logo

କୋରାପୁଟ ଜିଲ୍ଲା ଅନ୍ତର୍ଗତ ସରସ୍ଵତୀ ବିଦ୍ୟା ମନ୍ଦିର ଦାମନଯୋଡିର ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପକ ଡ଼ଃ ନରେଶ ଚନ୍ଦ୍ର ସାହୁଙ୍କୁ "ରକ୍ତବୀର ସମ୍ମାନ"

ଦାମନଯୋଡି,୨।୧୦(ନଳିନୀ କାନ୍ତ ସେନାପତି) : ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳନ ଅବସରରେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ସରସ୍ଵତୀ ବିଦ୍ୟାମନ୍ଦିର ଦାମନଯୋଡିର ପ୍ରାଣୀ ବିଭାଗ ଅଧ୍ୟାପକ ତଥା ଓଡ଼ିଶା ରକ୍ତଦାତା ମହାସଂଘ ସଭାପତି ଏବଂ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଡ଼ଃ ନରେଶ ଚନ୍ଦ୍ର ସାହୁ ତାଙ୍କର ସ୍ଵେଚ୍ଛାକୃତ ରକ୍ତଦାନ ସମ୍ପର୍କିତ ଉଲ୍ଲେଖନୀୟ ଓ ପ୍ରଶଂସନୀୟ କାର୍ଯ୍ୟ ପାଇଁ ତାଙ୍କୁ ରାଜ୍ୟ ସ୍ତରୀୟ ରକ୍ତ ବୀର ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ଵର ସ୍ଥିତ ରେଡକ୍ରସ୍ ଭବନ ପରିସରରେ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳନ ଅବସରରେ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା। ଅବୈତନିକ ସଚିବ ବିଭୁତି ଭୁଷଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିସିପି ଲଲାଟେନ୍ଦୁ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ଃ ଦେବୀପ୍ରସାଦ ମିଶ୍ର, ଡ଼ଃ ଗିରିଜା ନନ୍ଦନ କାନୁନଗୋ, ଡ଼ଃ ସନ୍ତୋଷ ମିଶ୍ର, ଡ଼ଃ ରମେଶ ଚନ୍ଦ୍ର ବେହେରା ଓ ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଦୀର୍ଘ ବର୍ଷ ଧରି ଡ଼ଃ ସାହୁ ନିଜେ ରକ୍ତଦାନ କରିବା ସହ ଅନ୍ୟ ମାନଙ୍କୁ ସ୍ଵେଚ୍ଛାକୃତ ରକ୍ତଦାନ କରିବା ପାଇଁ ପ୍ରୋତ୍ସାହିତ କରି ଆସୁଛନ୍ତି। ଏହା ବ୍ୟତିତ ଯୁବପିଢ଼ି ମାନଙ୍କୁ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ସାମିଲ୍ କରିବା ଏବଂ ରକ୍ତ ଅଭାବରୁ ଯେପରି କାହାରି ଜୀବନ ନଯାଉ ସେଥିପାଇଁ ସେ ବର୍ଷ ତମାମ ରକ୍ତଦାନ ଶିବିର ଆୟୋଜନର ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। କୋରାପୁଟ ଭଳି ଆଦିବାସୀ ବହୁଳ ଜିଲ୍ଲା ସହିତ ସମଗ୍ର ଓଡ଼ିଶା ଏବଂ ଭାରତର ବିଭିନ୍ନ ରାଜ୍ୟ ଗସ୍ତକରି ରକ୍ତଦାନ ସମ୍ପର୍କିତ ସଚେତନତା ସୃଷ୍ଟି କରି ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି। ଡ଼ଃ ନରେଶ ଚନ୍ଦ୍ର ସାହୁଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ବରର କିମସ୍ ରକ୍ତ କେନ୍ଦ୍ର ତରଫରୁ ଟ୍ରାନସ୍ଫୁଜନ୍ ମେଡ଼ିସିନ୍ ବିଭାଗୀୟ ମୁଖ୍ୟ ଡଃ ଏସ ତ୍ରିପାଠୀ ଓ ଡ଼ାଃ ସୁମନ ସୁଦ୍ଧା ରାଉତରାୟଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି। ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ରକ୍ତ ଭଣ୍ଡାର କଟକ ତରଫରୁ ଡ଼ଃ ସାହୁଙ୍କୁ କଟକ ଜିଲ୍ଲାପାଳ ମଧ୍ୟ ସମ୍ମାନିତ କରିଛନ୍ତି। ରକ୍ତ ବୀର ସମ୍ମାନରେ ସମ୍ମାନୀତ ହୋଇଥିବାରୁ ଡ଼ଃ ସାହୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

81
864 views