logo

ଅଞ୍ଚଳର ବିକାଶ ଓ ସ୍ଥାନୀୟ ନିଯୁକ୍ତି ପ୍ରତିଶ୍ରୁତି ଫେଲ, ସଫେଇ କାମଟେ ମିଳୁନି ବୋଲି... ବେଦାନ୍ତ ମୁଖ୍ୟ ଫାଟକରେ ଧାରଣା ଦେଲେ ଛତ୍ରପୁର ମହିଳା. • ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ଦୃଢ଼ ନିନ୍ଦା

ଲାଞ୍ଜିଗଡ,୧୯/୧୧(AIMA):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ସ୍ଥାପିତ ହେବା ପରେ ଅଞ୍ଚଳର ବିକାଶ ଓ ସ୍ଥାନୀୟ ନିଯୁକ୍ତିକୁ ପ୍ରାଥମିକତା ଦେବାକୁ ପ୍ରତିଶୃତି ଦେଇଥିଲା ବହୁଦେଶୀୟ କମ୍ପାନୀ ବେଦାନ୍ତ ଲିମିଟେଡ। କିନ୍ତୁ ସ୍ଥାପିତ ହେବାର ଦୀର୍ଘ ୨୦ ବର୍ଷ ପରେ ଝାଡ଼ୁ ପୋଛା ତଥା ସଫେଇ କାମଟିଏ ପାଇଁ ଲୋକଙ୍କୁ କମ୍ପାନୀ ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେବାକୁ ପଡୁଛି। ଏଭଳି ଏକ ଅଭାବନୀୟ ଘଟଣା ଲାଞ୍ଜିଗଡ଼ ଠାରେ ଥିବା ବେଦାନ୍ତ ପ୍ରକଳ୍ପର ଦୋମୁହାଁ ନୀତିକୁ ପଦାରେ ପକାଇଦେଇଛି। ସୋମବାର କେନ୍ଦୁବର୍ଡି ଗାଁର ଧରଣୀ ପୀଠରେ ଭଙ୍ଗାରୁଜାକୁ ନେଇ ଆଦିବାସୀମାନେ ୩୬ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଦେଇଥିଲେ। ତେବେ ସକାଳ ନହେଉଣୁ ମଙ୍ଗଳବାର ବଡ଼ିଭୋରରୁ ଛତ୍ରପୁରର ମହିଳାମାନେ ବେଦାନ୍ତ ମୁଖ୍ୟ ଫାଟକରେ ବସି ଧାରଣା ଦେଇଥିଲେ। ଦୀର୍ଘ ସମୟ ଧରି ମହିଳାମାନେ ଧାରଣା ଦେବା ଫଳରେ ବେଦାନ୍ତ ଲିମିଟେଡ଼ରେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଥିଲା। ବେଦାନ୍ତ କର୍ତ୍ତୃପକ୍ଷ ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ଝାଡ଼ୁପୋଛା ଓ ସଫେଇ ଭଳି କାମଟିଏ ଯୋଗାଇ ଦେଇପାରୁନ'ଥିବା ବେଦାନ୍ତ ଲିମିଟେଡ଼ ସାରା ଜିଲ୍ଲା ଓ ରାଜ୍ୟର ବିକାଶ ସମ୍ପର୍କରେ କି ପଦକ୍ଷେପ ନେବ ବୋଲି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ଆଜି ଆନ୍ଦୋଳନକାରି ମହିଳାମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଧମକ ଚମକ ଦେଇ ଆନ୍ଦୋଳନରୁ ହଟାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତେବେ ଆଜି ଧାରଣା ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ସାମ୍ବାଦିକଙ୍କୁ କମ୍ପାନୀ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ନିଜର ଅପାରଗତା ଲୁଚାଇବାକୁ ଯାଇ ବେଦାନ୍ତ କର୍ତ୍ତୃପକ୍ଷ ଗଣମାଧ୍ୟମର କଣ୍ଠରୋଧ କରିବା ଭଳି ହୀନ ଉଦ୍ୟମକୁ ସାରା ଜିଲ୍ଲାର ସାମ୍ବାଦିକ ମହଲରେ ଦୃଢ଼ ନିନ୍ଦା କରାଯାଇଛି। ଆବଶ୍ୟକ ହେଲେ ବେଦାନ୍ତ ଲିମିଟେଡ଼ର ଏଭଳି ବିଭିନ୍ନ ନିନ୍ଦନୀୟ କାର୍ଯ୍ୟକଳାପ ବିରୋଧରେ ସାରା ଜିଲ୍ଲାରେ ଏକ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚର୍ଚ୍ଚା ଓ ଆଲୋଚନା ହେଉଛି।

4
575 views