ଡାଏଲସିସ୍ ଚିକିତ୍ସା ର ଉନ୍ନତି ପାଇଁ ସିଟିଜେନ ଫୋରମ୍ ଆଲୋଚନା।
ଡାଏଲସିସ୍ ଚିକିତ୍ସା ର ଉନ୍ନତି ପାଇଁ ସିଟିଜେନ ଫୋରମ୍ ଆଲୋଚନା।
**********
କେନ୍ଦୁଝର: (ଖଣ୍ଡାଧାର ନିଉଜ ବ୍ୟୁରୋ) ଆଜି ୨.୬.୨୦୨୬ ସକାଳ ସାଢେ ୧୦ଟା ସମୟରେ କେନ୍ଦୁଝର ସିଟିଜେନ୍ ଫୋରମ୍ ର ସଂପାଦକ ଇଂଜିନିୟର ଅଜୟ କୁମାର ସାହୁ ଙ୍କ ନେତୃତ୍ବ ରେ ବରିଷ୍ଠ ସଦସ୍ୟ ଡାକ୍ତର ଉପେନ୍ଦ୍ର ବାରିକ, ରାମନାରାୟଣ ଦ୍ୱିବେଦୀ, କିଶୋରୀ ଚନ୍ଦ୍ର ଦାଶ, ଭରତ ଚନ୍ଦ୍ର ପାତ୍ର, ଡଃ ବିପିନ ବିହାରୀ ମହାପାତ୍ର ଜିଲ୍ଲା ଚିକିତ୍ସାଳୟ ର ନବ ନିଯୁକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଧନେଶ୍ଵର ସେଠୀ ଙ୍କୁ ସୈାଜନ୍ୟମୂଳକ ସାକ୍ଷାତ କରି ସ୍ୱାଗତ ଜଣାଇଥିଲେ। ଏହି ସାକ୍ଷାତ ଅବସରରେ ଜିଲ୍ଲା ଚିକିତ୍ସାଳୟର ଡାଏଲସିସ୍ କେନ୍ଦ୍ର ର ଚିକିତ୍ସା ସେବା କୁ ଉନ୍ନତ କରିବା ଉପରେ ଦୀର୍ଘ ଆଲୋଚନା ହୋଇଥିଲା।
୨୨ଟି ବେଡ୍ ପାଇଁ ଅମ୍ଳଜାନ ମେସିନ୍ ମାତ୍ର ଦୁଇଟି ଥିବାରୁ ରୋଗୀମାନଙ୍କ ସେବା ଯୋଗାଇବା ରେ ପ୍ରତିବନ୍ଧକ ହେଉଛି। ଏରୋ ପ୍ଲାଣ୍ଟ ରୁ ବିଶୁଦ୍ଧିତ ଜଳ ଯୋଗାଣ ବ୍ୟାହତ ହେଉଥିବା ଯୋଗୁଁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଏହି କାରଣରୁ ଅତୀତରେ ବହୁସଂଖ୍ୟାରେ ରୋଗୀ ମୃତ୍ୟୁ ଘଟିଥିବା ର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସଦସ୍ୟ ମାନେ ଡାଏଲସିସ୍ କେନ୍ଦ୍ର ପରିଦର୍ଶନ କରି ଥିଲେ। ଛାତ ରୁ ବର୍ଷା ଜଳ କ୍ଷରଣ ହେଉଥିବା ର ମଧ୍ୟ ଲକ୍ଷ୍ୟ କରାଯାଇଥିଲା। ନିରବଚ୍ଛିନ୍ନ ବିଜୁଳି ଯୋଗାଣ ନିଶ୍ଚିତ କରିବା ସକାଶେ ଜେନେରେଟର ର ନିୟମିତ ମରାମତି ଓ ରକ୍ଷଣାବେକ୍ଷଣ କରିବାକୁ ସଦସ୍ୟ ମାନେ ଗୁରୁତ୍ୱ ଆରୋପ କରିଥିଲେ।
ଏତଦବ୍ୟତୀତ, ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗରେ ଚିକିତ୍ସା ସେବା କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ର ନିୟମିତ ସମୀକ୍ଷା ଓ ତାର ତ୍ୱରିତ ସମାଧାନ ସଂପର୍କରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଚିକିତ୍ସାଧିକାରୀ ପ୍ରତିଶ୍ରୁତି ଦେଇଥିଲେ।
ଏ ଦିଗରେ ସହଯୋଗ କରିବା ପାଇଁ ମୁଖ୍ୟ ଚିକିତ୍ସାଧିକାରୀ ସିଟିଜେନ ଫୋରମ୍ କୁ ଅନୁରୋଧ କରିଥିଲେ।