ପବିତ୍ର ଦେବୋତ୍ଥାପନ ଏକାଦଶୀ
ଆଜି ପବିତ୍ର ଦେବୋତ୍ଥାପନ ଏକାଦଶୀ (ତା:୧୨/୧୧/୨୦୨୪)
ଅଶୁଦ୍ଧ କାଳର ସାମାପ୍ତି ହେବା ସହ ଆରମ୍ଭ ହୋଇଥାଏ ଶୁଦ୍ଧକାଳ
କାର୍ତ୍ତିକ ମାସର ବଡ଼ ଏକାଦଶୀ ହିଁ ଦେବୋତ୍ଥାପନ ଏକାଦଶୀ । ୪ମାସ ଧରି ଶୟନ କରିଥିବା ଠାକୁରେ ଆଜିର ଦିନରେ ସାଷ୍ଟାଙ୍ଗ ହୁଅନ୍ତି । ନିଦ୍ରା ଭଙ୍ଗହୁଏ ଠାକୁର ଙ୍କର । ଏହି ଦିନଠାରୁ ଅଶୁଦ୍ଧ କାଳର ସାମାପ୍ତି ଘଟି ଥାଏ । ଆରମ୍ଭ ହୋଇଥାଏ ଶୁଦ୍ଧକାଳ । ୪ମାସ ଧରି ବନ୍ଦ ରହିଥିବା ସମସ୍ତ ମାଙ୍ଗଳିକ କାର୍ଯ୍ୟ ପୁନଃ ଆରମ୍ଭ ହୋଇଥାଏ । ତେବେ ମନରେ ପ୍ରଶ୍ନଉଠେ ଯେ, ଶ୍ରୀବିଗ୍ରହମାନେ ୪ମାସ ଧରି ଶୋଇଲେ କେବେ ଯେ, ଉଠିଲେ ଆଜି ? ରତ୍ନସିଂହାସନରେ ତ ସେ ପୂର୍ବବତ ବସିଛନ୍ତି, ଚକାଆଖି ମେଲି ଆଉ ଭୁଜ ଲମ୍ବାଇ !
ବାସ୍ତବରେ ଏ ପ୍ରସଙ୍ଗଟି ରୋଚକ। ଆଷାଢ ଶୁକ୍ଳ ଏକାଦଶୀ ଦିନ ରଥଉପରେ ଶ୍ରୀଜୀଉମାନେ ଥିବା ବେଳେ ସୁନାବେଶ ହୁଏ । ଏହି ଦିନ ରାତ୍ର ପହୁଡ ବେଳେ, ରଥ ଉପରେ ଶୟନନୀତି ଅନୁଷ୍ଠିତ ହୁଏ । ରୂପାବଟାରେ ଶ୍ରୀବିଗ୍ରହଙ୍କ ଅର୍ଚ୍ଚା ପ୍ରତୀମା ବା ଶୟନ ବିଗ୍ରହଙ୍କୁ ତାମ୍ବୁଳ ଖୁଆଇ ସେହି ପେଡିରେ ଶୟନ ନୀତି ସମ୍ପନ୍ନ କରାଯାଏ । ଏହା ପରେ ଆସେ ଭାଦ୍ରବ ଏକାଦଶୀ, ଯେଉଁଦିନ ଠାକୁର ପାର୍ଶ୍ଵ ପରିବର୍ତ୍ତନ କରନ୍ତି । ଏହି ନୀତିରେ ପେଡି ଭିତରେ ଶାୟିତ ଶୟନ ବିଗ୍ରହଙ୍କୁ ପାର୍ଶ୍ଵପରିବର୍ତ୍ତନ ବା କଡ଼ ଲେଉଟାଇ ଦିଆଯାଏ । ସର୍ବଶେଷରେ ପଡିଥାଏ କାର୍ତ୍ତିକ ବଡ଼ ଏକାଦଶୀ, ଯେଉଁଦିନ ଠାକୁରମାନେ ଉକ୍ତ ପେଡିରୁ ବାହାରିଥାନ୍ତି, ଯେଉଁ ଉତ୍ସବକୁ ଦେବୋତ୍ତଥାପନ ଏକାଦଶୀ ଭାବେ ଗ୍ରହଣ କରାଯାଇଛି ।
ଭଣ୍ଡାର ଘରେ ୪ମୂର୍ତ୍ତି ଶୟନ ପ୍ରତିମା ଅଛନ୍ତି। ତନ୍ମଧ୍ୟରୁ ଏକ ମୂର୍ତ୍ତି ଶୟନ ପ୍ରତିମା ନିତ୍ୟ ଶୟନକୁ ବିଜେ କରନ୍ତି । ଅଷ୍ଟଭୂଜ ଅର୍ଦ୍ଧନାରୀଶ୍ବର ବିଗ୍ରହ ହେଉଛନ୍ତି ଏହିଶୟନ ପ୍ରତିମା, ଯାହାଙ୍କର ଗୋଟିଏ ଭାଗ ବିଷ୍ଣୁ ଓ ଅନ୍ୟଭାଗ ଲକ୍ଷ୍ମୀ। ଏହି ଶୟନ ପ୍ରତିମା ରାତିରେ ଡମ୍ବରୁ ବିଜେ କରିବା ପରେ ବନ୍ଦାପନା ହୋଇ ପୁନଃ ଖଟଶେଜ ଘରକୁ ବିଜେ କରନ୍ତି ଓ ଏହାପରେ ୩ଟି ରତ୍ନପଲଙ୍କ ପୋଖରୀଆ ଭିତରାକୁ ଯାଏ ।
କିନ୍ତୁ ଆଜିର ତିଥି ହରି ଶୟନୋତ୍ସବ ସମୟରେ ୩ଟି ବିଗ୍ରହ ବ୍ୟବହାର ହୁଅନ୍ତି । ଏହି ୩ ବିଗ୍ରହ ସୁବର୍ଣ୍ଣ ବା ସୁନାରେ ନିର୍ମିତ। ବଳଭଦ୍ରଙ୍କ ପାଇଁ ବାସୁଦେବ, ସୁଭଦ୍ରାଙ୍କ ପାଇଁ ଭୁବନେଶ୍ବରୀ ଓ ଶ୍ରୀଜଗନ୍ନାଥ ଓ ସୁଦର୍ଶନଙ୍କ ପାଇଁ ଶ୍ରୀ ନାରାୟଣ ବିଗ୍ରହ ରହିଥାନ୍ତି । ଯାହାଙ୍କୁ ପେଡିରେ ମୁଦ ଦେଇ ଚତୁମାସ୍ୟ ବ୍ରତ ସମ୍ପନ୍ନ ହୁଏ ।
କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ପେଡିରୁ ଏହି ବିଗ୍ରହ ପ୍ରତିମାଙ୍କୁ ବାହାର କରି ମହାସ୍ନାନ କରାଇ ପ୍ରଥମେ ରତ୍ନସିଂହାସନ ଓ ପରେ ଖଟଶେଜ ଘରେ ବିଜେ କରାଯାଏ । ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହୁଏ, ଯାହାର ନାମଠିଆକିଆ ବେଶ । ନାମରୁ ସ୍ପଷ୍ଟ ଯେ ଏହି ବେଶରେ କିଆ ଫୁଲ ଲାଗି ହେଉଥିବ, ମାତ୍ର ଏହି କିଆ ସୁନାରେ ନିର୍ମିତ ହୋଇଥାଏ । ଠିଆ ଠିଆ ବା ସିଧା ଭାବେ ଏହାକୁ ମହାପ୍ରଭୁଙ୍କ ତ୍ରିମୁଣ୍ଡୀ ଚୂଳରେ ଖୋସି ଦିଆଯାଇଥାଏ, ଯେଉଁଥି ପାଇଁ ଏହି ବେଶର ନାଁ ଏମିତିକା ।
ଏହି ପବିତ୍ର ତିଥିରେ ଶ୍ରୀହରି ଙ୍କ ଦର୍ଶନ କଲେ ଜୀବନର ସମସ୍ତ ଅପରାଧ ମାର୍ଜନା ହେବା ସହ ସୁଖ ଓ ଶାନ୍ତି ପ୍ରାପ୍ତ ହୋଇଥାଏ । ଏହାସହ ପରିବାର ରେ ଶାନ୍ତି ବିରାଜମାନ କରେ । ଯେଉଁମାନେ ମୋକ୍ଷକାମୀ ସେମାନଙ୍କୁ ଶ୍ରୀହରି ନିଜ ଲୋକରେ ବାସ ପ୍ରଦାନ କରିଥାନ୍ତି ।
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ
ଏଠାରେ ପ୍ରକାଶିତ କରାଯାଇଥିବା ସୂଚନା The Truths website ରୁ ସଂଗ୍ରହ କରାଯାଉଛି । ସନାତନ ଧର୍ମ, ସଂସ୍କୃତି, ପରମ୍ପରାକୁ ଉଜ୍ଜିବୀତ ତଥା ପ୍ରଚାର ଏବଂ ପ୍ରସାର କରିବା ପାଇଁ ପୁନର୍ବାର ଆଜି ପବିତ୍ର ଦେବୋତ୍ଥାପନ ଏକାଦଶୀ ତିଥିରେ ପ୍ରକାଶିତ କରାଯାଇଛି ।
ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର ।