logo

ବିଦ୍ୟାମନ୍ଦିରରେ ବିଜ୍ଞାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଦାମନଯୋଡ଼ି,୩୧/୦୮:ନାଲକୋ ଟାଉନସିପ ସରସ୍ବତୀ ବିଦ୍ୟାମନ୍ଦିରରେ ବରିଷ୍ଠ ବିଜ୍ଞାନ ଓ ଗଣିତ ଶିକ୍ଷକ ନୃସିଂହ ଚରଣ ପଟ୍ଟନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଶନିବାର ବିଦ୍ୟାମନ୍ଦିରରେ ଅନୁଷ୍ଠିତ ସଭାରେ ପରିଚାଳନା କମିଟି ସମ୍ପାଦକ ଡଃ ଚିତ୍ତ ରଞ୍ଜନ ମିଶ୍ର ,ପୂର୍ବ ସମ୍ପାଦକ ଅଶୋକ କୁମାର ନାୟକ,ବିଦ୍ୟାମନ୍ଦିର ଅଧ୍ୟକ୍ଷ ଡ଼ଃ.ଶୁଭ୍ରାଂଶୁ ଶେଖର ବାହିନୀପତି ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ।ଡ଼ଃ ବାହିନୀପତି ଏଥିରେ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ।ଉଲ୍ଲେଖଯୋଗ୍ୟ ଶିକ୍ଷକ ନୃସିଂହ ଚରଣ ପଟ୍ଟନାୟକଏହି ବିଦ୍ୟାମନ୍ଦିରରେ ୧୯୮୯ ମସିହାରୁ ଚିନ୍ମୟ ମିଶନ ସମୟରୁ ଶିକ୍ଷାଦାନ କରି ଆସୁଥିଲେ।ଜଣେ ଛାତ୍ର ବତ୍ସଳ,ସ୍ନେହୀ ଓ କର୍ତ୍ତବ୍ୟ ପରାୟଣ ଶିକ୍ଷକ ରୂପେ ସୁନାମ ଅର୍ଜନ କରିବା ସହିତ ଛାତ୍ରଛାତ୍ରୀଙ୍କ ପ୍ରିୟ ହୋଇପାରିଥିଲେ।ତାଙ୍କୁ ପୁଷ୍ପଗୁଚ୍ଛ,ଉପଢୌକନ,ମାନପତ୍ର ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ନିଜ ବକ୍ତବ୍ୟରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ତାଙ୍କର ଦାମନଯୋଡ଼ି ରହଣି ବେଶ ସ୍ମରଣୀୟ ରହିବ। ଉଲ୍ଲେଖନୀୟ ବିଦାୟୀ ଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କ ନିଜ ଘର ପାରଳାଖେମୁଣ୍ଡିରେ,ତାଙ୍କ ପତ୍ନୀ ସବିତା ପଟ୍ଟନାୟକ ମୋହନା ରେ ସିଡ଼ିପିଓ ରୂପେ କାର୍ଯ୍ୟରତ ଓ ଏକମାତ୍ର କନ୍ୟା ସୋନକ୍ଷି ପଟ୍ଟନାୟକ ଭୁବନେଶ୍ୱରରେ +୨ ପ୍ରଥମ ବର୍ଷରେ ପଢ଼ୁଛନ୍ତି।ସଭା ପ୍ରାରମ୍ଭରେ ଶିକ୍ଷକ ବୃନ୍ଦାବନ ଖଣ୍ଡୁଆଳଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ସମବେତ ବିଦାୟୀ ସଙ୍ଗୀତ ଗାନ କରିଥିଲେ।ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀ ଡ଼ଃ ନିରୋଦ କୁମାର ପ୍ରଧାନ,ଅମୂଲ୍ୟ କୁମାର ସାହୁ,ରାଜଲକ୍ଷ୍ମୀ ସାହୁ,ପ୍ରମୋଦ କୁମାର ଦାଶଙ୍କ ସହିତ ଛାତ୍ରଛାତ୍ରୀ ଶ୍ରଦ୍ଧାସୁମନ ମିଶ୍ର ଓ ଚନ୍ଦ୍ରଶେଖର ମିଶ୍ର ବିଦାୟୀ ଶିକ୍ଷକଙ୍କ ସ୍ମୃତି ଚାରଣ କରିଥିଲେ।ବରିଷ୍ଠ ଶିକ୍ଷୟତ୍ରୀ ଡ଼ଃ ସ୍ଵାତୀ ଚାଟାର୍ଜୀ ମଞ୍ଚ ସଂଯୋଜନା କରିଥିବା ବେଳେ ଚିନ୍ମୟୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

9
1791 views