
ଅପରାଧ ନିୟନ୍ତ୍ରଣ ପାଇଁ ଗଂଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ନୁଆଁ ନିୟମ ଲାଗୁ ।
ଗଂଜାମ ଜିଲ୍ଲାରେ ବିଗିଡି ଯାଇଛି ଆଇନଶୃଙ୍ଖଳା ପରିସ୍ଥିତି । ଜିଲ୍ଲାରେ ନିର୍ବାଚନ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ହିସାଂ ତିବ୍ର ହେବାରେ ଲାଗିଛି । ଗଂଜାମ ପୋଲିସ ଜିଲ୍ଲା ର ବିଭିନ୍ନ ଅଂଚଳରେ ହତ୍ୟାକାଣ୍ଡ ଘଟିଛି, ଗୋଷ୍ଠୀ ସଂଘର୍ଷ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପୋଲିସ କୁ ଆଡଆଖିରେ ମଧ୍ୟ ଦେଖୁନାହାନ୍ତି ଅପରାଧୀ । ଅପରାଧୀ ଯେଭଳି ଭାବେ ଲଗାମଛଡା ହୋଇଯାଇଛନ୍ତି । ସମାନ ପରିସ୍ଥିତି ବ୍ରହ୍ମପୁର ପୋଲିସ ଜିଲ୍ଲାରେ । ଦିନକୁ ଦିନ ରେଶମ ସହର ଅପରାଧୀଙ୍କ କବଜା ଆଡକୁ ମୁହାଁଉଛି । ଏଭଳି ପରିସ୍ଥିତିରେ ଘଟଣା ରାଜ୍ୟ ସରକାର ନିକଟରେ ପହଂଚିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏହି ସ୍ପର୍ଶକାତର ଘଟଣା ପରେ ଗଂଜାମ ପୋଲିସ ପକ୍ଷରୁ ଭୋଟଗଣତି ପର୍ଯ୍ୟନ୍ତ ରାତି ୮ ଘଣ୍ଟା ପରେ ସମସ୍ତ ଚା ଦୋକାନ,ହୋଟେଲ,ଢାବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶନାମାର ମାତ୍ର କିଛି ଘଣ୍ଟା ପରେ ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ସହରରେ ଘଟିଛି ଏକ ହତ୍ୟାକାଣ୍ଡ । ଯାହା ଉଭୟ ବ୍ରହ୍ମପୁର ଓ ଗଂଜାମ ପୋଲିସର ନିଦ ହଜାଇ ଦେଇଛି । ଏହି ଘଟଣା ପରେ ବ୍ରହ୍ମପୁର ଏସପି ରାତ୍ର ୯ ଘଣ୍ଟା ପରେ ସହରର ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ବିଜ୍ଞପ୍ତି ଜାରୀ କରିଥିବା ବେଳେ ଗଂଜାମ ଜିଲ୍ଲାର ଭଂଜନଗର ସହରରେ ସ୍ଥାନୀୟ ପୋଲିସ ପକ୍ଷରୁ ରାତ୍ରିକାଳିନ ପେଟ୍ରୋଲିଂ କୁ କଡାକଡି କରିଛି । ଜିଲ୍ଲାର ପୋଲିସ ଅପରାଧ ନିୟନ୍ତ୍ରଣ ପାଇଁ କରିଥିବା ପ୍ରୟାସ କେତେ ଫଳପ୍ରଦ ହେଉଛି ତାହା ଉପରେ ରହିଛି ଜିଲ୍ଲାବାସୀଙ୍କ ନଜର ।