କେନ୍ଦୁଝର: ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
କେନ୍ଦୁଝର: ସଦର ବ୍ଲକ୍ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତର ଦେଉଳଡିହା ଶଗଡିଆ ଘାଟ ଠାରେ ଅରଡେଇ ନଦୀ ଉପରେ ଏକ ସ୍ଥାୟୀ ପୋଲ ଏବଂ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବିପତ୍ର ଲେଖିଛନ୍ତି। ପୋଲ ନିର୍ମାଣ ହେଲେ ପର୍ଜନପୁର ପଞ୍ଚାୟତର ଦେଉଳଡିହା, ନୂଆଡ଼ିହି, ସତୀକୁଦର, ନଈଗାଁ ଏବଂ କଣ୍ଡରାପଶି ପଞ୍ଚାୟତର ଆହାରପଶି, ଝଡ଼ାପଶି ସମେତ ପଳାଶପଙ୍ଗା ପଞ୍ଚାୟତର ସରାସକୋଲା ଗ୍ରାମର ହଜାର ହଜାର ଜନସାଧାରଣ ଉପକୃତ ହେବେ।
ଅଞ୍ଚଳବାସୀମାନେ ପ୍ରଧାନତଃ ଧାନଚାଷ ଏବଂ ବିଭିନ୍ନ ପନିପରିବା ଚାଷ କରିଥାନ୍ତି, ଯାହାକୁ ଝୁମ୍ପୁରା ବଜାରକୁ ବିକ୍ରୀ କରିବାକୁ ଯିବାକୁ ପଡ଼ିଥାଏ। ଝୁମ୍ପୁରା ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ସତ୍ତ୍ୱେ ନଦୀର ପ୍ରତିବନ୍ଧକ ଯୋଗୁଁ ଲୋକେ ଠିକ୍ ସମୟରେ ସ୍ୱାସ୍ଥ୍ୟସେବା ପାଇଁ ପହଞ୍ଚି ପାରୁନାହାନ୍ତି, ଯାହାର ଫଳରେ ରୋଗୀ ଏବଂ ଗର୍ଭବତୀ ମହିଳାମାନେ ମୃତ୍ୟୁ ବରଣ କରିଛନ୍ତି। ଏହି ଅସୁବିଧା ସହିତ ସ୍କୁଲ, କଲେଜ ଯିବାରେ ପିଲାଙ୍କୁ ମଧ୍ୟ କଷ୍ଟ ସମ୍ମୁଖୀନ ହେବାକୁ ପଡ଼ୁଛି। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନଳିନୀ ମହାନ୍ତ ଦାବି କରିଛନ୍ତି ଯେ ଏକ ସ୍ଥାୟୀ ପୋଲ ଏବଂ ଏହାକୁ ସଂଯୋଗ କରୁଥିବା ରୋଡ଼ (ଆହାରପଶି ପି.ଡବ୍ଲ୍ୟୁ.ଡ଼ି ଠାରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦେଉଳଡିହା ପର୍ଯ୍ୟନ୍ତ) ନିର୍ମାଣ ହେଲେ ପର୍ଜନପୁର ରେଳଷ୍ଟେସନ ସହିତ ସିଧାସଳଖ ସଂଯୋଗ ହେବା ସହିତ ସ୍ଥାନୀୟ ବିକାଶ ହେବ। ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କର ତ୍ୱରିତ ପଦକ୍ଷେପ ଆଶା କରୁଛନ୍ତି।