*ହର୍ଷ ଉଲ୍ଲାସର ସହ ଦାମନଯୋଡିରେ ଗଣେଶ ପୂଜା ପାଳିତ*
ଦାମନଯୋଡି,୭/୯: ଭାଦ୍ରବ ମାସରୁ ଭାରତ ବର୍ଷରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥାଏ । ପ୍ରାରମ୍ଭରେ ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ଅଗ୍ରପୂଜ୍ୟ, ସିଦ୍ଧିଦାତା, ବିଘ୍ଣହର୍ତ୍ତା, ଗଜାନନ ଶ୍ରୀଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଥାଏ । ଏହି ପରିପ୍ରେକ୍ଷିରେ ଦାମନଯୋଡିରେ ହର୍ଷ ଉଲ୍ଲାସର ସହିତ ଏହି ପର୍ବ ଅନୁଷ୍ଠିତ ହୋଇଯାଇଛି । ସରସ୍ୱତୀ ବିଦ୍ୟା ମନ୍ଦିର, ମାଲୁସାନ୍ତା ହାଇ ସ୍କୁଲ, ଆଲୁମିନା ବାଳିକା ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ଆଡମ୍ବର ସହକାରେ ଗଣେଶ ପୂଜା କରାଯାଇଥିଲା । ଏତଦ୍ ବ୍ୟତୀତ ବହୁ ସଂଗଠନ ଓ ସାହି ବସ୍ତିରେ ସୁସଜ୍ଜିତ ମଣ୍ଡପରେ ମଧ୍ୟ ଗଜନାନଙ୍କ ପୂଜା କରାଯାଉଥିବା ବେଳେ ଅନେକ ଲୋକ ନିଜ ଘରେ ମୂର୍ତ୍ତି ବସାଇ ପୂଜା କରିଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଅଞ୍ଚଳରେ ପ୍ରବଳ ବର୍ଷା ସୂଚନାକୁ ନେଇ ଆୟୋଜକଙ୍କ ମନରେ ଅନେକ ଆଶଙ୍କା ରହିଥିଲା । ତେବେ ପାଗ ଅନୁକୂଳ ଥିବାରୁ ଅଞ୍ଚଳବାସୀ ଓ ଆୟୋଜକ ମାନଙ୍କ ମନରେ ଅହେତୁକ ଆନନ୍ଦ ପରିଲକ୍ଷିତ ହୋଇଥିଲା । ବିଦ୍ୟାଳୟ ମାନଙ୍କରେ ସୋମବାର ଦିନ ପୂଜା ବିସର୍ଜନ ହେବାକୁ ଥିବା ବେଳେ ମଣ୍ଡପ ଗୁଡ଼ିକର ଠାକୁର ୩ରୁ ୭ ମଧ୍ୟରେ ବିସର୍ଜନ ହେବେ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ସୂଚନା ମିଳିଛି ।