logo

ଓଡ଼ିଶାର କଣ୍ଟାବାଞ୍ଜି ପୁଣି ଚର୍ଚ୍ଚାରେ

ବଲାଙ୍ଗୀର-ତା-୨୧-୪-
ବିଶ୍ଵର ସର୍ବ ବୃହତ୍ ମଣିଷ ବଜାରର ଆଖ୍ୟା ପାଇଥିବା କଣ୍ଟାବାଞ୍ଜି ଏଥର କିନ୍ତୁ ରାଜନୈତିକ ଦୃଷ୍ଟିକୋଣରୁ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଭାବେ ହିଞ୍ଜିଳି ସହିତ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ । ଦାରିଦ୍ର୍ୟ, ଅନାହାର ଓ ଦାଦନ ସମସ୍ୟା ପାଇଁ ଦୀର୍ଘ ବର୍ଷ ଧରି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ଅଞ୍ଚଳ ଚର୍ଚ୍ଚାରେ ରହି ଆସିଛି । ଏହି ଅଞ୍ଚଳର ଦାରିଦ୍ର୍ୟ, ଅନାହାର ଓ ଦାଦନ ସମାସ୍ୟାକୁ ନେଇ ଅନେକ ସାମାଜିକ କାର୍ଯ୍ଯକର୍ତ୍ତା ଅତୀତରେ ଅନେକ ଗବେଷଣା କରିଛନ୍ତି । ଅନ୍ୟ ରାଜ୍ୟକୁ ଶ୍ରମିକ ସ୍ଥାନାନ୍ତରରେ ହ୍ରାସ ଘଟିନାହିଁ । ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଶ୍ରମିକ ସ୍ଥାୟୀ ଭାବେ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ଦିନ ଧରି କାମ ନପାଇ ପେଟ ପୋଷିବା ପାଇଁ ଅଗ୍ରୀମ ଟଙ୍କା ରଖି ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହୋଇଥାନ୍ତି । ଓଡିଶାର ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଏହି ତିନୋଟି ବ୍ଲକ ଏବଂ ପଡ଼ୋଶୀ କେତେକ ବ୍ଲକରୁ ଶ୍ରମିକ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହୋଇଥାନ୍ତି । ପ୍ରତ୍ୟେକ ବର୍ଷ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲ ବ୍ଳକର ସମୂଦାୟ ୬୭ଟି ପଞ୍ଚାୟତରୁ ହଜାର ହଜାର ସଂଖ୍ୟାରେ ଶ୍ରମିକମାନେ ପେଟପାଟଣା ପାଇଁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହୋଇଥାନ୍ତି । ସ୍ଥାନାନ୍ତରର ମୁଖ୍ୟ ପେଣ୍ଠସ୍ଥଳୀ ହୋଇଥାଏ କଣ୍ଟାବାଞ୍ଜି, ଲାଠୋର ଓ ଟିଟିଲାଗଡ଼ ରେଳ ଷ୍ଟେସନ । ସବୁ ବର୍ଷ ଦାଦନ ଋତୁ ସମୟରେ କଣ୍ଟାବାଞ୍ଜି ଚର୍ଚ୍ଚାକୁ ଆସିଥାଏ । ଅନ୍ୟ ରାଜ୍ୟର ଇଟା ଭାଟିମାନଙ୍କୁ ଶ୍ରମିକ ଚାଲାଣ କରାଯାଇଥାଏ । ଦଦାନ ଋତୁ ପ୍ରାରମ୍ଭରେ ଅନ୍ୟ ରାଜ୍ୟରୁ ସର୍ଦ୍ଧାର ମାନେ କଣ୍ଟାବାଞ୍ଜି ଆସିଥାନ୍ତି । ଶ୍ରମିକ ମାନଙ୍କ ଦର ମୁଲଚାଲ କରିଥାନ୍ତି । ଶ୍ରମିକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କିଣାବିକା କରିଥାନ୍ତି । ଛୋଟ ଛୋଟ ପିଲାଛୁଆ ଥିବା ଶ୍ରମିକମାନଙ୍କ ପରିବାରର ଦର ଅଧିକ ହୋଇଥାଏ । ରାଜ୍ୟ ସରକାର ଏହି ଅମାନବିକ ଓ ବେଆଇନ ଶ୍ରମିକ ଚାଲାଣକୁ ବନ୍ଦ କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି । ରାଜ୍ୟ ସରକାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଏହି ତିନୋଟି ବ୍ଲକ ବଙ୍ଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲ କୁ ଦାଦନ ପ୍ରବଣ ବ୍ଲକ ଭାବେ ଫୋକସରେ ରଖିଥିଲେ ମଧ୍ୟ ଆନ୍ତରିକତା ଅଭାବରୁ କିଛି ସୁଫଳ ମିଳିନାହିଁ । ଦୀର୍ଘ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ସରକାର ଶାସନରେ ଥିଲେ ମଧ୍ୟ ଏହି ସମାସ୍ୟାର ସମାଧାନ ହୋଇ ପାରିନାହିଁ । ବର୍ତ୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପ୍ରତି ବର୍ତ୍ତମାନ ସମଗ୍ର ଦେଶର ଦୃଷ୍ଟି ନିବଦ୍ଧ ହୋଇଛି ।

34
626 views