logo

ମୋରମ ଗାଡ଼ ନେଲା ତିନି ଶିଶୁଙ୍କ ର ଜୀବନ।

ହାଟଡିହି,୩୦/୭ :କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଢ଼ିଆରୀପଲ୍ଲୀ ପଞ୍ଚାୟତ ଆତୁରିକଣା ଗ୍ରାମ ଡାହିସାହି ରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି l ଏକ ମୋରମ ଗାଡ଼ିଆ ପାଣିରେ ତିନି ଜଣ ଶିଶୁ କନ୍ୟା ବୁଡି ପ୍ରାଣ ହରାଇଛନ୍ତି l ଦୀନବନ୍ଧୁ ପାତ୍ରଙ୍କ ଝିଅ ଭାରତୀ(୪ ବର୍ଷ), ଗୌରାଙ୍ଗ ପାତ୍ରଙ୍କ ଝିଅ ପାୟଲ(୩ ବର୍ଷ ୫ ମାସ ), କୋଦଣ୍ଡ ପାତ୍ରଙ୍କ ଝିଅ ଲିପ୍ସା (୩ ବର୍ଷ ୭ ମାସ ) ନିଜ ଘର ପାଖରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ଚାଲିଥିବା ଆମ କଳିକା କେନ୍ଦ୍ର ଆଡେ ବୁଲିବାକୁ ଯାଇଥିଲେ l କେନ୍ଦ୍ର ନିକଟରେ ଜଣେ ବ୍ୟକ୍ତିଙ୍କ ଏକ ମୋରମ ଗାଡ଼ିଆ ଅଛି l ସମ୍ପୃକ୍ତ ବ୍ୟକ୍ତିଙ୍କ ଜମିରୁ ପୂର୍ବରୁ ମୋରମ ଖୋଳା ଯାଇଥିବାରୁ ଉକ୍ତ ଗାଡ଼ିଆ (ଖାଲ)  ସୃଷ୍ଟି ହୋଇଥିଲା l ଉକ୍ତ ଗାଡ଼ିଆ ରେ ପାଣି ଜମିରହିଥିଲା l ଗାଡ଼ିଆ ନିକଟରେ ଖେଳୁଥିବା ବେଳେ ତିନି ଜଣ ଯାକ ଶିଶୁ କନ୍ୟା ଗାଡ଼ିଆ ଭିତରକୁ ଖସିପଡ଼ି ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ l ସେଠାରେ ଥିବା ଲୋକ ମାନେ ଜାଣିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା l ସୋସୋ ଥାନା ପୋଲିସ ଖବର ପାଇ ଶବ ଜବତ କରିବା ସହ ବ୍ୟବଛେଦ କରାଇଛି l ହାଟଡିହି ତହସିଲଦାର ହାବିଲ ଖାଖା, ଚାଇଲଡ ଲାଇନ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି l ହାଟଡିହି ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ନିର୍ଦେଶ ପରେ ବ୍ଲକ କର୍ମଚାରୀ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି l ତହସିଲଦାର ଖାଖା କହିଛନ୍ତି ତିନି ଶିଶୁଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ନିୟମ ଅନୁସାରେ ତିନି ବର୍ଷ ପରେ ଆମ କଳିକା କେନ୍ଦ୍ରରୁ ପଳାଇଛନ୍ତି l ମୋରମ ଖୋଳା ଯାଇଥିବାରୁ ଗାଡ଼ିଆରେ ପାଣି ଜମି ଥିଲା l ସେହି ଗାଡ଼ିଆ ପାଣିରେ ବୁଡି ତିନି ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି l ଉକ୍ତ ମୋରମ ଗାଡ଼ିଆ ଜଣେ ବ୍ୟକ୍ତିଙ୍କ ପଟ୍ଟା ଭୁକ୍ତ ଜମି ଅଟେ l ମୋରମ ଖୋଳିଥିବା ଜମି  ମାଲିକ ଉପରେ ଖଣି ବିଭାଗ ଯାହା ପଦକ୍ଷେପ ନେବେ l ମୃତକଙ୍କ ପରିବାରକୁ ଅଦ୍ୟାବଧି କୌଣସି ସରକାରୀ ସହାୟତା ଦିଆଯାଇନି l ଖୁବ ଶୀଘ୍ର ୪ ଲକ୍ଷ୍ୟ ଟଙ୍କା କ୍ଷତି ପୂରଣ ବାବଦରେ ପ୍ରଦାନ କରାଯିବ l ସ୍ଥାନୀୟ ସରପଞ୍ଚ ଅଜିତ ରାଉତ କହିଛନ୍ତି ଯେ ମୋରମ ଖୋଳାଯିବା ଫଳରେ ବଡ଼ ବଡ଼ ଗାଡ଼ିଆ ସୃଷ୍ଟି ହୋଇ ପାଣି ଜମି ରହିଥିଲା l ସେଠାରେ ବୁଡି ତିନି ଜଣ ଶିଶୁ କନ୍ୟା ପ୍ରାଣ ହରାଇଛନ୍ତି l ଏଠାକାର ଅଞ୍ଚଳରେ ବେଆଇନ ଭାବେ ବ୍ୟାପକ ମୋରମ ଖୋଳା ଯାଇ ଚୋରା ଚାଲାଣ ହେଉଥିବା ଫଳରେ ବହୁ ସଂଖ୍ୟାରେ ବଡ଼ ବଡ଼ ଗାଡ଼ିଆ ସୃଷ୍ଟି ହୋଇଛି l ଫଳରେ ଅଘଟଣ ଘଟୁଛି l ଏଥିପ୍ରତି ଖଣି ବିଭାଗ ପଦକ୍ଷେପ ନେବା ଉଚିତ l ପୋଲିସ ୟୁଡ଼ି କେସ ନଂ ୧୭,୧୮,୧୯/୨୦୨୪ ରେ ତିନୋଟି ମାମଲା ରୁଜୁ କରିଛି l ତଦନ୍ତକାରୀ ଅଧିକାରୀ ନରସିଂହ ତନ୍ତୀ କହିଛନ୍ତି ମୋରମ ଗାଡ଼ିଆ ପାଣିରେ ବୁଡି ତିନି ଜଣ ଶିଶୁ କନ୍ୟା ମୃତ୍ୟୁ ବରଣ କରିଛନ୍ତି l ମୋରମ ଖୋଳିଥିବା ବ୍ୟକ୍ତି ଏବଂ ଖୋଳା ଯାଇଥିବା ଜମି ବାବଦରେ ତଦନ୍ତ ହୋଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ l

0
2802 views