logo

ବେଦାନ୍ତ କର୍ତ୍ତୃପକ୍ଷ ଦ୍ୱାରା ଆଦିବାସୀଙ୍କ ଧରଣୀଗୁଡ଼ିକୁ ଅସମ୍ମାନ,ରାସ୍ତାରେ ଧାରଣା ଦେଲେ କେନ୍ଦୁବର୍ଡି ଗ୍ରାମବାସୀ. •ଜଗନ୍ନାଥପୁର - ବେଦାନ୍ତ ମୁଖ୍ୟ ଫାଟକ ରାସ୍ତା ଠପ୍.

ଲାଞ୍ଜିଗଡ,୧୮/୧୧(ନି:ପ୍ର):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ଼ ଦ୍ୱାରା ବିଭିନ୍ନ ସମୟରେ ବିଭିନ୍ନ ବେଆଇନ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଥିବାବେଳେ ପୋଲିସ ପ୍ରଶାସନ ବେଦାନ୍ତକୁ ପ୍ରଶୟ ଦେଉଥିବା ନେଇ ଅସନ୍ତୋଷ ବଢୁଥିବା ଦେଖିବାକୁ ମିଳିଛି। ଆଦିବାସୀଙ୍କ ପରମ ଆରାଧ୍ୟ ଧରଣୀଗୁଡିକୁ ଜାଣିଶୁଣି ଅସମ୍ମାନ କରିବା ସହିତ ଆଦିବାସୀଙ୍କ ଧର୍ମୀୟ ଭାବନା ସହିତ ଖେଳ ଖେଳୁଥିବା ଅଭିଯୋଗ କରି ସୋମବାର ରାସ୍ତାରେ ବସି ଧାରଣା ଦେଇଛନ୍ତି କେନ୍ଦୁବର୍ଡି ଗ୍ରାମବାସୀ। ଅଭିଯୋଗ ଅନୁସାରେ ଲାଞ୍ଜିଗଡ଼ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ କେନ୍ଦୁବର୍ଡି ଗାଁରେ ଥିବା ଧରଣୀଗୁଡ଼ିରେ ଥିବା ଗ୍ରାମ୍ୟ ଦେବାଦେବୀଙ୍କ ପ୍ରତୀକ ହଟାଇ ଭଙ୍ଗାରୁଜା କରିବା ସହିତ ସେଠାରେ କମ୍ପାନୀର କର୍ମଚାରିମାନେ ରୋଷେଇବାସ କରି ଖାଇଥିବା ଆଜି ସକାଳୁ ଦେଖିବାକୁ ପାଇଥିଲେ କେନ୍ଦୁବର୍ଡି ଗ୍ରାମବାସୀ। ତେବେ ଜାଣିଶୁଣି ଦେବାଦେବୀଙ୍କ ପ୍ରତୀକ ହଟାଇବା ସେଠାରେ ଜୋତା ପିନ୍ଧି ଚଳପ୍ରଚଳ ହେବା,ମଦମାଂସର ଆସର କରିବା ଦ୍ୱାରା ଆଦିବାସୀଙ୍କ ଧର୍ମୀୟ ଭାବନା ଆଘାତ ହୋଇଥିବା ଅଭିଯୋଗ କରି ଜଗନ୍ନାଥପୁର- କେନ୍ଦୁବର୍ଡି ମୁଖ୍ୟ ରାସ୍ତାରେ ଧାରଣାରେ ବସିଛନ୍ତି ଶତାଧିକ ଗ୍ରାମବାସୀ। ସୋମବାର ସକାଳ ୮ଟାରୁ ଗାଁ ଲୋକେ ଧାରଣାରେ ବସିଥିବାବେଳେ ଏଥିଯୋଗୁଁ ଜଗନ୍ନାଥପୁର - କେନ୍ଦୁବର୍ଡି ସମେତ ବେଦାନ୍ତ ମୁଖ୍ୟ ଫାଟକକୁ ସଂଯୋଗ କରୁଥିବା ରାସ୍ତା ସଂପୂର୍ଣ୍ଣ ଭାବେ ଠପ ହୋଇଯାଇଛି। ବେଦାନ୍ତ କର୍ତ୍ତୃପକ୍ଷ ନିଜ ଦୋଷ ଢାଙ୍କିବାକୁ ଉଦ୍ୟମ ଆରମ୍ଭ କରିଦେଇଥିବାବେଳେ ଲୋକଙ୍କୁ ବୁଝାସୁଝା କରିବାରେ ବିଫଳ ହୋଇଛନ୍ତି। ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଥିବାବେଳେ ବେଦାନ୍ତ କର୍ତ୍ତୃପକ୍ଷ ଧାରଣାରତ ଲୋକଙ୍କୁ ବୁଝାଇବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ଲୋକେ ବୁଝିନଥିଲେ। ସେହିପରି ଗାଁ ଲୋକେ ଧରଣୀ ଗୁଡ଼ିର ପୁନଃରୁଦ୍ଧାର ଓ ପ୍ରତିଷ୍ଠା ସହିତ ପୂଜାପାଠ କରିବା ଦାବିରେ ଅଡ଼ି ବସିଥିଲେ। ଫଳରେ କୌଣସି ସମାଧାନ ବାହାରି ପାରିନାହିଁ। ବିଳମ୍ବିତ ରାତି ଯାଏଁ ରାସ୍ତାରୋକ ଆନ୍ଦୋଳନ ଚାଲିଥିବାବେଳେ ଧିରେ ଧିରେ ବେଦାନ୍ତ ବିରୋଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।

0
0 views