିଲେ।ନାଟ୍ୟ ମହୋତ୍ସବ କମିଟି ସଭାପତି ବିଚ୍ଛନ୍ଦ ଚରଣ ଦାଶଙ୍କ ସହ ସଦସ୍ୟମାନେ ପରିଚାଳନା କରିଥିଲେ।

ଫଟୋ -କସ୍ତୁରୀ ରାଉରକେଲାର ନାଟକ "ଆମେ ସବୁ ମେଣ୍ଢା"

77
4373 views