logo

ସୁନ୍ଦରଗଡ଼ ସଦଭାବନା ପରିସରରେ ଜିଲ୍ଲାସ୍ତରୀୟ ଜାତୀୟ ଗଣମାଧ୍ୟମ ଦିବସ ପାଳିତ

ସୁନ୍ଦରଗଡ: ୧୬/୧୧/: ସୁନ୍ଦରଗଡ଼ ସଦଭାବନା ପରିସରରେ ଆଜି ଜିଲ୍ଲା ସ୍ତରୀୟ ଜାତୀୟ ଗଣମାଧ୍ୟମ ଦିବସ ପାଳିତ ହୋଇଯାଇଛି। ଜାତୀୟ ଗଣମାଧ୍ୟମ ଦିବସ ଉପଲକ୍ଷେ ଚଳିତ ବର୍ଷର ଶୀର୍ଷକ ରହିଥିଲା "ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ୱରୂପ" । ସ୍ଥାନୀୟ ସଦଭାବନା ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ପ୍ରିଣ୍ଟିଂ ପ୍ରେସର ଉଦଦ୍ଭାବନ ଏବଂ ଗଣମାଧ୍ୟମ କ୍ଷେତ୍ରର ଭୂମିକା ଉପରେ ନିଜର ବକ୍ତବ୍ୟ ରଖିଥିଲେ l ନିଜର ବାତ୍ସଲ୍ୟ କାଳରେ ଏବଂ ସିଭିଲ ସର୍ଭିସ ପରୀକ୍ଷାର ପ୍ରସ୍ତୁତି ସମୟରେ ସମ୍ବାଦ ପତ୍ର ଏବଂ ପତ୍ରିକା ଗୁଡିକର କିଭଳି ଭାବେ ତାଙ୍କ ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ତା ଉପରେ ବର୍ଣ୍ଣନା କହିଥିଲେ। ସେହିପରି ଜିଲ୍ଲାପାଳ ଶ୍ରୀ ମହାଜନ ସମାଜ ପ୍ରତି ଗଣମାଧ୍ୟମର ଭୂମିକା ଏବଂ ସମାଜ ପ୍ରତି ଗଣମାଧ୍ୟମର ଗୁରୁଦାୟିତ୍ଵ ଉପରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ବୈଠକ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସରକାରୀ ମହିଳା ମହାବିଦ୍ୟାଳୟ ର ଅତିଥି ଅଧ୍ୟାପିକା ସୁସ୍ମିତା ଭୋଇ ପରିବର୍ତ୍ତନଶୀଳ ଗଣମାଧ୍ୟମର ସ୍ୱରୂପ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ପ୍ରକୃତି ଯେପରି ସମୟ ସହିତ ପରିବର୍ତ୍ତନଶୀଳ ସେହିପରି ଗଣମାଧ୍ୟମ ମଧ୍ୟ ସମୟ ସହିତ ତାଳ ଦେଇ ଆଗକୁ ବଢ଼ିଚାଲିଛି। ଶ୍ରୀମତୀ ଭୋଇ କହିଥିଲେ - ସମ୍ବାଦପତ୍ର ବା ଗଣମାଧ୍ୟମ କେବଳ ସୂଚନା ପ୍ରସାରଣର ମାଧ୍ୟମ ନୁହେଁ ଏହା ହେଉଛି ସଂପୃକ୍ତ ଅଞ୍ଚଳର ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାରର ବଳିଷ୍ଠ ମାଧ୍ୟମ। ସମାଜର ବିଭିନ୍ନ ସ୍ତରରେ ଥିବା ବିଭିନ୍ନ ସମସ୍ୟା ଆଦିକୁ ଲୋକଲୋଚନକୁ ଆଣିବା ସହିତ ସେହି ସମସ୍ୟା ଗୁଡ଼ିକର ଉଚିତ୍ ସମାଧାନ ଦିଗରେ ମଧ୍ୟ ଗଣମାଧ୍ୟମର ଭୂମିକା ରହିଛି। ଆଜିର ଡିଜିଟାଲ ଯୁଗରେ କୌଣସି ସୂଚନା ପ୍ରସାରଣ ପୂର୍ବରୁ ସଂପୃକ୍ତ ସୂଚନାର ସଠିକ୍ ତଥ୍ୟାତଥ୍ୟ ମଧ୍ୟ ଯାଞ୍ଚ କରିବା ଅପରିହାର୍ଯ୍ୟ ବୋଲି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ସାମ୍ୱାଦିକ ଦେବେନ୍ଦ୍ର କୁମାର ଭିତ୍ରିଆ ସାମ୍ୱାଦିକ ମାନଙ୍କ ସୁବିଧା ଅସୁବିଧା ବିଷୟରେ ବକ୍ତବ୍ୟ ରଖିଥିଲେ l ପରେ ପରେ ଉପସ୍ଥିତ ସାମ୍ବାଦିକ ଏବଂ ଅଧିକାରୀ ମାନଙ୍କ ଭିତରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର
ପଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ।

105
5072 views