logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ

ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ, ସଚେତନତା କାର୍ଯ୍ୟକ୍ରମ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ସମ୍ମାନିତ କରି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି ।
ଏହି ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଳ୍ୟରେ ପିପଲମୁଣ୍ଡା ନର୍ସରୀ ଠାରେ ଜିଲ୍ଲାସ୍ତରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ପରିବେଶର ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ୧୦ ଜଣଙ୍କୁ ‘ପ୍ରକୃତି ବନ୍ଧୁ ପୁରସ୍କାର’ ଏବଂ ୧୧ଟି ଅନୁଷ୍ଠାନ ତଥା ସାମାଜିକ ସ୍ୱେଚ୍ଛାସେବୀ ସଂଗଠନକୁ ‘ପ୍ରକୃତି ମିତ୍ର ପୁରସ୍କାର’ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ରନାଥ ଶତପଥୀ, ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା, ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଏବଂ ଭଟଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସବୁଜ ପରିବେଶ ଗଠନ ନିମନ୍ତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ଆହ୍ୱାନ ଦେଇଥିଲେ। ସୂଚନା ଯୋଗ୍ୟକୀ, ଚଳିତ ବର୍ଷ ବରଗଡ଼ ବନଖଣ୍ଡ ପକ୍ଷରୁ ୪୭୬ ହେକ୍ଟର ଅଞ୍ଚଳରେ ବୃକ୍ଷରୋପଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ଯେଉଁଥିରେ ୧୦ ହେକ୍ଟର ସହରାଞ୍ଚଳ ବୃକ୍ଷରୋପଣ ଅନ୍ତର୍ଭୁକ୍ତ ରହିଛି। ସେହିପରି, ଜିଲ୍ଲାର ବିଭିନ୍ନନର୍ସରୀରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଚାରା ଉପଲବ୍ଧ ରହିଛି, ଯାହା ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯିବ।
ଅନ୍ୟପକ୍ଷରେ ବରଗଡ଼ ପୌରପରିଷଦ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକରୁ ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିବା ବେଳେ ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ସାଂସଦ ପ୍ରତିନିଧି ଲିପ୍ସିତ ମିଶ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲାଲଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପଣ୍ଡା, ବରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀମାନେ ଯୋଗଦେଇ ରାସ୍ତାକଡ଼ରେ ବୃକ୍ଷରୋପଣ କରିବା ସହିତ ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।
ସେହିପରି ମାଇ ଭାରତ, ବରଗଡ଼ ଏବଂ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ବରଗଡ଼ର ମିଳିତ ଆନୁକୂଳ୍ୟରେ ଚକରକେନ୍ଦ ସ୍ନାତକ ମହାବିଦ୍ୟାଳୟଠାରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହ୍ଲାଦ କାଶଲା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମାଇ ଭାରତ ଜିଲ୍ଲା ଯୁବ ଅଧିକାରୀ କମଳ ସାୟଦେଓ, ପରିବେଶବିତ ମୀନକେତନ ସାହୁ, ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ରହି ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇଜଣ ‘ପ୍ରକୃତି ସେବକ’ଙ୍କୁ ସମ୍ମାନିତ କରିଥିଲେ। ସେହିପରି ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ସ୍ୱେଚ୍ଛାସେବୀମାନଙ୍କୁ ମାଇ ଭାରତ ପକ୍ଷରୁ କ୍ରୀଡ଼ା ସାମଗ୍ରୀ ପ୍ରଦାନ କରାଯାଇଥିଲା।
ଏହିପରିଭାବେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଥିବା ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, ଯୁବ ଗୋଷ୍ଠୀ ଏବଂ ସାଧାରଣ ଜନତାଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।

9
1112 views

Comment