
Srimad bhagabata,,, ଓଁ ନମୋ ଭଗବତେ ବାସୁଦେବାୟ ନମୋ...
ଦ୍ଵାଦଶ ସ୍କନ୍ଧ ।ଷଷ୍ଠ ଅଧ୍ୟାୟ ।
ପରୀକ୍ଷିତ ମୁକ୍ତି ଓ ଜନ୍ମେଜୟଙ୍କ ସର୍ପ ଯଜ୍ଞ ।
ବିଷ୍ଣୁ ଭକତିରେ ନିମଜ୍ଜି ।
ମୁକତ ହୁଅ ପାପ ତେଜି ।।
ଏମନ୍ତେ କହି ଶୁକମୁନି
ହରଷେ କଲେ ହରିଧ୍ଵନି ।।
କୃଷ୍ଣ ଚରିତ ଭାଗବତ ଶ୍ରବଣରେ ରାଜା ପରୀକ୍ଷିତଙ୍କର ଜ୍ଞାନ ଓ ବୈରାଗ୍ୟ ଉଦୟ ହୋଇଗଲା ।ଗଙ୍ଗା କୂଳରେ ବାଲୁକା ବେଦି ଉପରେ କୁଶ ଶଯ୍ୟା କରି ଉତ୍ତରାଭିମୁଖରେ ନିଶ୍ଚଳଭାବେ ଧ୍ୟାନମଗ୍ନ ହେଲେ ।
ଧାରଣା ଯୋଗରେ ପବନ ସଂଯମନ କରି ଷଡ଼ଚକ୍ର ଭେଦ କରି ପ୍ରାଣ ପବନକୁ ସୁଷୁମ୍ନା ରନ୍ଧ୍ରରେ ରୁନ୍ଧି ଭୃଲତା ମଧ୍ୟରେ ବ୍ରହ୍ମ ଦର୍ଶନ କରି ନିର୍ବାଣ ପ୍ରାପ୍ତ ହେଲେ ।
ଏକାକ୍ଷର ବ୍ରହ୍ମେ ପ୍ରବେଶି ।
ଯାତନା ଶରୀର ବିନାଶି ।।
ପରମ ପଦକୁ ଲଭିଲେ ।
ବିଷ୍ଣୁ ଅଙ୍ଗରେ ଲୀନ ହେଲେ ।।
କେବଳ ପ୍ରାଣହୀନ ଜଡ଼ ଶରୀରଟା ନିଶ୍ଚଳ ଧ୍ୟାନରେ ରହିଥିବା ସମସ୍ତଙ୍କୁ ଦଖାଗଲା ।ଏଣେ କାଶ୍ୟପ ନାମକ ବ୍ରାହ୍ମଣ ତର ତରରେ ଧାଇଁଛନ୍ତି ।ସେ ଯେ କୌଣସି ସର୍ପର ବିଷ ହରଣ କରିବା ବିଦ୍ୟା ଜାଣନ୍ତି ।ରାଜାଙ୍କୁ ତକ୍ଷକ ଦଂଶନ କଲେ ସେ ବିଷ ହରଣ କରି ରାଜାଙ୍କୁ ବଞ୍ଚାଇ ଦେଇ ଅମାପ ଧନ ପୁରସ୍କାର ଆକାରରେ ପାଇବେ ।ତକ୍ଷକ ଏକଥା ଜାଣି ବାଟରେ ତାଙ୍କୁ ଅଟକାଇ କହିଲେ ହେ ବ୍ରାହ୍ମଣ ଦେବତା କୁଆଡ଼େ ଯାଉଛନ୍ତି ବୋଲି ପଚାରିଲେ ।ସେ କହିଲେ
ତକ୍ଷକ ବ୍ରହ୍ମଶାପେ ଦଂଶି ।
ରାଜା ହୋଇବ ଭସ୍ମରାଶି ।।
ତାହାକୁ ଆମ୍ଭେ ଜୀଆଇବୁ ।
ଯଶ ଧନ ଧର୍ମ ପାଇବୁ ।।
ତକ୍ଷକ ବିନୟଭାବରେ କହିଲେ ଆପଣ ମହତ ଲୋକ ।ନିଜ ଯଶ ପାଇଁ ଅନ୍ୟର ଯଶ ବିନାଶ କରିବା ଉଚିତ ନୁହେଁ ।ଏଣୁ ଆପଣ ମୋ ଯଶ ଅର୍ଥାତ ମୋର ବିଷଜ୍ଵାଳାର ଶକ୍ତିକୁ ପ୍ରଶମିତ କରି ମୋର ମାନ ସମ୍ମାନ ହାନୀ କରନ୍ତୁ ନାହିଁ ।ରାଜାଙ୍କଠାରୁ ଦ୍ଵିଗୁଣ ଧନ ମୁଁ ଦେବି ।ଫେରି ଯାଆନ୍ତୁ ।ବ୍ରାହ୍ମଣ ବିଚାରକଲେ ରାଜାଙ୍କର ତ ଆଉ ଆୟୁଷ ନାହିଁ ।ଏହା ବିଧି ନିର୍ଦ୍ଦିଷ୍ଟ ।ମୃତ୍ୟୁ ନିଶ୍ଚିତ ।ତେବେ ଏହାଠାରୁ ଧନ ନେବାରେ ଅସୁବିଧା ନାହିଁ ।କହିଲେ
ତୋ ଯଶ କିମ୍ପାଇଁ ନାଶିଵୁଁ ।
ପାଇଲେ ଧନ ବାହୁଡ଼ିବୁଁ ।।
ତକ୍ଷକ ତାଙ୍କୁ ଧନ ଦେଲେ ।
ବ୍ରାହ୍ମଣ ତହୁଁ ବାହୁଡ଼ିଲେ ।।
ସତସଙ୍ଗ ଶେଷ ହୋଇଛି ।ଉଦ୍ଜାପନ ଭେଟି ଫଳମୂଳ ଧରି ବ୍ରାହ୍ମଣମାନେ ରାଜାଙ୍କ ନିକଟକୁ ଗଲାବେଳେ କାମରୂପୀ ତକ୍ଷକ ବ୍ରାହ୍ମଣ ବେଶରେ ଫଳଫୁଲ ଧରି ସେମାନଙ୍କ ସହିତ ରାଜାଙ୍କ ପାଖକୁ ଚାଲିଗଲା ।ଫଳ ମଧ୍ୟରେ କୃମିରୂପରେ ରହି ରାଜାଙ୍କ ଚରଣରେ ଦଂଶନ କଲା ।
ସେ କାମରୂପୀ ନାଗ ବିଷ ।
ରାଜା ଶରୀର କଲା ନାଶ ।।
ତକ୍ଷଣେ ଭସ୍ମ ହୋଇଗଲେ ।
ସକଳ ଲୋକ ତା ଦେଖିଲେ ।।
ଏଠାରେ ଦେଖିବା ରାଜାଙ୍କର ନାମଯଜ୍ଞ ସ୍ଥଳିର ସୁରକ୍ଷା ରାଜକର୍ମଚାରୀମାନେ ବଢ଼ାଇ ନ ଥିଲେ ।ପରନ୍ତୁ ସତସଙ୍ଗରେ କୃଷ୍ଣକଥା ଆଲୋଚନା ହେଉଥିବା ସ୍ଥାନକୁ ମୃତ୍ୟୁ କଣ କୌଣସି ପାପ ତାପ ପ୍ରବେଶ କରି ପାରେ ନାହିଁ ।ତକ୍ଷକ ମଧ୍ୟ ଯାଇ ପାରି ନ ଥିଲା ।ଯେଉଁ ମୂହୁର୍ତ୍ତରେ କୃଷ୍ଣକଥା ବନ୍ଦ ହେଲା ସତେବେଳେ ମୃତ୍ୟୁରୂପୀ ତକ୍ଷକ ସେଠାରେ ପ୍ରବେଶ କଲା ।ଅନ୍ୟପକ୍ଷରେ ଶୁକଦେବଙ୍କ ଭଳି ସଦଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କରି କୃଷ୍ଣକଥା ଶ୍ରବଣ କରିବା ଗୁରୁଙ୍କର କରୁଣା ମାତ୍ର ।ଉପଯୁକ୍ତ ଗୁରୁ ଭାବେ ଶିଷ୍ୟକୁ ସୁରକ୍ଷା ପ୍ରଦାନ କରି ଭଗବାନଙ୍କ ନିକଟରେ ପହଞ୍ଚାଇବା ଦାୟିତ୍ୱ ଶୁକଦେବ ନିର୍ବାହ କରିଛନ୍ତି ।ମାୟାକୁ ଚକମା ଦେଇ ପୂର୍ବରୁ ସବୁ କାମ ସାରିଦେଇଛନ୍ତି ।ଧନ୍ୟ ସେ ଗୁରୁ ଆଉ ଧନ୍ୟ ସେ ଶିଷ୍ୟ ।ପରବର୍ତ୍ତୀ ସମୟରେ ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟ ରାଜା ହୋଇ ନାଗମାନଙ୍କୁ ପିତାବୈରୀ ଭାବେ ଗ୍ରହଣ କରି ସର୍ପକୁଳ ବିନାଶ ପାଇଁ ଏକ ସର୍ପମେଧ ଯଜ୍ଞ କରାଇଲେ ।ନାଗ ଲୋକରେ ଥିବା ସମସ୍ତ ସର୍ପ ବ୍ରାହ୍ମଣଙ୍କ ମନ୍ତ୍ର ଆହୁତିରେ ଅଗ୍ନି କୁଣ୍ଡରେ ଝାସ ଦେଇ ମୃତ୍ୟୁ ବରଣ କଲେ ।ପ୍ରାଣ ଭୟରେ ତକ୍ଷକ ଇନ୍ଦ୍ରଙ୍କ ଶରଣ ନେବାରୁ ଇନ୍ଦ୍ର ଯୋଗବଳରେ ତାକୁ ରକ୍ଷା କଲେ ।
ଜନ୍ମେଜୟ ବ୍ରାହ୍ମଣମାନଙ୍କଠାରୁ ଏକଥା ଜାଣି କ୍ରୋଧିତ ହୋଇ କହିଲେ ଏମିତି ମନ୍ତ୍ରରେ ଆହୁତି ଦିଆଯାଉ ଯେମିତି ଇନ୍ଦ୍ର ସହ ତକ୍ଷକ ଯଜ୍ଞକୁଣ୍ଡରେ ପଡ଼ିବେ ।ତାହା ହିଁ ହେଲା ।ଏ କଥା ଜାଣି ଇନ୍ଦ୍ର ଭୟଭୀତ ହୋଇଗଲେ ।ଦେବଗୁରୁ ବୃହସ୍ପତିଙ୍କୁ ରାଜାଙ୍କ ନିକଟକୁ ପ୍ରେରଣ କଲେ ।ବୃହସ୍ପତି ରାଜାଙ୍କୁ ନାନା ଜ୍ଞାନ ଉପଦେଶ ଦେଇ ତକ୍ଷକ ନିର୍ଦୋଷ ବୋଲି କହି ସର୍ପମେଧ ଯଜ୍ଞ ବନ୍ଦ କରାଇଲେ ।
ସୂତମୁନି କହି ଚାଲିଥାନ୍ତି ।ଶ୍ରୀକୃଷ୍ଣ ଗୁଣ ଗାନ କରି ବେଦବ୍ୟାସ ଓ ଶୁକଦେବଙ୍କୁ ନମସ୍କାର କଲେ ।ଶୌନକ ପୁଣି ବେଦର ଉତ୍ପତ୍ତି କଥା ଜାଣିବାକୁ ଚାହିଁଛନ୍ତି ।ସୂତମୁନି ତାହା କହୁଛନ୍ତି ।
ବ୍ରହ୍ମା ସୃଷ୍ଟି ସର୍ଜନାର ସୂତ୍ର ଜାଣିବାକୁ ନିରାକାରରେ ଲୟ ଲଗାଇ ସମାଧିରେ ବସିଥିବା ସମୟରେ ତାଙ୍କ ହୃଦୟରୁ ଏକ ନାଦ ଜନ୍ମ ହେଲା ।ଯାହା କର୍ଣ୍ଣରେ ଶଦ୍ଦ ରୂପରେ ଶୁଣାଯାଏ ।ସେ ନାଦ ଆକାଶ ବ୍ୟାପ୍ତ ହୋଇଗଲା ।ସେଥିରୁ ବିନ୍ଦୁ ଓ ବିନ୍ଦୁ ତ୍ରିଗୁଣାତ୍ମକ ହୋଇ ବ୍ରହ୍ମା ବିଷ୍ଣୁ ରୁଦ୍ର ରୂପରେ ଅ ଉ ମ ତିନି ମାତ୍ରାରେ ଏକାକ୍ଷର ବ୍ରହ୍ମ ବୋଲାଇଲେ ।ସେଥିରେ ଯୋଗମାୟା ଅର୍ଦ୍ଧମାତ୍ରା ଓ ବିନ୍ଦୁ ରୂପରେ ସଂଯୁକ୍ତ ହୋଇ ଓଁ କା'ର ପ୍ରକଟିତ ।ଶଦ୍ଦ ବ୍ରହ୍ମକୁ ଶୁଣିବାର ବିଧି ବର୍ଣ୍ଣିତ ।ପଚାଶ ବର୍ଣ୍ଣରେ ଶଦ୍ଦବ୍ରହ୍ମ ପ୍ରକଟିତ
ଏକାକ୍ଷର ବ୍ରହ୍ମ ପ୍ରଣବ ।
ଶବଦ ରୂପୀ ବୀଜ ସର୍ବ ।।
ତାହାଙ୍କ ତହୁଁ ଉତପନ୍ନ ।
ଚଉଦ ଅକାରାଦି ବର୍ଣ୍ଣ ।।
ସ୍ଵରବର୍ଣ୍ଣ-----------୧୩+ଓଁ କାର = ୧୪
ବ୍ୟଞ୍ଜନ ବର୍ଣ୍ଣ କଚଟତପ ପାଞ୍ଚ ବର୍ଗରେ =୨୫
ଉଷ୍ମବର୍ଣ୍ଣ ଯରଳବ ଶଷସହ = ୮
ଂ ଃ ଁ = ୩
---------------
୫୦
ଏମନ୍ତ ହୋଇ ଶଦ୍ଦ ବ୍ରହ୍ମ
ପଞ୍ଚାଶ ବର୍ଣ୍ଣ ଭେଦ ନାମ ।।
ଏ ସ୍ଵରମାନେ ବିଷ୍ଣୁ ରୂପ ।
ବ୍ୟଞ୍ଜନ ମାୟାର ସ୍ଵରୂପ ।।
ତହିଁ ଭିତରୁ ବ୍ରହ୍ମଯନ୍ତ୍ରି ।
ଚବିଶ ଅକ୍ଷର ଗାୟତ୍ରୀ ।।
ଗାୟତ୍ରୀ,ସପ୍ତ ବ୍ୟାହୃତି ଓ ଦଶ ପ୍ରଣବ ମିଶି ବେଦ ବୋଲାଇଲେ ।ଗାୟତ୍ରୀ,ସାବିତ୍ରୀ ,ସରସ୍ଵତୀ ତ୍ରିକାଳ ସନ୍ଧ୍ୟା ନାମରେ ଋକ,ସାମ,ଯଜୁ ବେଦରେ ରହିଲେ ।ଅଥର୍ବ ବେଦ ଏଥିରୁ ଜାତ ହେଲା ।ବେଦ ପ୍ରଥମେ ଗୋଟିଏ ଥିଲା । ମରୀଚି ଆଦି ଋଷିମାନେ ବ୍ରହ୍ମାଙ୍କଠାରୁ ବେଦଜ୍ଞାନ ପାଇ ଯୁଗାନୁସାରେ ଶ୍ରୁତି ରୂପରେ ପ୍ରସାର କଲେ ।ଦ୍ଵାପର ଶେଷ ଭାଗରେ ଭଗବାନ କୃଷ୍ଣଦ୍ଵିପାୟନ ବ୍ୟାସ ରୂପରେ ଜନକଲ୍ୟାଣ ପାଇଁ ବେଦକୁ ବିଭାଗ କରି ପ୍ରଚା ର ପ୍ରସାର ନିମନ୍ତେ ବିଭିନ୍ନ ଶିଷ୍ୟଙ୍କୁ ନିଯୁକ୍ତ କଲେ ।
୧-ଋକବେଦ-ବହବୃଚ ସଂହିତା- ପଇଳ ମୁନି
୨-ସାମବେଦ-ଛନ୍ଦୋଗ ସଂହିତା- ଜୈମିନୀ ମୁନି
୩-ଯଜୁର୍ବେଦ-ନିଗଦ ସଂହିତା- ବୈଶମ୍ପାୟନ
୪-ଅଥର୍ବ ବେଦ -ଆଙ୍ଗିରସ ସଂହିତା-ସୁମନ୍ତୁ ମୁନି
୫-ଅଷ୍ଟାଦଶ ପୁରାଣ- ଲୋମହର୍ଷଣ ମୁନି
୬-ଶ୍ରୀମଦ୍ଭାଗବତ--ଶୁକମୁନି
ଏମାନଙ୍କ ଶିଷ୍ୟ ପ୍ରଶିଷ୍ୟ ମାନେ ନିଜ ନିଜର ସାଧନା ବଳରେ ସଂହିତା ,ଉପନିଷଦ,ଟିକାଟିପ୍ପଣୀ ଆଦି ବିଭିନ୍ନ ବିଭାଗ କରି ଲୋକକଲ୍ୟାଣାର୍ଥେ ପ୍ରସାର କଲେ ।
ଯାଜ୍ଞବଳ୍କ୍ୟ ଋଷିଙ୍କ ସୂର୍ଯ୍ୟନାରାୟଣ ସ୍ତବନ ଓ ନୂଆ ଯଜୁର୍ବେଦ ଯାହାକି ବାଜସେନୀ ନାମରେ ଖ୍ୟାତ ତାହାର ଚମତ୍କାର ବର୍ଣ୍ଣନା କରାଯାଇଛି ।
ଓଁ କା'ର ପ୍ରଣବରୁ ସବୁ ସୃଷ୍ଟି ହେଲା ।ଏହି ପ୍ରଣବ ହେଉଛି କୃଷ୍ଣ ।ଏଣୁ କୃଷ୍ଣଭକ୍ତି ବଳରେ ସର୍ବବେଦବିଦ୍ୟା ସାଧନ କରାଯାଇ ପାରିବ ।ପରୀକ୍ଷିତ ଏହି କୃଷ୍ଣକୁ ଜାଣି ଅନୁଭବ କରି ମୋକ୍ଷ ପ୍ରାପ୍ତ ହେଲେ ।କୌଣସି ଅଭିଶାପର ପ୍ରତିବନ୍ଧକ ରହିଲା ନାହିଁ ।କୃଷ୍ଣ ନାମର ମହିମା ଅନନ୍ତ ଅବର୍ଣ୍ଣନୀୟ ।ଯାହାର ନାମ ଶ୍ରବଣରେ ମୃତ୍ୟୁ ଛାଡ଼ି ପଳାଏ ।ଆଉ କାହା କଥା କହିବା ।ଆପନି ପାଲାବେ ସବ ଶୁନିୟା ଗୋଵିନ୍ଦ ରବ
ସିଂହ ରବେ ଯେନ କରୀଗନ ।
ସକଲ ବିପତ୍ତି ଯାବେ ବ୍ରହ୍ମାନନ୍ଦ ସୁଖ ପାବେ
ଯା'ର ହୟ ଏକାନ୍ତ ଭଜନ ।।
କହଇ ଜଗନ୍ନାଥ ଦ୍ଵିଜ ।
ସୁଜନେ ହରିପାଦ ଭଜ ।।
।। ଜୟଶ୍ରୀକୃଷ୍ଣ ।।
ସମୀକ୍ଷିକ 🙏🙏🙏 satya ranjan pati 🙏🙏🙏