Satarka : Satarka : ନୂଆ ସରକାରକୁ ତିନି ମାସ ପୁରିବାକୁ ଯାଉଛି।
Satarka : Satarka : ନୂଆ ସରକାରକୁ ତିନି ମାସ ପୁରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରିମଣ୍ଡଳରେ ଅଛନ୍ତି ୧୬ ମନ୍ତ୍ରୀ। କୁହାଯାଉଛି ମୋହନଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା ୨୨ ଛୁଇଁପାରେ। ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ପାୱାର କରିଡ଼ରରେ ଏବେ ବେଶ ଚର୍ଚ୍ଚା।ଏପରିକି ଆଲୋଚନା ହେଉଛି ବିଧାନସଭା ଅଧିବେଶନ ସରିବାର ସପ୍ତାହକ ମଧ୍ୟରେ ନୂଆ ମନ୍ତ୍ରିମଣ୍ଡଳ ଘୋଷଣା ହୋଇପାରେ। ଏବଂ ପଶ୍ଚିମ ଓଡ଼ିଶାକୁ ବି ଅଧିକ ଗୁରୁତ୍ଵ ମିଳିପାରେ। ଏବେ ବି ମୋହନଙ୍କ କ୍ୟାବିନେଟରେ ପଶ୍ଚିମ ଓଡ଼ିଶାରୁ ସିଂହଭାଗ ଥିବା ବେଳେ ଆଗକୁ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ଇରାଷିଶ ଆଚାର୍ଯ୍ୟ ବି ସାମିଲ ହୋଇପାରନ୍ତି।
ଗଞ୍ଜାମ ଜିଲ୍ଲାରେ ବିଜେପି ବମ୍ପର ବିଜୟ ପାଇଥିବାରୁ ଆଉ କିଛି ନେତାଙ୍କୁ ସୁଯୋଗ ମିଳିପାରେ। ଖଲ୍ଲିକୋଟରେ ବିଜେଡିରୁ ଆସି ବିଜେପି ଟିକେଟରେ ଜିତିଥିବା ପୂର୍ଣ୍ଣଚନ୍ଦ୍ର ସେଠୀ ହୋଇପାରନ୍ତି ମନ୍ତ୍ରୀ। ଉତ୍ତର ଓଡ଼ିଶାରେ ବି ଭଲ ସଫଳତା ପାଇଛି ବିଜେପି। ଏହି ଦୃଷ୍ଟିରୁ ବାଲେଶ୍ଵର ଜିଲ୍ଲାର ପଦ୍ମଲୋଚନ ପଣ୍ଡା କିମ୍ବା ସନ୍ତୋଷ ଖଟୁଆଙ୍କୁ ବି ସୁଯୋଗ ମିଳିପାରେ। ବିଜେଡ଼ିର ଗଡ ଯାଜପୁରରେ ବିଜେପି ଅପ୍ରତ୍ୟାଶିତ ଫଳାଫଳ ପାଇଥିବାରୁ ମନ୍ତ୍ରିମଣ୍ଡଳରେ ଅଧିକ ଭାଗ ମିଳିପାରେ ବୋଲି କୁହାଯାଉଛି।
ଏହି କ୍ରମରେ ଅମର ନାୟକ , ଆକାଶ ଦାସନାୟକଙ୍କ ପରି ନେତାଙ୍କ ନାଁ ବି ଆଗରେ ରହିଛି। ଭୁବନେଶ୍ୱରରୁ ବାବୁ ସିଂ, କେନ୍ଦ୍ରାପଡ଼ାରୁ ଦୁର୍ଗାପ୍ରସନ୍ନ ନାୟକଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ପୂର୍ବରୁ ମନ୍ତ୍ରିମଣ୍ଡଳରେ ଜଣେ ମହିଳାଙ୍କୁ ସ୍ଥାନ ମିଳିଥିବାରୁ ସୀମାରାଣୀ ନାୟକଙ୍କୁ ସାମିଲ କରି ମହିଳା କାର୍ଡ ଖେଳିପାରନ୍ତି ସରକାର। କେବଳ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନୁହେଁ ବିଭିନ୍ନ ନିଗମରେ କାହାକୁ ଦାୟିତ୍ଵ ମିଳିବ ସେ ନେଇ ବି ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି।
ରାଜନୀତିକ ସମୀକ୍ଷକ ଆକଳନ କରୁଛନ୍ତି ବିଧାନସଭା ଅଧିବେଶନ ପରେ ପରେ ମନ୍ତ୍ରିମଣ୍ଡଳ ନୂଆ ରୂପ ନେଇପାରେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଅନେକ ମନ୍ତ୍ରୀଙ୍କ ହାତରେ ଏକାଧିକ ବିଭାଗ ଥିବାରୁ ବିଭାଗ ଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବାକୁ ଅଧିକ ମନ୍ତ୍ରୀଙ୍କୁ ସାମିଲ କରାଯାଇପାରେ। ଏଥର ବରିଷ୍ଠ ଓ ଅନୁଭବୀ ନେତାଙ୍କୁ ମିଳିପାରେ ପ୍ରାଥମିକତା। ମନ୍ତ୍ରିମଣ୍ଡଳର ରୁପରେଖ ଏମିତି ରହିବ ଯାହାକି ବିଭିନ୍ନ ଅଞ୍ଚଳ ମଧ୍ୟରେ ସମନ୍ୱୟ ରଖିବା ସହ ସଙ୍ଗଠନ ଉପରେ ଅଧିକ ପ୍ରଭାବ ସୃଷ୍ଟି କରିପାରିବ।
ଜୁନ ୧୨ ତାରିଖରେ ଥିଲା ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ସାମରୋହ। ମୋହନ କ୍ୟାବିନେଟରେ ୨ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି। ନିୟମ ଦୃଷ୍ଟିରୁ ମନ୍ତ୍ରିମଣ୍ଡଳରେ ୨୨ ଜଣ ରହିବାର ପ୍ରାବଧାନ ଥିବାରୁ ନୂଆ ମନ୍ତ୍ରୀ କିଏ ହେବେ ସେନେଇ ଚର୍ଚ୍ଚା ଲାଗି ରହିଛି।