logo

ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀଙ୍କ ଧାରଣା ୧୧ଦିନରେ:କୋରାପୁଟ ଜିଲ୍ଲାରେ ବିଭିନ୍ନ ସେବା ବାଧାପ୍ରାପ୍ତ

କୋରାପୁଟ,୨୦/୦୩:ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଡାକରା ଅନୁଯାୟୀ ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଏବଂ ସ୍ଥାୟୀ ନିଯୁକ୍ତି ଆଦି ଦୁଇ ଦଫା ଦାବି ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା କର୍ମଚାରୀ ଭୁବନେଶ୍ୱରର ଲୋୟର ପିଏମଜିରେ ଗଣ ଧାରଣାରେ ବସିଛନ୍ତି।ମାର୍ଚ୍ଚ ୧୦ ତାରିଖରୁ ଜାତୀୟ ସ୍ବାସ୍ଥ୍ୟ ମିଶନର ପରିଚାଳନା କର୍ମଚାରୀ ଧାରଣାରେ ବସି ଥିବାରୁ ସ୍ବାସ୍ଥ୍ୟସେବା କ୍ଷେତ୍ରର ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।କୋରାପୁଟ ଜିଲ୍ଲାର ସଦର ମହକୁମା ହସ୍ପିଟାଲ ସହିତ ବିଭିନ୍ନ ବ୍ଲକରୁ ସମସ୍ତ ୧୪୬ଜଣ କର୍ମଚାରୀଏହି ଗଣ ଧାରଣାରେ ଭାଗ ନେଇଛନ୍ତି।ଉଲ୍ଲେଖଯୋଗ୍ୟ ଉକ୍ତ କର୍ମଚାରୀ ମାନେ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଯଥା ମାତୃ ଏବଂ ଶିଶୁ ମୃତ୍ୟ ହାର ହ୍ରାସ,ଜନନୀ ଶିଶୁ ସୁରକ୍ଷା ଯୋଜନା,ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ,ଯକ୍ଷ୍ମା,କୁଷ୍ଠ ମ୍ୟାଲେରିଆ,ଫାଇଲେରିଆ ରୋଗର ନିରାକରଣ ପରିଚାଳନା,ମାନସିକ ରୋଗ,ଅଣସଂକ୍ରାମକ ରୋଗର ପରିଚାଳନା,ଦୈନଦିନ ପରିଚାଳନା,ରୋଗୀ ପରାମର୍ଶ,ଆଶାଙ୍କୁ ଦେୟ ପୈଠ ଇତ୍ୟାଦି ସେବାରେ କାର୍ଯ୍ୟ ତୁଲାଉଥିଲେ।ବର୍ତ୍ତମାନ ଆନ୍ଦୋଳନ ଯୋଗୁଁ ଏହିସବୁ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଗର୍ଭବତୀ,ପ୍ରସୂତୀ ଓ ଅନ୍ୟ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ହେଉଥିବା ଅର୍ଥରାଶି ପ୍ରଦାନ ହୋଇପାରୁନାହିଁ।ସେଇଭଳି ନିର୍ମଳ ଷ୍ଟାଫ,ଆଶାକର୍ମୀ ଆଦିଙ୍କୁ ମଧ୍ୟ ପ୍ରାପ୍ୟ ମିଳି ପାରୁନାହିଁ।ସମସ୍ତ ପୋର୍ଟାଲ ରିପୋର୍ଟିଂ ବାଧାପ୍ରାପ୍ତ ହୋଇଛି lକର୍ମଚାରୀଙ୍କ ବୟସ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ କାର୍ଯ୍ୟ କରିବା ପରେ ମଧ୍ୟ ଜଣଙ୍କର ମଧ୍ୟ ଚାକିରି ନିୟମିତ ହୋଇ ନାହିଁ।ସ୍ୱଳ୍ପ ଦରମାରେ ପରିବାର ପ୍ରତିପୋଷଣ କଷ୍ଟସାଧ୍ୟ ହୋଇ ପଡିଥିବା ଦର୍ଶାଇ, ଦାବି ପୂରଣ ଦିଗରେ ପଦକ୍ଷେପ ନେବାପାଇଁ ଏହି କାର୍ଯ୍ୟବନ୍ଦ ଡାକରା ଯୋଗୁଁ ସମଗ୍ର ଜିଲ୍ଲାରେ ଏହାର ପ୍ରଭାବ ଦେଖା ଦେଇଛି।ଏହା ଦ୍ବାରା ଗାଁ,ବ୍ଲକ୍ ଏବଂ ଜିଲ୍ଲାସ୍ତରରେ ସ୍ବାସ୍ଥ୍ୟ ସେବା ପରିଚାଳନା ଏକ ପ୍ରକାର ଠପ୍ ହୋଇଯାଇଛି।ଆଉ କିଛିଦିନ ଧାରଣା ଚାଲିଲେ ସ୍ୱାସ୍ଥ୍ୟ ମିଶନରୁ ଦରମା ପାଉଥିବା ଡାକ୍ତର ଓ କର୍ମଚାରୀଙ୍କ ଦରମା ହୋଇପାରିବ ନାହିଁ ଓ ବିଭିନ୍ନ ସ୍ଵାସ୍ଥ୍ୟସେବା ପାଇଁ ଠିକାଦାରଙ୍କ ଜରିଆରେ ନିୟୋଜିତ ଯାନ ଓ କର୍ମଚାରୀଙ୍କ ମାସିକ ଦେୟ ପ୍ରଦାନ ହୋଇ ପାରିବ ନାହିଁ ବୋଲି କାର୍ଯ୍ୟରତ କର୍ମଚାରୀଙ୍କ ମହଲରେ ଆଶଙ୍କା ପ୍ରକାଶ ପାଇଛି।ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ଚେତାବନୀ ଦେଇଛନ୍ତି l

86
14549 views