logo

ଲାଞ୍ଜିଗଡ଼: ବିଜେଡି-କଂଗ୍ରେସର ପ୍ରଚାର ଜମୁଛି, ପଛେଇଯାଇଛି ବିଜେପି

ଲାଞ୍ଜିଗଡ (AIMA ) ୨୦୨୪ ସାଧାରଣ ନିର୍ବାଚନ ଗୋଟିଏ ପଟେ ନିର୍ବାଚନ, ଆରପଟେ ଅସମ୍ଭାଳ ଗରମ। ନେତାଙ୍କୁ ଘରୁ ବାହାରିଲେ ବିପଦ...ନ ବାହାରିଲେ ବି ବିପଦ । ୪୨-୪୩ ଡିଗ୍ରୀ ପାରଦକୁ ଦେଖି ନେତାଙ୍କ ଏବେ ଅକଲ ଗୁଡୁମ୍ ଅବସ୍ଥା। ଟିକଟ ପାଇବା ପରଠୁ ଯଦିବା ନେତାଙ୍କୁ ଫୁରସତ ନାହିଁ, କିନ୍ତୁ କଲବଲ କରୁଛି ତାତି। ଚଳିତ ନିର୍ବାଚନ ତାରିଖ ଘୋଷଣା ପରେ ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆଗୁଆ ପ୍ରାର୍ଥୀ ଘୋଷଣା ଏଥର ପ୍ରାର୍ଥୀ ଓ କର୍ମୀଙ୍କୁ ଆଗୁଆ ପ୍ରସ୍ତୁତ ହେବାକୁ ସୁଯୋଗ ଦେଇଛି ନିଜ ନିଜ ଦଳ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ଏଥର କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ବିଜେଡି ପକ୍ଷରୁ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ପୁଣିଥରେ ଟିକେଟ ଦିଆଯାଇ ଥିବାବେଳେ ବିଜେପି ପକ୍ଷରୁ ରମେଶ ଚନ୍ଦ୍ର ମାଝୀଙ୍କୁ ପୁଣିଥରେ ମଇଦାନକୁ ଓହ୍ଲାଇଛି ଦଳ। ତେବେ ନାମ ଘୋଷଣା ପରେ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ନିର୍ବାଚନ ମଣ୍ଡଳୀର ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ଜୟପାଟଣା ଓ ସଦର ବ୍ଲକ ଅଞ୍ଚଳରେ ସକ୍ରିୟ ଭାବେ ପ୍ରଚାର କରିବା ସହିତ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ, ସଂକଳ୍ପ ସମାବେଶ ଆଦି ଜାରି ରଖିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ହିଁ କଂଗ୍ରେସ ଓ ବିଜେଡି ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ନାମାଙ୍କନ ପରେବି ବିଜେପିର ପ୍ରଚାର ମାନ୍ଦା ପଡିଯାଇଛି। ଏପଟେ ଜଣକ ପରେ ଜଣେ ବିଜେପି କର୍ମୀ ଦଳ ଛାଡ଼ି ବିଜେଡି ଓ କଂଗ୍ରେସରେ ସାମିଲ ହେଉଥିବାବେଳେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ଏହା ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଯାହାର ପ୍ରଭାବ ଆଗାମୀ ନିର୍ବାଚନରେ ଦଳ ଉପରେ ପଡିବା ଆଶଙ୍କା ରହିଛି। ଦ୍ଵିତୀୟ ଥର ପାଇଁ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀ ରମେଶ ମାଝୀ ଦଳୀୟ କର୍ମୀଙ୍କୁ ଲଗାତାର ଅଣଦେଖା କରୁଥିବା ନେଇ ଅଭିଯୋଗ କରି ଦଳ ଛାଡୁଛନ୍ତି ଅନେକ ନେତା ଓ କର୍ମୀ। ସାରା ଦେଶରେ ମୋଦୀ ଲହର ଚାଲୁଥିବାବେଳେ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ତେବେ ଏପରି ସ୍ଥିତିରେ ବିଜେପିକୁ ଆହୁରି ପରିଶ୍ରମ କରିବା ସହିତ ତୃଣମୂଳ ସ୍ତରରେ ମୂଳଦୁଆକୁ ମଜବୁତ କରିବାକୁ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

49
4512 views