logo

ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେ ଶାବକଙ୍କ ଘର ବାହୁଡ଼ା ଆରମ୍ଭ !


ଗଞ୍ଜାମ,୨୨/୦୩ : ଶାବକ କଇଁଛ ଏବେ ସମୁଦ୍ର ମୁହାଁ ହୋଇଛନ୍ତି । ଗତ ନଭେମ୍ବରୁ ଜାନୁଆରୀ ମଧ୍ୟରେ ସମୁଦ୍ର ମଧ୍ୟରେ ମିଳନ ପର୍ବ ପରେ ଋଷିକୁଲ୍ୟା ମୁହାଣରେ ଗଣ ଅଣ୍ଡାଦାନ କରିଥିଲେ ଲକ୍ଷ ଲକ୍ଷ ମାଈ କଇଁଛ । । ଅଣ୍ଡାଦାନରେ ୪୫ ଦିନ ପରେ ଛୁଆ ଫୁଟିବା ଆରମ୍ଭ ହୋଇଛି । । ସୁଦୂର ଶ୍ରୀଲଙ୍କା ଜାଫନା ଓ କଲମ୍ବୋ ଉପକୂଳରୁ ବଙ୍ଗୋପସାଗର ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଅନ୍ତୁଡ଼ିଶାଳ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣକୁ ଆସିଥିଲେ । ଅଲିଭ ରିଡ୍‌ଲେ ସାମୁଦ୍ରିକ କଇଁଛ ଋଷିକୁଲ୍ୟା ମୁହାଣ ନିକଟ ଗଭୀର ସମୁଦ୍ର ଜଳରାଶିରେ ହଜାର ହଜାର ମାଈ ଓ ପୁରୁଷ କଇଁଛଙ୍କ ସମାଗମ ହୋଇ ମିଳନ ପର୍ବ ହୋଇଥିଲା । ମିଳନର ୪୫ରୁ ୫୦ ଦିନ ମଧ୍ୟରେ ଗଣ ଅଣ୍ଡାଦାନ ଆରମ୍ଭ ହୋଇଥିଲା । ସାମୁଦ୍ରିକ କଇଁଛ ଗୋଡ଼ରେ ଦେଢ଼ ଫୁଟ ଗଭୀର ଗର୍ଭ ଖୋଳି ଅଣ୍ଡାଦାନ କରିଥିଲେ । କଇଁଛ ବିଶାରଦ ଡ . ବାସୁଦେବ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ , ଅଲିଭ ରିଡ୍‌ଲେ କଇଁଛ ୩୫ ବର୍ଷ ହେବା ପରେ ହିଁ ପ୍ରଜନନକ୍ଷମ ହୋଇଥାନ୍ତି । ଅଣ୍ଡାଦାନ କରିବାକୁ ୧୮ ମିନିଟ ରୁ ଅଧିକ ସମୟ ଲାଗେ ବୋଲି ବିଶେଷଜ୍ଞ କହିଛନ୍ତି । ଅଣ୍ଡାଦାନ ସରିବା ପରେ ଅଣ୍ଡା ଦେଇଥିବା ଗର୍ଭକୁ ବାଲିରେ ଘୋଡ଼ାଇ ସମୁଦ୍ର ଗର୍ଭକୁ ଚାଲି ଯାଇଥାନ୍ତି । କଇଁଛଙ୍କ ଅଣ୍ଡା ୩୦ ଡିଗ୍ରୀ ତାପମାତ୍ରାରେ ବାଲି ଭିତରେ ରହିବା ପରେ ଏହାର ୪୫ରୁ ୫୦ ଦିନ ମଧ୍ୟରେ ଅଣ୍ଡାରୁ ଶାବକ ବାହାରି ସମୁଦ୍ର ମୁହାଁ ହୋଇଥାଆନ୍ତି । ଗତ ୨୦୨୧– ୨୦୨୨ରେ ଅଲିଭ ରିଡ୍‌ ୫ଲକ୍ଷ ୫୦ ହଜାର ସାମୁ- ହିକ ଅଣ୍ଡାଦାନ ହୋଇଥିବା ବେଳେ ୨୦୨୨ - ୨୩ରେ ୬ ଲକ୍ଷ ୩୪ ହଜାର କଇଁଛ ଅଣ୍ଡାଦାନ କରିଥିଲେ । ପ୍ରତିକୂଳ ଜଳବାୟୁ ପରିବର୍ତ୍ତନ ହେତୁ ୨୦୨୩ - ୨୪ରେ ଗଣଅଣ୍ଡାଦାନ ହୋଇନଥିଲା । କିନ୍ତୁ ଚଳିତ ବର୍ଷ ଅର୍ଥାତ ୨୦୨୪ - ୨୫ରେ ୬,୯୮,୭୧୮ ଗଣ ଅଣ୍ଡାଦାନ ହୋଇଛି ଯାହା ପୂର୍ବ ରେକର୍ଡ଼କୁ ପଛରେ ପକାଇ ସର୍ବକାଳୀନ ବିଶ୍ବ ରେକର୍ଡ କରିଛି । ଖଲ୍ଲିକୋଟ ରେଞ୍ଜ ଅଧିକାରୀ ତଥା ଏସିଏଫ୍ ଦିବ୍ୟ ବେହେରା କହିଛନ୍ତି , ଗଣ ଅଣ୍ଡାଦାନ ପୂର୍ବରୁ ନଭେମ୍ବର ମାସରୁ ଋଷିକୁଲ୍ୟା ମୁହାଣରେ ସୋରାଡିକ୍ ନେଟିଂ ଆରମ୍ଭ ହୋଇଥିଲା । କିଛି ସ୍ଥାନରେ ଅଣ୍ଡାଦାନ ସମୟରେ କଇଁଛ ଦେଇଥିବା ଅଣ୍ଡାରୁ ବର୍ତ୍ତମାନ ଶାବକ ଜନ୍ମ ନେଇଛନ୍ତି । ଗଣ ଅଣ୍ଡାଦାନ ସମୟର ଅଣ୍ଡାରୁ ଶାବକ ଏପ୍ରିଲ ପହିଲା ସପ୍ତାହରେ ବାହାରିବେ ବୋଲି ଆଶା କରାଯାଉଛି । କଇଁଛ ଶାବକ ସୁରକ୍ଷା ଦୃଷ୍ଟିରୁ ବନବିଭାଗ ଓ ସ୍ୱେଛାସେବୀ ଅନୁଷ୍ଠାନ ସଦସ୍ୟ ସଜାଗ ରହିଥିବା ଜଣାପଡିଛି ।

31
2101 views