ରାଜା ଚକ୍ର ଗିରଫଦାରୀ ଏକ ରାଜନୈତିକ ନାଟକ ବାଜି ନୁହେଁ ତୋ ?
ରାଜା ଚକ୍ର ଗିରଫଦାରୀ ଏକ ରାଜନୈତିକ ନାଟକ ବାଜି ନୁହେଁ ତୋ ?
----------------------------------------------
କିଛିଦିନ ପୂର୍ବରୁ ବିଭିନ୍ନ ପ୍ରକାରର ଗଣମାଧ୍ୟମରେ ଗନ୍ଧମାର୍ଦ୍ଦନ ଖଣି ସୋସାଇଟି ଦୁର୍ନିତୀ ବାବଦରେ ଜୋରସୋରରେ ଖବର ପ୍ରସାରିତ ହୋଇଥିଲା। ଏହା ବ୍ୟତିତ ଅନେକ ସୋସିଆଲ ମିଡିଆରେ ମଧ୍ଯ କଥା ଅନେକ ପ୍ରକାଶିତ କରିଥିଲେ। ରାଜା ଚକ୍ର ଗିରଫଦାରୀ ହେବାର ମାସେ ପୁରି ନାହିଁ, ସଂପୂର୍ଣ୍ଣ ବିଷୟରେ ଲୋକମାନେ ଆଉ ଆଲୋଚନା ଏବଂ ସମାଲୋଚ଼ନା କରୁନଥିବା ଦେଖିବାକୁ ମିଳୁଅଛି। ପୂର୍ବରୁ ଘରେଘରେ ଲୋକମାନେ ଜିଲ୍ଲା ବ୍ୟାପି ଦୁର୍ନିତୀ ସମ୍ପର୍କରେ ଆଲୋଚନା କରୁଥିବା ଶୁଣିବା ପାଇଁ ମିଳୁଥିଲା।
କଥା କଣ ? ପାଣିପାଗ ବଦଳିବା ଭଳି, ଏହି ଦୁର୍ନିତୀ କଥା ମଧ୍ଯ ବଦଳି ଗଲା ! ଏଥିରେ କିଛି ଆଶ୍ଚର୍ଯ୍ୟ ବା ଚକିତ ହେବାର ଆବଶ୍ଯକତା ନାହିଁ। ଇଓଡବ୍ଲ୍ୟୁ ତଦନ୍ତକାରୀ ଦଳ ଆଉ କିଛି ସନ୍ଦିଗ୍ଧ ବ୍ଯକ୍ତିଙ୍କୁ ତଦନ୍ତପାଇଁ ନୋଟିସ କରିଛନ୍ତି। ସେମାନଙ୍କ ମଧ୍ଯରୁ ଅଧିକାଂଶ ଗିରଫ ହେବାର ସମ୍ଭାବନା ରହିଛି। ଅଦ୍ୟାବଧି ଗନ୍ଧମାର୍ଦ୍ଦନ ଖଣି ସୋସାଇଟି ସଂସ୍ଥାରେ କେତେ କୋଟି ଟଙ୍କାର ଦୁର୍ନିତୀ ହୋଇଛି ? ଏହାର ସବିଶେଷ ତଥ୍ଯ ଇଓଡବ୍ଲ୍ୟୁ ତରଫରୁ ପ୍ରକାଶିତ କରିନାହିଁ। ଏପ୍ରିଲ୍ ୩ ତାରିଖରେ ରାଜା ଚକ୍ରର ଜାମିନ ଆବେଦନ ବାବଦରେ କୋର୍ଟରେ ଶୁଣାଣି ହେବ। କୋର୍ଟ ତରଫରୁ ରାଜା ଚକ୍ରକୁ ଜାମିନ ମିଳିବ, ନା ନାହିଁ ? ସେହି ଦିନ ଜଣା ପଡିବ। ହୁଏତ କୋର୍ଟ ତରଫରୁ ରାଜା ଚକ୍ରକୁ ଜାମିନ ସର୍ତ୍ତମୁତାବକ ଦେଇ ପାରନ୍ତି, କିମ୍ବା ନଦେଇ ପାରନ୍ତି ! ଏହା କୋର୍ଟର ନିଷ୍ପତ୍ତି ଉପରେ ନିର୍ଭର କରୁଅଛି। ଯଦି ଉକ୍ତ କୋର୍ଟରେ ରାଜା ଚକ୍ରର ଜାମିନ ଆବେଦନ ଖାରଜ ହୁଏ, ତେବେ ଉଚ୍ଚ ନ୍ୟାୟାଳୟରେ ଜାମିନ ମିଳିବାର ସମ୍ଭାବନା ଅଧିକ ରହିଛି। ଯେହେତୁ ରାଜା ଚକ୍ର ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ଏବଂ ସାକ୍ଷୀର ଅଭାବ ରହିଥିବା ସୂଚନା ମିଳୁଅଛି। ତେଣୁ ରାଜା ଚକ୍ରକୁ ଜାମିନ ମିଳିବାର ସର୍ବାଧିକ ସମ୍ଭାବନା ଅଧିକ ରହିଛି।
ବିଭିନ୍ନ ସୂତ୍ରରୁ ଜାଣିବା ପାଇଁ ମିଳୁଅଛି କି, କୌଣସି ବଡବଡିଆ ନେତା ମନ୍ତ୍ରୀ ଓ ପ୍ରଶାସନିକ ପଦାଧିକାରୀ ତଦନ୍ତ ପରିସରକୁ ଆସିବାର ସମ୍ଭାବନା ନାହିଁ। ଏମାନେ ସାଧାରଣତଃ ବୈଷ୍ଣବ ବିରାଡ଼ି ଗୋଷ୍ଠୀର ଚରିତ୍ର ଅଟନ୍ତି। ତାହାହେଲେ ଏତେ ନାଟକ ବାଜି କଣ ପାଇଁ କରାଗଲା ? ଯଦି ରାଜା ଚକ୍ର ଉକ୍ତ ଦୁର୍ନିତୀରେ ସଂପ୍ରୁକ୍ତ ନାହିଁ ! ତେବେ ରାଜା ଚକ୍ରକୁ ଆରୋପିତ କରି ଗିରଫ କରାଯିବା ଏବଂ କୋର୍ଟ ଚାଲାଣ କରିଦେବାର ଉଦ୍ଦେଶ୍ଯ କଣ ? ଏହା ମଧ୍ଯ ଏକ ରାଜନୈତିକ ଷଡଯନ୍ତ୍ର ନୁହେଁ କି ?
ଗୋଟିଏ କଥା ଭଲଭାବରେ ଜାଣିରଖିବା ଉଚିତ୍ ଯେ, ଇଓଡବ୍ଲ୍ୟୁ ତଦନ୍ତକାରୀ ସଂସ୍ଥାରେ କେହି ଅର୍ଦ୍ଧ ଶିକ୍ଷା କିମ୍ବା ଅପାଠୁଆ ଲୋକମାନେ ଚାକିରୀ କରି ନାହାଁନ୍ତି। ସମସ୍ତଙ୍କୁ ନିଜ ନିଜର ଶିକ୍ଷା ଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ମିଳିଅଛି। ସମସ୍ତ ତଦନ୍ତକାରୀ କର୍ମଚାରୀମାନେ ଉପଯୁକ୍ତ ତାଲିମ ପ୍ରାପ୍ତ କରିଛନ୍ତି। ସେମାନଙ୍କୁ ଭଲଭାବରେ ଜଣାଅଛି ଯେ, ସତ୍ଯ ଓ ମିଥ୍ଯା କଣ ? ତେଣୁ ଆମ୍ଭେ ଇଓଡବ୍ଲ୍ୟୁ ତଦନ୍ତକାରୀ ସଂସ୍ଥାକୁ ଏବଂ ମାନ୍ୟବର ନ୍ୟାୟାଳୟ ପ୍ରତି ଦୋଷାରୋପ କରିପାରିବା ଅନୁଚିତ୍ ଅଟେ। କାରଣ ମାନ୍ୟବର ନ୍ୟାୟାଳୟ ଏବଂ ଇଓଡବ୍ଲ୍ୟୁ ତଦନ୍ତକାରୀ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ରାଜନୈତିକ ଚାପ ପ୍ରୟୋଗ କରି, ବିନା କାରଣରେ ଗିରଫଦାରୀ କରାଯାଇଥିବାର ସମ୍ଭାବନା ରହିଛି। ଏହା କିଛି ଅସମ୍ଭବ କଥା ନୁହେଁ, ବର୍ତ୍ତମାନ ସମୟରେ ସବୁକିଛି ଷଡଯନ୍ତ୍ର କରିବା ସମ୍ଭବ ଅଟେ।
ଏପରି ଷଡଯନ୍ତ୍ର ଏବଂ ଚାପ ପ୍ରୟୋଗ କାର୍ଯ୍ୟ ତ୍ରେତୟା ଯୁଗରେ ମହାଭାରତ ଯୁଦ୍ଧ ପୂର୍ବରୁ ହୋଇଆସୁଛି। ଏପରିକି ମୁଗଲ ମାନଙ୍କ ଶାସନ, ଇଂରେଜ ଶାସନ ସମୟରେ କରାଯାଇଛି। ସେତେବେଳେ ରାଜତନ୍ତ୍ର ଶାସନ ଚାଲିଥିଲା। ଏସବୁ କଥା ଭାରତ ସ୍ବାଧୀନତା ହେବା ପୂର୍ବରୁ ହୋଇଆସୁଛି। ଏପରିକି ଭାରତ ସ୍ବାଧୀନତା ହେବା ପରେ ଲୋକତନ୍ତ୍ର ଶାସନକାଳରେ ମଧ୍ଯ କଂଗ୍ରେସ ଶାସନ ସମୟରେ କରାଯାଇଛି। ବର୍ତ୍ତମାନ କେନ୍ଦ୍ରରେ ଆସେବ୍ଲିଂ ସରକାର ଏବଂ ଓଡ଼ିଶା ରାଜ୍ଯର ବିଜେପି ସରକାର ଖିରରେ ସ୍ନାନ କରି ଶାସନ କରୁଛନ୍ତି ବୋଲି ଭାବିବା ଭୁଲ୍ ! ଏମାନଙ୍କର କେବଳ କଅଁଳ ଦିର୍ଘ ଭାସଣବାଜି କରିବା, ନାମ ଓ ରଙ୍ଗ ବଦଳାଉ ଥିବା ସରକାର ଚାଲିଛି। ଆମ ଦୋଳରେ ବିନା ସର୍ତ୍ତରେ ସାମିଲ୍ ହୁଅ। ନଚେତ୍ ଜେଲ୍ ଯିବାପାଇଁ ପ୍ରସ୍ତୁତ ହୋଇଥାଅ। ଠିକ୍ କଥା ! ଏଠାରେ ରାଜା ଚକ୍ର କ୍ଷେତ୍ରରେ ଏପରି ଘଟଣା ହୋଇଥିବା ସୂତ୍ରରୁ ଜାଣିବା ପାଇଁ ମିଳୁଅଛି। କମ୍ବଳ ସାରା ବାଳ, ଆଙ୍ଗୁଳି ଉଠାଇବା କାହାକୁ ? ତା ମାନେ ବିଜେପି ସରକାର ଗୋଟିଏ ୱାସିଂ ମେସିନ୍, ଯିଏ ମିଶିଗଲେ ପୁରାପୁରି ସଫାସୁତୁରା ହୋଇଯିବେ। ଯଦି ଛୁଞ୍ଚି ଓ ଚାଲୁଣୀ କଥା କହିବା, ତେବେ ସମସ୍ତଙ୍କର ଅସଲି ଚେହେରା ପାଦରେ ପଡିଯିବ !
ତମେ କେବଳ ନାମରେ ରାଜା ନୁହଁ, ତୁମକୁ ବାସ୍ତବରେ ରାଜା କରାଯାଉଛି। ଶଙ୍ଖ ବଜାଇବା ବନ୍ଦକର, ଫୁଟିଥିବା ପଦ୍ମଫୁଲ ଶିବିରକୁ ପଳାଇ ଆସ ! ତମକୁ ରାଜା ଚକ୍ର ନୁହେଁ, ଚକ୍ରବର୍ତ୍ତୀ ସମ୍ରାଟ କରିଦିଆଯିବ ! ସମସ୍ତ ପ୍ରକାରର ମାଲିମୋକଦ୍ଦମାରୁୁ ମୁକ୍ତ କରିଦିଆଯିବା ! ଏକଥା ଶୁଣି, ଯେକୌଣସି ବ୍ଯକ୍ତି ସନ୍ଦେହ କରିବା ସହିତ ଆଶ୍ଚର୍ଯ୍ୟ ଏବଂ ଚକିତ ହେବା ସ୍ବାଭାବିକ ଅଟେ। ମୁଁ, ବନେଇ ଚୁନେଇ କଥାବାର୍ତ୍ତା କହୁନାହିଁ, ଯେତେବେଳେ ଏସବୁ କଥା ଶୁଣିଲି। ମୁଁ, ନିଜେ ସ୍ତବ୍ଧ ହୋଇ ରହିଗଲି ! ମୁଁ, ନିଜେ ବିଶ୍ବାସ କରିପାରିଲି ନାହିଁ, ବର୍ତ୍ତମାନ ସମୟରେ ଏପରି କାରନାମା କରାଯାଇ ପାରେ ବୋଲି ! ବଡ ଆଶ୍ଚର୍ଯ୍ୟର ବିଷୟ ଜଣକୁ ହଟାଇ, ଆଉଜଣେ ସିଂହାସନ ଆରୋହଣ କରିବା ପାଇଁ ନିଜ ଦଳରେ ମଧ୍ଯ ଷଡଯନ୍ତ୍ର କରାଯାଇଛି। ଧିକ୍ ତୋମର କଳୁଷିତ ରାଜନିତୀ, ଧିକ୍ ତୋମର କଳୁଷିତ ଷଡଯନ୍ତ୍ର ! ଜଣେ ଆଦିବାସୀ ଲୋକ ରାଜ୍ଯର ମୁଖ୍ୟମନ୍ତ୍ରୀ ହେଲା ବୋଲି ନିଜ ଦଳରେ ମଧ୍ଯ ହୀନ ରାଜନୀତି କରାଯାଉଛି ! ଯଦି ଲୋକମାନେ ମତଦାନ କରି ରାଜ୍ଯ ଶାସନ କରିବାକୁ କ୍ଷମତା ଦେଇଛନ୍ତି। ତେବେ ମତଦାତାଙ୍କ ପ୍ରତି ସମ୍ମାନ ଦେବା ଉଚିତ୍। ଲୋକଙ୍କ ସରକାର ବୋଲି କହୁଛ, ଲୋକମାନଙ୍କୁ ବିଶ୍ବାସ ଘାତକ କରିବା ପାଇଁ ଚେଷ୍ଟା କରନାହିଁ। ନଚେତ୍ ଲୋକେ ସିଧାସଳଖ ଧୂଳି ଚଟାଇଦେବେ। ତୁମ୍ଭମାନଙ୍କ ଗୁମର କଥା ଲୋକମାନେ ସନ୍ଦେହ ବ୍ୟକ୍ତ କରିବା ଆରମ୍ଭ କଲେଣି, ପରସ୍ପର କଥାବାର୍ତ୍ତା କରୁଥିବା ବିଷୟ ଶୁଣିବା ପାଇଁ ମିଳୁଅଛି।
ରାଜା ଚକ୍ର ବିରୁଦ୍ଧରେ ଯେହେତୁ ପର୍ଯ୍ୟାପ୍ତ ପ୍ରମାଣ ଏବଂ ସାକ୍ଷୀର ଅଭାବ ରହିଛି। ତେଣୁ ରାଜା ଚକ୍ର ଏବେ ନହେଲେ ମଧ୍ଯ କିଛିଦିନ ବ୍ୟବଧାନରେ ଜାମିନ ପାଇଯିବ। ଶେଷରେ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ମଧ୍ଯ ହୋଇଯିବ। କିନ୍ତୁ ତୁମ୍ଭର କଳୁଷିତ ରାଜନୈତିକ ଷଡଯନ୍ତ୍ର ପ୍ରତି କେନ୍ଦୁଝର ଜିଲ୍ଲାବାସୀ ତଥା ରାଜ୍ୟବାସୀ କଦାପି କ୍ଷମା କରିବେନାହିଁ। ସତ୍ଯ କେବ ଲୁଚି ରୁହେ ନାହିଁ। ସତ୍ୟର ଧର୍ମ ସ୍ବୟଂ ପ୍ରକାଶିତ କରିବା। ବିଳମ୍ବ ହୋଇପାରେ, କିନ୍ତୁ ସତ୍ୟକୁ କଦାପି ମିଥ୍ଯା ବୋଲି ପ୍ରମାଣିତ କରାଯାଇପାରିବ ନାହିଁ। ଏବେମଧ୍ୟ ବହୁତ ସମୟ ଅଛି, ଯଥାସମ୍ଭବ ପର୍ଯ୍ୟାପ୍ତ ପ୍ରମାଣ ଯୋଗାଡ କରିବା ଉଚିତ୍। ଯଦି କୌଣସି ବ୍ୟକ୍ତି ବିଶେଷଙ୍କ ନିକଟରେ ପ୍ରମାଣ ରହିଛି, ତେବେ ତଦନ୍ତକାରୀ ସଂସ୍ଥାକୁ ନିର୍ଭୟରେ ପ୍ରଦାନ କରିବା ଉଚିତ୍। ଯାହା ଜଣାପଡୁଛି, ରାଜା ଚକ୍ର ଗିରଫଦାରୀ ଏକ ରାଜନୈତିକ ଷଡଯନ୍ତ୍ର ବ୍ୟତିତ ଆଉକିଛି ନୁହେଁ। ଏକ କାଳ୍ପନିକ କାହାଣୀ ଭଳି ଜଣାପଡୁଛି।
ରାଜା ଚକ୍ରକୁ ଗିରଫ କରାଗଲା, ଏଥିରେ ଜିଲ୍ଲାବାସୀଙ୍କୁ କୌଣସି ଲାଭ ମିଳିବାର ନାହିଁ। ପରିତାପର ବିଷୟ ରାଜା ଚକ୍ର ପରି ଅନେକ ଲୋଡିଂ ଓ ଟ୍ରାନ୍ସପୋର୍ଟିଂ କରୁଥିବା ବ୍ୟବସାୟୀ ସେହି ଗନ୍ଧମାର୍ଦ୍ଦନ ଖଣି ସୋସାଇଟି ଦୁର୍ନିତୀରେ ସଂପ୍ରୁକ୍ତ ରହିଛନ୍ତି। ସେମାନଙ୍କୁ ତଦନ୍ତ ପରିସରକୁ ଅଣାଯାଉନଥିବା କଥା ଜାଣିବା ପାଇଁ ମିଳୁଅଛି। ତା ମାନେ ଦୁର୍ନିତୀ କୁ ଘଣ୍ଟଘୋଡାଇବା ପାଇଁ ମଧ୍ଯ ନୂତନ ଷଡଯନ୍ତ୍ର କରାଯାଇଛି। ସିଧାସଳଖ କଥା ହେଲା, ଆମ ଶିବିରକୁ ପଳାଇ ଆସ, ନଚେତ୍ ଜେଲ୍ ଯିବାପାଇଁ ପ୍ରସ୍ତୁତ ରହିଥାଅ। ଏହା ମଧ୍ଯ ଶୁଣିବା ପାଇଁ ମିଳୁଅଛି ଯେ, ଯିଏ ଯେପରି ଉପାୟରେ ଟଙ୍କା ରୋଜଗାର କରୁଛ କର, କିନ୍ତୁ ପୋର୍ସଣ୍ଟେଜ୍ ଠିକ୍ ସମୟରେ ପହଞ୍ଚି ଯିବା ଦରକାର ! ନଚେତ୍ ଏପରି ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିଥିବ। ଏହା ସ୍ପଷ୍ଟ ପ୍ରମାଣିତ କରୁଅଛି ଯେ, ଶାସନ କ୍ଷମତାକୁ ଦୁରୁପଯୋଗ କରାଯାଇଛି। ନ୍ୟାୟାଳୟ, ସାଧାରଣ ପ୍ରଶାସନ, ପୋଲିସ ପ୍ରଶାସନ ଓ ଅନ୍ଯାନ୍ଯ ସରକାରୀ ସ୍ବତନ୍ତ୍ର ଏଜେନ୍ସି ଗୁଡିକ କାହା ବାପାର ଗୁଲାମ ଗିରି କରିବା ପାଇଁ କରାଯାଇନାହିଁ। ଭାରତର ସମ୍ବିଧାନ ଏସବୁ ସଂସ୍ଥା ପ୍ରତି ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିବା ସହିତ ସ୍ବାଧୀନ ଭାବରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଶାସନାଧିନ ବିଜେପି ସରକାର ଯଦି କ୍ଷମତାର ଦୁରୁପଯୋଗ କରିବ, ତେବେ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଶାସନ ତନ୍ତ୍ର ପରିଚାଳନା କ୍ଷେତ୍ରରେ ଅସହଯୋଗ, ବିଳମ୍ବିତ ଓ ବ୍ୟତିକ୍ରମ ପୂର୍ଣ୍ଣ ଭାବରେ କାର୍ଯ୍ୟ କରିବେ। ଯାହା ଫଳରେ ରାଜ୍ଯ ବାସିନ୍ଦା ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖିନ ହେବାକୁ ବାଧ୍ଯ ହେବେ !
ବିନା ଦୋଷରେ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଦେଲେ, ମାନସିକ ନିର୍ଯ୍ୟାତନା ଦିଆଯାଇଛି। ଏହା କଣ ଜଣେ ବ୍ୟକ୍ତିର ମାନବାଧିକାର ଉଲ୍ଲଙ୍ଘନ ନୁହେଁ କି ? ଆଛା, କଥାଟାକୁ ଏବେ ଠିକ୍ ବୁଝି ହେଉଛି, ଆମ ଶିବିରକୁ ପଳାଇ ଆସ ! ତୋମର ସବୁ ଅଧିକାର ସ୍ବତଃ ମିଳିଯିବ ! ଆମେସବୁ ମିଳିମିଶି ଶାସନ କରିବା, କେନ୍ଦୁଝର ଜିଲ୍ଲାରେ ଥିବା ସମସ୍ତ ଖଣିଖାଦାନ ଲୁଟିବା । ତା ମାନେ କେନ୍ଦୁଝର ଜିଲ୍ଲାବାସୀଙ୍କୁ "କେନ୍ଦୁଝରୀଆ ଭାଲୁ" ବୋଲି ଭାବି ନେଇଛ ! ଚିତ୍କାର କରି କହୁଛ, କାହାକୁ ଛଡା ଯିବନାହିଁ; ସବୁ ଖଣି ଲୁଟେରାଙ୍କୁ ଜେଲ୍ ଯିବା କଥା କହି ବାହାସ୍ପୋଟ ମାରୁଛ ! ଲୋକମାନେ ଏକଥା ବୁଝି ଗଲେଣି, ସବୁ ଗୋଟିଏ ଲାଉଗଛ ମଞ୍ଜିର ଫଳ। ପୂର୍ବରୁ ସଙ୍ଗାତ ହୋଇ ଶାସନ କରୁଥିଲେ, ବର୍ତ୍ତମାନ ସାପ ଓ ନେଉଳ ଭଳି ସମ୍ପର୍କ ରହିଛି ବୋଲି ପ୍ରମାଣ କରିବା ପାଇଁ ଚେଷ୍ଟା କରାଯାଇଛି। ଏହାର ପରିଣାମ ଆଗାମୀ ଦିନରେ କେବଳ ଲୋକହସା ହେବା ହିଁ ସାର ହେବ!
ବୈଷ୍ଣବ ବିରାଡ଼ି ଗୋଷ୍ଠୀର ରାଜନେତାଙ୍କ କଥା କଣ କହିବା ? ଏମାନେ ପବିତ୍ର ଗଙ୍ଗାମାତାଙ୍କ ସନ୍ତାନ, ତେଣୁ ଯେତେ ପାପ କଲେ ମଧ୍ଯ ପାପର ଭାଗୀଦାର ହେବାର ନାହିଁ। ସମୟ ଓ ସୁଯୋଗ ନେଇ ନିଜ ନିଜର ବ୍ୟବସ୍ଥା କରିଦେଲେ, ତାପରେ ରାଜା ଚକ୍ର ବିରୁଦ୍ଧରେ ସବୁ ଦୋଷାରୋପ କରି ପାରିବାଇବା ପାଇଁ ପଛାଇଲେ ନାହିଁ। କାରଣ ସେମାନେ ବୈଷ୍ଣବ ବିରାଡ଼ି ଗୋଷ୍ଠୀର, ତେଣୁ ଆମିଷ ଖାଇଦେଲେ ପାପ ଲାଗିବ ନାହିଁ ! କଳେବଳେ କୌଶଳେ ସିହାଂସନ ଆରୋହଣ କରିବା ପାଇଁ ଖୁବ୍ ସୁନ୍ଦର ଷଡଯନ୍ତ୍ର କରିଥିଲେ। ଲୋକମାନଙ୍କୁ ଖୁବ୍ ସୁନ୍ଦର ମିଠା ମିଠା କଥାବାର୍ତ୍ତା କରୁଥିବା ବୈଷ୍ଣବ ବିରାଡ଼ି ଗୋଷ୍ଠୀର ରାଜନେତାଙ୍କ ପ୍ରତି ବେଳ ଥାଉଁ ଥାଉଁ ସାବଧାନ ରୁହ, ନଚେତ୍ ଚେଇଁ ଥିବା ସମୟରେ ହିଁ, ତୁମ୍ଭର କିଡନି ନେଇଯିବାକୁ ପଛାଇବେ ନାହିଁ। ଚା ବିସ୍କୁଟ୍ ଖର୍ଚ୍ଚ ଦେଇଦେବେ, ମିଠା ମିଠା କଥାବାର୍ତ୍ତା କରିବେ, ଆବଶ୍ଯକ ପଡିଲେ ମାଂସ ଓ ହାଡ ମଧ୍ଯ ଯୋଗାଇ ଦେବେ। ତାପରେ ସବୁ ଖୁସ୍, ଶେଷରେ ଦେଖିଲା ବେଳକୁ ସବୁ ଲୁଟ୍। ଆମେ କିଛି କରିନାହୁଁ, ସବୁ ପୂର୍ବ ସରକାର ଲୁଟ୍ କରିଛି ! ଏତିକି ତୋ ଜାଣିଛ, ନା ଏହାଠାରୁ ଅଧିକ କିଛି କହିବାର ଅଛି ? ଧିକ୍ ଧିକ୍ ରେ ତୁମ୍ଭର ହୀନ ରାଜନୀତି ! କେନ୍ଦୁଝର ଜିଲ୍ଲାରେ ଥିବା ଖଣି ଓ ପାଣି ଲୁଟ୍ ହେଉ ଥାଉ, କିନ୍ତୁ ସମସ୍ତଙ୍କ ରାଜନୈତିକ ପଶାଖେଳ ଅନନ୍ତକାଳ ପର୍ଯ୍ୟନ୍ତ ଚାଲିଥାଉ !
ବହୁମତରେ ସରକାର ଗଠନ କରାଯାଏ, କିନ୍ତୁ ସର୍ବ ମତରେ ସରକାର ଚାଲେ। ବର୍ତ୍ତମାନ ସରକାରଙ୍କ ଶାସନ ବ୍ୟବସ୍ଥା କିପରି ଚାଲୁଛି ? ତାହା ବିଧାନସଭାରେ ଚାଲିଥିବା ଅଧିବେଶନ ରୁ ଜଣାପଡୁଛି। ସରକାରଙ୍କ ନିକଟରେ ବହୁମତ ଥିବା ସତ୍ତ୍ବେ, ସର୍ବମତ କଣପାଇଁ ମିଳି ପାରୁନାହଁ ? ଯଦ୍ବାରା ବିଧାନସଭା ଅଧିବେଶନ ବୈଠକ ବାରମ୍ବାର ମୁଲତବୀ କରିବା ପାଇଁ ପଡୁଛି ! ଏହା ହେଉଛି, ଅପାରଗତା ସରକାରଙ୍କ ଶାସନ ବ୍ୟବସ୍ଥା ! ନୂତନ ସରକାର ଗଠନ କରିବାର ଗୋଟିଏ ବର୍ଷ ମଧ୍ଯ ପୁରଣ ହୋଇନାହିଁ। ଏବେ ଏପରି ହଲ ହଲ ଅବସ୍ଥା, ଯାହା ଜଣାପଡୁଛି ଆଗକୁ ସରକାର ସୁଚାରୁରୂପେ ଚାଲିବା ବହୁ କଷ୍ଟକର ପରିସ୍ଥିତି ସମ୍ମୁଖିନ ହେବ। ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ଅଞ୍ଚଳ ମାନଙ୍କରେ ଆଇନଶୃଙ୍ଖଳା ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଅଶାନ୍ତି, ଅସ୍ଥିରତା, ବିଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ଧର୍ଷଣ ଓ ହତ୍ଯା, ଲୁଟପାଟ, ଅପହରଣ, ବ୍ୟଭିଚାର, ଚୋରୀ ଓ ଡକାୟତମାନଙ୍କ ଦୌରାତ୍ମ୍ଯ, ଦୁର୍ନିତୀ, ଦରଦାମ ବ୍ରୁଦ୍ଧି, ଖଣି ଦୁର୍ନିତୀ ଏବଂ ବିଭିନ୍ନ ପ୍ରକାରର ଅରାଜକତା ଆରମ୍ଭ ହେବାର ସମ୍ଭାବନା ରହିଛି। ଏଥିପାଇଁ ସିଧାସଳଖ ଭାବରେ ବର୍ତ୍ତମାନର ସରକାର ହିଁ ଉତ୍ତରଦାୟୀ ହେବ। କାରଣ ବର୍ତ୍ତମାନ ସରକାର ରାଜ୍ଯ ଶାସନ ବ୍ୟବସ୍ଥାରେ ଅଂହକାର ବଶତଃ କ୍ଷମତାର ଦୁରୁପଯୋଗ କରୁଥିବା ଦେଖିବାକୁ ମିଳୁଅଛି। ଯାହା ଫଳରେ ରାଜ୍ଯ ଅଧିବାସୀଗଣ ତାହାର ପରିଣାମ ଭୋଗିବାକୁ ବାଧ୍ଯ ହେବେ।
ଅନେକ ଲୋକମାନେ ଅନେକ ଭ୍ରାନ୍ତ ଧାରଣାରେ ରହିଛନ୍ତି ! ସେ ବାବଦରେ କିଛି ଜାଣିବା ନିତାନ୍ତ ଜରୁରୀ ଅଟେ। ଇଓଡବ୍ଲ୍ୟୁ ତରଫରୁ ସୋସାଇଟି ଆକ୍ଟରେ ବିଭିନ୍ନ ପଞ୍ଜିକୃତ ସଂସ୍ଥାର ଅର୍ଥନୈତିକ ଅପରାଧ ବାବଦରେ ସିଧାସଳଖ ତଦନ୍ତ କରିପାରିବ। ଏଥିରେ ଦ୍ବିମତ ହେବାର ଆବଶ୍ଯକତା ନାହିଁ। ଗନ୍ଧମାର୍ଦ୍ଦନ ଖଣି ସୋସାଇଟି ସଂସ୍ଥାରେ ଦୁର୍ନିତୀ ମାମଲାରେ ଇଓଡବ୍ଲ୍ୟୁ ତରଫରୁ ତଦନ୍ତ କରିବା ଯୁକ୍ତିଯୁକ୍ତ ଅଟେ। ଦିର୍ଘଦିନ ଧରି ତଦନ୍ତ ଜାରି ରଖିବା ପାଇଁ ମଧ୍ଯ କ୍ଷମତା ରହିଛି। ଆମ୍ଭେ ମାନ୍ୟବର ନ୍ୟାୟାଳୟ ଏବଂ ଇଓଡବ୍ଲ୍ୟୁ ତଦନ୍ତକାରୀ ସଂସ୍ଥା ପ୍ରତି କୌଣସି ପ୍ରକାରର ସନ୍ଦେହ ବ୍ୟକ୍ତ କରୁନାହୁଁ। କିନ୍ତୁ ବର୍ତ୍ତମାନ ସରକାର ଏସବୁ ସରକାରୀ ସଂସ୍ଥାକୁ ମାଧ୍ଯମ କରି କ୍ଷମତା ଦୁରୁପଯୋଗ କରୁଥିବା ଶୁଣିବା ପାଇଁ ମିଳୁଅଛି।
ରାଜା ଚକ୍ରକୁ ଗିରଫ କରାଯିବା ପୂର୍ବରୁ ରାଜା ଚକ୍ରକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତରଫରୁ ସର୍ତ୍ତମୁତାବକ ମଧ୍ୟବର୍ତ୍ତୀ କାଳୀନ ଜାମିନ ପାଇଥିବା ସମୟରେ ନିୟମିତଭାବେ ଇଓଡବ୍ଲ୍ୟୁ ତଦନ୍ତକାରୀ ସଂସ୍ଥା ସମ୍ପର୍କରେ ରହିଥିଲା। ରାଜା ଚକ୍ର ଯଦି ଇଚ୍ଛା କରିଥାନ୍ତା, ତେବେ ଫେରାର୍ ହୋଇପାରିଥାଆନ୍ତା। କିନ୍ତୁ ରାଜା ଚକ୍ର ସେପରି ନକରି ଇଓଡବ୍ଲ୍ୟୁ ତଦନ୍ତକାରୀ ସଂସ୍ଥାକୁ ସଂପୂର୍ଣ୍ଣ ସହଯୋଗ କରିଆସିଛି। ତେଣୁ ରାଜା ଚକ୍ର କୁଆଡେ ଫେରାର୍ ହୋଇନଥିଲା। ସବୁବେଳେ ଇଓଡବ୍ଲ୍ୟୁ ତଦନ୍ତକାରୀ ସଂସ୍ଥାକୁ ଅବଗତ କରି ନିକଟରେ ହିଁ ଥିଲା।
ରାଜା ଚକ୍ର ନାମରେ ଏବଂ ନିକଟରେ କୌଣସି ପ୍ରକାରର ବୁଲେଟପ୍ରୁଫ୍ ଗାଡୀ ନାହିଁ ! ଏପରିକି ଇଓଡବ୍ଲ୍ୟୁ ତରଫରୁ ରାଜା ଚକ୍ର ବୁଲେଟପ୍ରୁଫ୍ ଗାଡୀ ବ୍ଯବହାର କରୁଥିବା ବିଷୟ ମଧ୍ଯ ପ୍ରକାଶ କରିନାହିଁ। ଅଦ୍ୟାବଧି ଯେତେଗୁଡିଏ ଗାଡୀ ଜବଦ କରାଯାଇଛି। ସବୁ ଗାଡୀ ଗୁଡିକର ମାଲିକାନା ରାଜା ଚକ୍ର ନାମରେ ନାହିଁ। କିନ୍ତୁ ଯେଉଁ ସବୁ ଗାଡୀ ରାଜା ଚକ୍ର ନାମରେ ରହିଛି, ତାହା ଉପଯୁକ୍ତ କାଗଜପତ୍ରରେ କରାଯାଇଛି।ଯେତେଗୁଡିଏ ବ୍ୟାଙ୍କ ଏକାଣ୍ଟ ଫ୍ରିଜ୍ କରାଯାଇଛି। ତାହା ଅବୈଧ ନୁହେଁ, ସେଥିରେ କୌଣସି ପ୍ରକାରର ବ୍ୟତିକ୍ରମ ପୂର୍ଣ୍ଣ ଓ ସନ୍ଦିଗ୍ଧ ଟଙ୍କା କାରବାର କରାଯାଇଥିବାର ପ୍ରମାଣ ନାହିଁ। ତେଣୁ ଲୋକ କୁହାକୁହି ହେଉଥିବା କଥାବାର୍ତ୍ତାରେ କିଛି ମୂଲ୍ଯ ନାହିଁ ! ଗୋଟିଏ ବଡ ମଜାଦାର କଥା ହେଲା, ରାଜା ଚକ୍ର ଗିରଫଦାରୀ ପରେ ବିଜେଡି ର ଯେତିକି ମୁଣ୍ଡ ବିନ୍ଧୁ ନାହିଁ। ତାହା ଅପେକ୍ଷା ଅଧିକ ଭାବରେ ଶାସନାଧିନ ବିଜେପି ସରକାର ପାଇଁ ରାଜା ଚକ୍ର ଗିରଫଦାରୀ ଘଟଣା ମୁଣ୍ଡ ବିନ୍ଧାର କାରଣ ହୋଇଗଲା ! ରାଜା ଚକ୍ର ବହୁତ ଚାଲାକୀ କରି ଗିରଫଦାରୀ ହେବା ପାଇଁ ସବୁପ୍ରକାର ବନ୍ଦବୋସ୍ତ ନିଜେ ହିଁ କରିଦେଲା। ଯାହା ଫଳରେ ଶାସନାଧିନ ସରକାର ଏବଂ ତଦନ୍ତକାରୀ ସଂସ୍ଥାକୁ ବର୍ତ୍ତମାନ ବହୁତ କଷ୍ଟକର ପରିସ୍ଥିତି ସମୁଖୀନ ହେବାକୁ ପଡୁଅଛି।
ଆମ୍ଭର ମୁଖ୍ଯ ଉଦ୍ଦେଶ୍ଯ ପ୍ରକୃତରେ ଗନ୍ଧମାର୍ଦ୍ଦନ ଖଣି ସୋସାଇଟି ସଂସ୍ଥାରେ କେତେ କୋଟି ଟଙ୍କାର ଦୁର୍ନିତୀ କରାଯାଇଛି ? ଉକ୍ତ ଦୁର୍ନିତୀ ମାମଲାରେ କେଉଁ ଲୋକମାନେ ସଂପ୍ରୁକ୍ତ ରହିଛନ୍ତି ? ଯେହେତୁ ଏହି ଘଟଣା କେନ୍ଦୁଝର ଜିଲ୍ଲା ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ଘଟଣା ଅଟେ। ତେଣୁ ଏବାବଦରେ ଉକ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ଲୋକମାନେ ସଠିକ୍ ବିଷୟ ସମ୍ପର୍କରେ ଜାଣିବାର ଅଧିକାର ରହିଛି। କିଏ କେଉଁ ରାଜନୈତିକ ଦଳର ନେତା ବା ସମର୍ଥକ ଏହା ମୁଖ୍ଯ ପ୍ରସଙ୍ଗ ନୁହେଁ। ଯିଏ ଦୁର୍ନିତୀ କରିଛି, ତାଙ୍କ ବିରୁଦ୍ଧରେ ନ୍ୟାୟାଳୟ ତରଫରୁ ଫଇସଲା କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେଥିରେ ଆମ୍ଭର କିଛି ଯାଏ ଆସେ ନାହିଁ, କିନ୍ତୁ ରାଜନୈତିକ ଷଡଯନ୍ତ୍ର କରି କୌଣସି ବ୍ୟକ୍ତି ବିଶେଷଙ୍କୁ ବିନା ଦୋଷରେ ଆରୋପି କରାନଯିବା ଉଚିତ୍।
ଜନସାଧାରଣଙ୍କ ପାଇଁ ସରକାର ଯେତିକି ଗୁରୁତ୍ବପୂର୍ଣ୍ଣ, ସେହି ପରିମାଣରେ ସରକାରଙ୍କ ପ୍ରତ୍ୟେକ ଏଜେନ୍ସି ଗୁଡିକ ମଧ୍ଯ ବହୁତ ଗୁରୁତ୍ବପୂର୍ଣ୍ଣ ଅଟନ୍ତି। ଯଦି ଆରୋପିତ ମାନଙ୍କୁ କୋର୍ଟରେ ଦୋଷୀ ସାବ୍ଯସ୍ତ ନକରିପାରନ୍ତି। ତେବେ ସରକାରଙ୍କ ସହିତ ତଦନ୍ତକାରୀ ସଂସ୍ଥା ପ୍ରତି ଜନସାଧାରଣଙ୍କ ଭରସା ଓ ବିଶ୍ବାସ ଉଠିଯିବ। ତାପରେ ସମାଜରେ ଅରାଜକତା ବ୍ୟାପୀ ଯିବା ପାଇଁ ବେଶୀ ସମୟ ଲାଗିବ ନାହିଁ। ଖଣି ଦୁର୍ନିତୀ ବିରୁଦ୍ଧରେ ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିରେ କୌଣସି ଆପତ୍ତି କରିବାର ନାହିଁ, କିନ୍ତୁ କୋର୍ଟରେ ଦୋଷୀ ସାବ୍ଯସ୍ତ କରି ସଜା ମିଳିବା ନିତାନ୍ତ ଜରୁରୀ। ନଚେତ୍ ଅତୀତରେ ଦୁର୍ନିତୀ ହେଉଥିଲା, ବର୍ତ୍ତମାନ ପୁନର୍ବାର ଦୁର୍ନିତୀ କରିବା ପାଇଁ ପ୍ରୋତ୍ସାହନ ମିଳୁଅଛି। ଆଗାମୀ ଭବିଷ୍ୟତରେ ଦୁର୍ନିତୀ କରିବା ପାଇଁ କୌଣସି ଲୋକେ ଭୟଭୀତ ହେବେ ନାହିଁ। ଆଗାମୀ ଭବିଷ୍ୟତରେ ଲୋକମାନେ ଭାବି ନେବେ ଯେ, ଯାହାକୁ ବର୍ତ୍ତମାନ ଦୁର୍ନିତୀ ବୋଲି କୁହାଯାଉଅଛି। ତାହା ଦୁର୍ନିତୀ ନୁହେଁ, ପ୍ରକୃତରେ ତାହା ସୁନୀତି ଅଟେ।
ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।