logo

*ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବିଡ଼। ଓଡ଼ିଆ ପରମ୍ପରା ସହ ପଖାଳ ଯୋଡ଼ି ହୋଇରହିଛି।*

ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି। ପଖାଳର ନିବିଡ଼ତା ଓଡ଼ିଆ ଜାତି ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇରହିଛି। ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଛୋଟ ଠୁ ବଡ଼, ଗରିବ ଠୁ ଧନୀ ଏଠି ସମସ୍ତଙ୍କ ପ୍ରିୟ ପଖାଳ । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ ।

ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରିୟ ପଖାଳ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ । ଖରାଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କୁ ଶାନ୍ତି ମିଳିଥାଏ । ଓଡ଼ିଶାରେ ପଖାଳର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଥିପାଇଁ ଓଡ଼ିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ। ଖରାଦିନ ହେଉ ଅବା ଅନ୍ୟଦିନ, ଗରିବ ହେଉ ବା ଧନୀ ସମସ୍ତଙ୍କ ଲୋଡ଼ା ପଖାଳ କଂସା । ଉଦୁଉଦିଆ ଖରାବେଳରେ କଂସାଏ ପଖାଳ ଖାଇଦେଲେ କଥା ସରିଲା। ସତେକି ଖରାଦିନର ଅମୃତ ଏହି ପଖାଳ। ଖରାଦିନର ତାତି ବେଳେ ପେଟରେ ଗଣ୍ଡେ ପଖାଳ ପଡିଗଲେ ତା’ର ମଜ୍ଜା ନିଆରା। ତାତିରୁ ଟିକେ ଆରାମ ପାଇବା ପାଇଁ ବା ପେଟ ଗରମ ଓ ଦେହରେ ଜଳୀୟ ଅଂଶ କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ପଖାଳକୁ ରାମବାଣ ଭଳି ଗ୍ରହଣ କରାଯାଏ।

ବଡ଼ଦେଉଳରେ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଛପନ ଭୋଗରେ ସନ୍ଧ୍ୟା ଧୂପ (ତୃତୀୟ ଧୂପ)ରେ ପଖାଳ ଲାଗି ହୋଇଥାଏ ।ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅଁ ପଖାଳରେ ଆତ୍ମସନ୍ତୋଷ ପାଇଥାନ୍ତି ।ଗ୍ରୀଷ୍ମଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ କରାଯାଇଥାଏ । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାପାଇଁ ଚନ୍ଦନଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନମୋହନ ଚାପଖେଳ ପାଇଁ ବାହାରନ୍ତି । ଖରାଦିନେ ଭକ୍ତମାନେ ମହାପ୍ରସାଦକୁ ପଖାଳ କରି ଖାଇବାର ଦେଖାଯାଏ । ପ୍ରତିଦିନ ସକାଳୁ ଶ୍ରୀମନ୍ଦିରରେ ଟଙ୍କ ତୋରାଣି ମିଳିଥାଏ, ଯାହା ମହା ପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ ।

୧୯୩୪ ମସିହାରେ ଗାନ୍ଧୀଜୀଙ୍କର ଓଡ଼ିଶାରେ ପଦଯାତ୍ରା ସମୟରେ ପିପିଲି ନିକଟସ୍ଥ ଶିଉଳା ଛକଠାରେ ପଦଯାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା । ମଧ୍ୟାହ୍ନ ଭୋଜନପରେ ଯେଉଁ ଭାତ ବଳିଯାଇଥିଲା, ଓଡ଼ିଆ କର୍ମୀମାନେ ତାକୁ ନଷ୍ଟ ନକରି ପଖାଳ କରିଦେଇଥିଲେ ଓ ସେଇ ପଖାଳକୁ ପଦଯାତ୍ରୀମାନେ ପୁଣି ଉପରଓଳି ଖାଇ ପାରିଥିଲେ । ଏହା ଦେଖି ମହାତ୍ମା ଗାନ୍ଧୀ କହିଥିଲେ, "ଓଡ଼ିଶାର ଲୋକ ଠିକ ଜାଣିଛନ୍ତି ଖାଦ୍ୟର ସଦବ୍ୟବହାର" ।

ଓଡ଼ିଆ ଜୀବନ ଦୁଆ ଶାଗ ପଖାଳ
ଜଗନ୍ନାଥ ରସି ଖାଏ ମନେ ତୁ ଭାଳ
ଚାଖି ନାହିଁ ଯିଏ ଥରେ
ଧିକ ତା’ ଜନମରେ
ମଣିଷ ଯାକରେ ସେତ ଅଣ ପୁରୁଷା
ଆସ ଜୀବନ ଧନ ମୋର ପଖାଳ କଂସା !!

0
0 views