
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବଦଳାଇଲା ନିଷ୍ପତ୍ତି, ଏବେ ବିନା ମ୍ୟାଥମେଟିକ୍ସରେ ବି ମିଳିବ ବିକମ୍ ଅନର୍ସରେ ଆଡମିସନ
ନୂଆଦିଲ୍ଲୀ ୯।୩: ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ) ବିକମ୍ ଅନର୍ସରେ ଆଡମିସନ ପାଇଁ ଆଉ ଦ୍ୱାଦଶ ଶ୍ରେଣୀରେ ଗଣିତ ବିଷୟ ବାଧ୍ୟତାମୂଳକ ନୁହେଁ ବୋଲି ଘୋଷଣା କରିଛନ୍ତି। ଏ ନେଇ ବିଶ୍ୱବିଦ୍ୟାଳୟ ପୂର୍ବରୁ ରଖିଥିବା ନିୟମ ପ୍ରତ୍ୟାହାର କରିଛି। ଏବେ ସେହି ଛାତ୍ରମାନେ ମଧ୍ୟ ବିକମ ଅନର୍ସରେ ଆଡମିସନ ନେଇ ପାରିବେ ଯେଉଁମାନେ ଦ୍ୱାଦଶ ଶ୍ରେଣୀରେ ମ୍ୟାଥମେଟିକ୍ସ ବା ଆପ୍ଲାଏଡ ମ୍ୟାଥମେଟିକ୍ସ ରଖି ନଥିଲେ। ବିଶ୍ୱବିଦ୍ୟାଳୟଙ୍କ ଏହି ନିଷ୍ପତ୍ତି ପରେ ଅନେକ ଛାତ୍ରଙ୍କ ନିମନ୍ତେ ବିକମ ଅନର୍ସର ଦ୍ୱାର ପୁଣି ଖୋଲିଯିବ।
ସୂଚନା ଅନୁସାରେ ଡିୟୁ ପ୍ରଥମେ ଏହି ନିୟମ ଲାଗୁ କରିଥିଲେ ଯେ ବିକମ୍ ଅନର୍ସରେ ଆଡମିସନ କରିବା ପାଇଁ ଦ୍ୱାଦଶ ଶ୍ରେଣୀରେ ଗଣିତ ଅଥବା ଆପ୍ଲାଏଡ ଗଣିତ ବିଷୟ ଥିବା ନିହାତି ଜରୁରି। ବିଶ୍ୱବିଦ୍ୟାଳୟଙ୍କ ଏହି ନିୟମକୁ ଛାତ୍ର ଓ ଅଲଗା ଅଲଗା ଶିକ୍ଷକ ସଙ୍ଗଠନ ବିରୋଧ କରିଥିଲେ। କାରଣ ଏଥିରେ ସେପରି ଛାତ୍ରଙ୍କ କ୍ୟାରିୟର ସୀମିତ ହୋଇଯାଉଥିଲା ଯେଉଁମାନେ ବିନା ଗଣିତରେ କମର୍ସ ପଢୁଥିଲେ। ଏହି ନିଷ୍ପତ୍ତି ଯୋଗୁ ହଜାର ହଜାର ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଉଥିଲା। ଏଣୁ ଛାତ୍ର ସଙ୍ଗଠନ ଓ ଶିକ୍ଷବିଦ୍ ଏହି ନିୟମ ବଦଳାଇବାକୁ ଦାବି କରୁଥିଲେ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବେ ନୂଆ ନିୟମ ଲାଗୁ କରିଛନ୍ତି। ଏଥିରେ ଗଣିତ ବିନା ଛାତ୍ରଛାତ୍ରୀ ବିକମ ଅନର୍ସ ଆଡମିସନ ନେଇ ପାରିବେ। ଏବେ ଛାତ୍ରଛାତ୍ରୀ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି)ରେ ଦୁଇଟି ଅଲଗା ଅଲଗା ବିଷୟ ସଂଯୋଜନାରେ କୌଣସି ଗୋଟିଏ ସହିତ ପରୀକ୍ଷା ଦେଇ ପାରିବେ। ବିଶ୍ୱବିଦ୍ୟାଳୟଙ୍କ ଏହି ନିଷ୍ପତ୍ତିରେ ଏବେ ସେହି ଛାତ୍ରଛାତ୍ରୀଙ୍କୁ ଲାଭ ମିଳିବ ଯେଉଁମାନେ ଦ୍ୱାଦଶ ଶ୍ରେଣୀ ବିନା ଗଣିତ ବିଷୟରେ ଉତୀର୍ଣ୍ଣ ହୋଇଛନ୍ତି। ଛାତ୍ର ଓ ଶିକ୍ଷକମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।