ବାରିପଦାରେ ଜାଗା ମିଶନ୍ ସମ୍ପୂର୍ଣ୍ଣ ଅଚଳ ଅଭିଯୋଗ: ପୁନଃ କାର୍ଯ୍ୟକ୍ଷମ ପାଇଁ ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର ଦାବୀ
ODISHA: ମୟୂରଭଞ୍ଜ/ବାରିପଦା (DLH KHABAR) :- ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ବିଜୟରାମଚନ୍ଦ୍ରପୁର ଠାରେ ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବାରିପଦାରେ ଜାଗା ମିଶନ କାର୍ଯ୍ୟକ୍ରମ ପ୍ରାୟ ଠପ୍ ହୋଇ ପଡିଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଫଳରେ ପଟ୍ଟାବିହୀନ ବାସିନ୍ଦାମାନେ ଜମି ଅଧିକାର ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି।ତେଣୁ ଏହି କାର୍ଯ୍ୟକ୍ରମକୁ ପୁନଃ ଆରମ୍ଭ କରିବା ପାଇଁ ଦାବୀ କରିଛି ସଂଘ। ପ୍ରକାଶ ଥାଉକି ଓଡିଶାର ସହରାଞ୍ଚଳରେ ବସବାସ କରୁଥିବା ପଟ୍ଟାବିହୀନ ବାସିନ୍ଦାଙ୍କ ଥଇଥାନ ପାଇଁ "ସ୍ଲମ ଡୁଏଲାର୍ସ ଆକ୍ଟ" ୨୦୧୭ ମସିହାରେ ପାରିତ ହୋଇଥିଲା। ଆଉ ନିୟମାନୁସାରେ ଅଳ୍ପ କେତେକଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ଆଉ କେତେକଙ୍କୁ ଜମି ପାଇଁ ଯୋଗ୍ୟ ପ୍ରମାଣପତ୍ର ବା ଏଲ୍.ଇ.ସି. ପ୍ରଦାନ କରାଯାଇଛି। କେବଳ ସେତିକି ନୁହେଁ, ବାରିପଦା ପୌରାଞ୍ଚଳରେ ଜଙ୍ଗଲ ଜମି କିସମର ପରିବର୍ତ୍ତନ ପାଇଁ ମଧ୍ୟ ପଦକ୍ଷେପ ନିଆ ଯାଉ ନଥିବାରୁ ଅନେକ ପଟ୍ଟାବିହୀନ ବାସିନ୍ଦା ଜମି ଅଧିକାର ପ୍ରମାଣ ପତ୍ର ପାଇପାରୁ ନାହାଁନ୍ତି। ତେଣୁ ଅସମ୍ପୂର୍ଣ୍ଣ ସର୍ଭେକୁ ସମାପ୍ତ କରିବା, ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରିବା ଓ ଏଲ୍.ଇ.ସି. କୁ ବଦଳାଇ ଏଲ୍.ଆର୍.ସି. ପ୍ରଦାନ କରିବ ପାଇଁ ସଂଘ ଦାବୀ କରିଛି।
ସଂଘର ସଭାପତି ନନ୍ଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ କାହ୍ନୁଚରଣ ବେହେରା, ଉପଦେଷ୍ଟା ଗୋପବନ୍ଧୁ, କର୍ଯ୍ୟକାରୀ ସଭାପତି ରବି ଗୋସ୍ଵାମୀ, କୋଷାଧକ୍ଷା ଭାରତୀ ପାତ୍ର ଓ ଅମଲ ଦେ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।