logo

ପଞ୍ଚପଟ୍ଟମାଳୀ ନାଟ୍ଯ ମହୋତ୍ସବର ନାଟକ ମହାକୁମ୍ଭ ଉଦଯାପିତ ,"ଚିଠି" ଶ୍ରେଷ୍ଠ ନାଟକର ମାନ୍ଯତା ତା୧୩/୪/୨୪

ପଞ୍ଚପଟ୍ଟମାଳି ନାଟ୍ୟ ମହୋତ୍ସବ:'ଚିଠି' ଶ୍ରେଷ୍ଠ ନାଟକ
ଦାମନଯୋଡି,୧୪/୦୪: ଅଷ୍ଟାଦଶ ପଞ୍ଚପଟ୍ଟମାଳି ନାଟ୍ୟ ମହୋତ୍ସବରେ ଅନୁଗୁଳର 'କଳାକାର' ଅନୁଷ୍ଠାନ ପରିବେଷିତ ନାଟକ 'ଚିଠି' ଶ୍ରେଷ୍ଠ ପ୍ରଯୋଜିତ ନାଟକ ରୂପେ ପୁରସ୍କୃତ ହୋଇଛି।ଏହି ରାଜ୍ଯ ସ୍ତରୀୟ କ୍ଷୁଦ୍ର ନାଟକ ପ୍ରତିଯୋଗିତାର ପୁରସ୍କାର ବିତରଣ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା।ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରୁ ମୋଟ ୧୭ଗୋଟି ଦଳ ଭାଗନେଇଥିଲେ।ପୁରସ୍କାର ବିତରଣ ଉତ୍ସବରେ ପଞ୍ଚପଟ୍ଟମାଳି ନାଟ୍ୟ ମହୋତ୍ସବର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ନାଲକୋର ପୂର୍ବତନ ସମୂହ ମହାପ୍ରବନ୍ଧକ ନେତ୍ରାନନ୍ଦ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ପୁରସ୍କାର ବିତରଣ କରିଥିଲେ। ବିଶିଷ୍ଟ ନାଟ୍ୟକାର,ନିର୍ଦ୍ଦେଶକ ଓ ସଙ୍ଗୀତକାର କର୍ଣ୍ଣ ଗୌଡ଼ (ବୋରିଗୁମ୍ମା)ଙ୍କୁ 'ପଞ୍ଚପଟ୍ଟମାଳି ନାଟ୍ୟ ସମ୍ମାନ -୨୦୨୪' ପ୍ରଦାନ କରାଯାଇଥିଲା।ନାଲକୋ ମାନବସମ୍ବଳ ବିଭାଗ ମହାପ୍ରବନ୍ଧକ ଚନ୍ଦ୍ର ମୋହନ ମହାନ୍ତ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ନାଟକ ପ୍ରତିଯୋଗିତାର ବିଚାରକ ଧୀରେନ୍ଦ୍ର କୁମାର ବଶା,ବ୍ରଜେନ୍ଦ୍ର ନାୟକ ଓ ଗିରିଜା କୁମାର ଚୌଧୁରୀଙ୍କ ସହିତ କୃତି ନାଟ୍ୟ ଅନୁଷ୍ଠାନ ଓ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।ଅବସର ଗ୍ରହଣ କରୁଥିବା ପଞ୍ଚପଟ୍ଟମାଳି ନାଟ୍ୟ ମହୋତ୍ସବର ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ଦାସ ଓ ଶିବ କୁମାର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ନିର୍ମଳ କୁମାର ରାଉତ ଓ ଶ୍ରୀଧର ପରିଡ଼ା ମଞ୍ଚ ସଂଯୋଜନା କରିଥିଲେ।ସଭାପତି ନିରାକାର ନାୟକ ଓ ସମ୍ପାଦକ ଶିଶିର ମିଶ୍ରଙ୍କ ସହିତ ସଦସ୍ୟ ପରିଚାଳନା କରିଥିଲେ। ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟର ନୃତ୍ୟାଙ୍ଗନା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
'ଚିଠି' ଶ୍ରେଷ୍ଠ ପ୍ରଯୋଜିତ ନାଟକ ହୋଇଥିବାବେଳେ ଏହା ମଧ୍ୟ ଶ୍ରେଷ୍ଠ ଦର୍ଶକ ଅନୁମୋଦିତ ନାଟକ ରୂପେ ପୁରସ୍କୃତ ହୋଇଛି।ଏହାର ରଚୟିତା ସ୍ବର୍ଗତ ପ୍ରଦୀପ କୁମାର ଭୋଳଙ୍କୁ ଶ୍ରେଷ୍ଠ ନାଟ୍ୟକାର, ଡ଼ଃ କୃଷ୍ଣଚନ୍ଦ୍ର ଦାଶଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି।ରାଉରକେଲାର 'ସ୍ବସ୍ତିଝଙ୍କାର' ଅନୁଷ୍ଠାନ ପକ୍ଷରୁ ପରିବେଷିତ ହୋଇଥିବା ନାଟକ 'ବିଶ୍ଵାସର ଆତ୍ମଲିପି' ୨ୟ ଶ୍ରେଷ୍ଠ ନାଟକ ପୁରସ୍କାର ପାଇଛି।ଏହାର ରଚୟିତା ଡଃ ସୁଧାଂଶୁ ନାୟକଙ୍କୁ ୨ୟ ଶ୍ରେଷ୍ଠ ନାଟ୍ୟକାର, ରାଜୀବ ପାଣିଙ୍କୁ ୩ୟ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ୨ୟ ଶ୍ରେଷ୍ଠ ଅଭିନେତା,ଡ଼ଃ ସୁଶାନ୍ତ କୁମାର ପାଣିଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଓ ବବିତା ମହାଳିକଙ୍କୁ ୨ୟ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ତୃତୀୟ ଶ୍ରେଷ୍ଠ ନାଟକ ରୂପେ ରାଉରକେଲାର 'ପରିଚୟ' ପକ୍ଷରୁ ପରିବେଷିତ ନାଟକ 'ବୁଢ଼ା ବାବୁ'କୁ ପୁରସ୍କୃତ କରାଯାଇଛି। ଏହାର ନିର୍ଦ୍ଦେଶକ ବିଜୟ କୁମାର ଭୋଳଙ୍କୁ ୨ୟ ଶ୍ରେଷ୍ଠ ନିର୍ଦ୍ଦେଶକ,ମୂରଲୀଧର ଦାଶଙ୍କୁ ୩ୟ ଶ୍ରେଷ୍ଠ ଅଭିନେତା ଓ ସାଇ କୃପା ପ୍ରଧାନଙ୍କୁ ୩ୟ ଶ୍ରେଷ୍ଠ ଶିଶୁ କଳାକାର ରୂପେ ପୁରସ୍କୃତ କରାଯାଇଛି। ସୁନ୍ଦରଗଡ଼ର 'ନବ ଜୀବନ' ଅନୁଷ୍ଠାନ ପରିବେଷିତ ନାଟକ 'ଭୂମିସୂତା' ର ଲକ୍ଷ୍ମୀପ୍ରଭା ପତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ,ଲିଜାରାଣୀ ସାହୁଙ୍କୁ ଶ୍ରେଷ୍ଠ ଶିଶୁ ଓ ସୁଶ୍ରୀ ସସ୍ମିତା ସାହୁଙ୍କୁ ୨ୟ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିଛି। କଟକର 'ସଂକ୍ରାନ୍ତି ସାଂସ୍କୃତିକ ପରିଷଦ'କୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ପୁରସ୍କାର ମିଳିଛି।ବାଲେଶ୍ଵରର 'ନାଟ୍ୟପ୍ରଭା' ର ନାଟକ ' କାଳ କଠୋରୀ' ବ୍ୟାନର କୁ ଶ୍ରେଷ୍ଠ ବ୍ୟାନର ପୁରସ୍କାର ମିଳିଛି।'ସମ୍ବଲପୁରର ଶଦ୍ଦ ସାଂସ୍କୃତିକ ଅନୁଷ୍ଠାନ' ପରିବେଷିତ ନାଟକ 'କୁନୁଆଁ' ର ଧନଞ୍ଜୟ ସାହୁଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିଲା। ଦେବଗଡ଼ର 'ବାମଣ୍ଡା କଳାକାର ସଂଘ' ପରିବେଷିତ ନାଟକ 'ଧୁନ୍ଦି'ର ସୌମ୍ୟରଞ୍ଜନ ନାୟକଙ୍କୁ ଶ୍ରେଷ୍ଠ ମଞ୍ଚଶିଳ୍ପୀ ପୁରସ୍କାର ମିଳିଛି।ଅନ୍ୟାନ୍ୟ ବହୁ କଳାକାରଙ୍କୁ ବିଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା।

23
3267 views