logo

Satarka Bhubaneswar ; ବିବାହିତ ମହିଳାଙ୍କ ଧନ/ସମ୍ପତ୍ତି ଉପରେ ସେମାନଙ୍କ ଅଧିକାରକୁ ଅଧିକ ମଜଭୁତ କରିଛନ୍ତି ସୁପ୍ରିମକୋର୍ଟ ।

Satarka Bhubaneswar ; ବିବାହିତ ମହିଳାଙ୍କ ଧନ/ସମ୍ପତ୍ତି ଉପରେ ସେମାନଙ୍କ ଅଧିକାରକୁ ଅଧିକ ମଜଭୁତ କରିଛନ୍ତି ସୁପ୍ରିମକୋର୍ଟ । ବୁଧବାର ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, 'ସ୍ତ୍ରୀଧନ' ଦମ୍ପତ୍ତିଙ୍କ ଯୁଗ୍ମ ସମ୍ପତ୍ତି ହୋଇପାରିବ ନାହିଁ । ନିଜ ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ୱାମୀଙ୍କର ନିୟନ୍ତ୍ରଣ ରହିପାରିବ ନାହିଁ ।ଯଦି ସ୍ୱାମୀ ବିପଦରେ ପଡ଼ନ୍ତି କିମ୍ବା ଅତି ଆବଶ୍ୟକ କରନ୍ତି ତେବେ ସେ ସ୍ତ୍ରୀଙ୍କଠାରୁ ଧନ ନେଇପାରିବେ । କିନ୍ତୁ ପରେ ତାହାକୁ ତାଙ୍କ ସ୍ତ୍ରୀଙ୍କୁ ଫେରାଇବାକୁ ପଡ଼ିବ । ଏଥିସହ ମାମଲାର ରାୟ ଦେଇ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ଠାରୁ ନେଇଥିବା ସୁନା ବାବଦରେ ୨୫ ଲକ୍ଷ ଟଙ୍କା ଫେରାଇବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଦୀପାଙ୍କର ଦତ୍ତଙ୍କ ଖଣ୍ଡପୀଠ ‘ସ୍ତ୍ରୀଧନ’କୁ ନେଇ ଏକ ବୈବାହିକ ବିବାଦ ଉପରେ ଶୁଣାଣି କରିଥିଲେ । ଖଣ୍ଡପୀଠ କହିଥିଲେ, ମହିଳାଙ୍କୁ ନିଜ ‘ସ୍ତ୍ରୀଧନ’ ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଛି । ବିବାହ ପୂର୍ବରୁ, ବିବାହ ପରେ, ବିବାହ ବେଳେ ଏବଂ ବିବାହ ପରେ ସ୍ତ୍ରୀଙ୍କୁ ମିଳିଥିବା ସମସ୍ତ ଜିନିଷ ଏଥିରେ ଅନ୍ତର୍ଭୂକ୍ତ । ବାପାମା’, ସମ୍ପର୍କୀୟ, ସାଙ୍ଗସାଥୀଙ୍କଠାରୁ ମିଳିଥିବା ଗହଣା, ଆସବାବପତ୍ର, ଜମିବାଡ଼ି, ଘର, ଉପହାର ଆସି ସବୁ କିଛି ମଧ୍ୟ ‘ସ୍ତ୍ରୀଧନ’ ଅନ୍ତର୍ଗତ । ଏହା ମହିଳାଙ୍କର ପୂର୍ଣ୍ଣ ସମ୍ପତ୍ତି ଏବଂ ସେ ଏହାକୁ ନିଜ ଇଚ୍ଛା ଅନୁସାରେ ରଖିପାରିବେ କିମ୍ବା ବିକ୍ରି କରିପାରିବେ । ଏହି ସମ୍ପତ୍ତି ଉପରେ ସ୍ୱାମୀଙ୍କର କୌଣସି ନିୟନ୍ତ୍ରଣ ରହିବ ନାହିଁ ।

ସ୍ୱାମୀ କେବଳ ବିପଦ ସମୟରେ ଏହାର ବ୍ୟବହାର କରିପାରିବେ । କିନ୍ତୁ ତାହାକୁ ପୁଣି ସ୍ତ୍ରୀଙ୍କୁ ଫେରାଇବା ସ୍ୱାମୀଙ୍କର ଦାୟିତ୍ୱ । ତେଣୁ ‘ସ୍ତ୍ରୀ ଧନ’ କେବେ ସ୍ୱାମୀ-ସ୍ତ୍ରୀଙ୍କ ଯୁଗ୍ମ ସମ୍ପତ୍ତି ହୋଇପାରିବ ନାହିଁ । ସ୍ୱାମୀ ଏହା ଉପରେ ସ୍ୱାମୀତ୍ୱ କିମ୍ବା ସ୍ୱତନ୍ତ୍ର ଅଧିକାର ଦାବି କରିପାରିବେ ନାହିଁ । ଅଦାଲତ ଆହୁରି କହିଥିଲେ ଯେ, ଯଦି ସ୍ତ୍ରୀଧନକୁ ବେଆଇନ ଭାବେ ଦୁରୁପଯୋଗ କରାଯାଏ ତେବେ ତାଙ୍କ ସ୍ୱାମୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ଉପରେ ଆଇପିସି ଧାରା ୪୦୬ ବଳରେ ମାମଲା ଚାଲିପାରିବ । ତେବେ ଏପରି ମାମଲାରେ ନିଷ୍ପତ୍ତି ଅପରାଧିକ ମାମଲା ଭଳି ଠୋସ୍ ପ୍ରମାଣ ଆଧାରରେ ନିଆଯାଇପାରିବ ନାହିଁ । ଏଥିରେ ସ୍ତ୍ରୀଙ୍କ ଅଭିଯୋଗ ଅଧିକ ମଜଭୁତ ହେବା ଆବଶ୍ୟକ ।

ପ୍ରକାଶଥାଉ କି, ବିବାହର ପ୍ରଥମ ଦିନରେ ଜଣେ ମହିଳାଙ୍କଠାରୁ ତାଙ୍କ ଗହଣା ତାଙ୍କ ସ୍ୱାମୀ ନେଇଯାଇ ନିଜ ମା’ଙ୍କୁ ଦେଇ ଦେଇଥିଲେ । ଏଥିସହ ବିବାହ ପରେ ମହିଳାଙ୍କ ବାପାଙ୍କଠାରୁ ସ୍ୱାମୀ ୨ ଲକ୍ଷ ଟଙ୍କାର ଚେକ୍ ବି ନେଇଥିଲେ । ଏହାକୁ ନେଇ ଦମ୍ପତ୍ତିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପରେ ଉଭୟେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ମହିଳା ଜଣକ ନିଜ ସମ୍ପତ୍ତି ଫେରିପାଇବା ଲାଗି ପାରିବାରିକ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୧ରେ ପାରିବାରିକ ଅଦାଲତ ୮.୯ ଲକ୍ଷ ଟଙ୍କା ଫେରାଇବାକୁ ସମ୍ପୃକ୍ତ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପରେ କେରଳ ହାଇକୋର୍ଟ ଏହି ରାୟକୁ ରଦ୍ଦ କରିଦେଇଥିଲେ । ମହିଳା ଜଣକ ନିଜ ଅଭିଯୋଗ ପ୍ରମାଣ କରିବାରେ ବିଫଳ ହୋଇଥିବା ହାଇକୋର୍ଟ କହିଥିଲେ । ପରେ ମହିଳା ଜଣକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

11
1893 views