logo

*କାର୍ତ୍ତିକ ପୂର୍ଣ୍ଣିମା ରେ ଶିଳ୍ପାଞ୍ଚଳ ଉତ୍ସବ ମୁଖରିତ*


ଦାମନଯୋଡି: କୋରାପୁଟ ଜିଲ୍ଲାର ଶିଳ୍ପାଞ୍ଚଳ ଦାମନଯୋଡି ତଥା ଆଖପାଖ ଅଞ୍ଚଳ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଉତ୍ସବ ମୁଖରିତ ହୋଇ ଉଠିଥିଲା । ଶୁକ୍ରବାର ବଡି ଭୋର ରୁ ମରିଚମାଳ ନଦୀ, ମାଥାଲପୁଟ ସ୍ଥିତ କୁଟରା ନଦୀ ଓ ଟାଉନସିପ ସ୍ଥିତ ଶାବରୀ ହ୍ରଦରେ ହଜାର ହଜାର ଲୋକେ ଡଙ୍ଗା ଭସାଇ ଓଡ଼ିଶାର ଗୌରବମୟ ଐତିହ୍ୟ ଓ ପରମ୍ପରା ସାଧବ ମାନଙ୍କ ବୋଇତ ଯାତ୍ରା ପରମ୍ପରାକୁ ପାଳନ କରିଥିଲେ । ଏହି ପରିପ୍ରେକ୍ଷିରେ ନାଲକୋ ପକ୍ଷରୁ ଶାବରୀ ହ୍ରଦରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥିଲା । ନାଲକୋର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ସାଧବ ପୁଅ ବେଶରେ ବୋଇତ ଯାତ୍ରା କରିଥିଲେ । ପରମ୍ପରା ଅନୁଯାୟୀ ମହିଳା ମାନେ ସାଧବ ବୋହୂ ବେଶରେ ଶ୍ରୀ ସାମଲ ଙ୍କୁ ବନ୍ଦାପନା କରିଥିଲେ । ନାଲକୋ ଟାଉନସିପ, ଭେଜାପୁଟ, ମାଥାଲପୁଟ, ମରିଚମାଳ ଆଦି ମନ୍ଦିର ମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ବତନ୍ତ୍ର ଯଜ୍ଞ ଓ ପୂଜାର୍ଚ୍ଚନା ଆୟୋଜନ କରାଯାଇଥିଲା ।
ଇତି ଅବସରରେ ଭେଜାପୁଟ ସ୍ଥିତ ଗାୟତ୍ରୀ ପ୍ରଜ୍ଞାପୀଠ ର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଦିନ କଳସ ଯାତ୍ରା ରେ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଶୁକ୍ରବାର ଦିନ ପଞ୍ଚ କୁଣ୍ଡୀୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ବ୍ରତୋପାନୟନ, ପୁଂଶବନ, ନାମକରଣ, ମଣ୍ଡନ, ବିଦ୍ୟାରମ୍ଭ , ଦୀକ୍ଷା ଗ୍ରହଣ ଆଦି ସଂସ୍କାର ବିଧି କରାଯାଇଥିଲା । ପ୍ରଜ୍ଞାପୀଠ ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ସିମାଞ୍ଚଳ ପାଢ଼ୀ ଙ୍କ ନାମଫଳକ ଉନ୍ମୋଚନ କରାଯାଇଥିଲା । ସନ୍ଧ୍ୟାରେ ମନ୍ଦିର ମାନଙ୍କରେ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଦାମନଯୋଡି ତଥା ଆଖପାଖ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

43
3616 views